Unknown

 

 

 

 

 

 

 

 

 

 

ଡେଭିଡ୍ କପରଫିଲ୍‍ଡ

ଅନୁବାଦକ

ଅଧ୍ୟାପକ ଶ୍ରୀଧର ଦାସ

 

 

 

 

 

 

 

ଡେଭିଡ୍ କପରଫିଲ୍‍ଡ

[ଚାର୍ଲସ୍ ଡିକେନ୍‍ସଙ୍କ David Copperfield ବହିର ଓଡ଼ିଆ ରୂପାନ୍ତର]

 

ଅନୁବାଦକ

ଅଧ୍ୟାପକ ଶ୍ରୀଧର ଦାସ

 

ପିଲାଦିନର ସ୍ମୃତି

 

ମୋ ପିଲାଦିନର ସ୍ମୃତି ମଧ୍ୟରେ ଦୁଇଟି ମୂର୍ତ୍ତି ପ୍ରଥମ ସ୍ଥାନ ଅଧିକାର କରିଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି, ମୋର ମାଆ । ତା’ର ମଥାର ବାଳଗୁଡ଼ିକ ଅତି ସୁନ୍ଦର । ତା’ର ମୁହଁଟି ମଧ୍ୟ ସେହିପରି ସୁନ୍ଦର । ଦ୍ୱିତୀୟ ମୂର୍ତ୍ତିଟି ହେଉଛି ଆମର ଚାକରାଣୀ । ତା’ର ନାଁ ପିଗୋଟି; ତା’ଠାରେ ଆମର ପୂର୍ଣ୍ଣ ବିଶ୍ୱାସ । ସେ ଦେଖିବାକୁ ଟିକିଏ ଡେଙ୍ଗା । ତା’ର ଆଖି ଦୁଇଟି ଗାଢ଼ କୃଷ୍ଣବର୍ଣ୍ଣ । ହାତ ଏବଂ ଓଠ ଏଡ଼େ ଲାଲ ଯେ, ମୋ ମନରେ ସନ୍ଦେହ ହୁଏ, କେତେବେଳେ ଚଢ଼େଇମାନେ ପାଚିଲା ଫଳ ଭାବି ତାକୁ ଖୁମ୍ପି ପକାଇବେ । ମୋର ମନେପଡ଼ୁଛି ଯେ ଦୁହେଁଯାକ କୌଣସି କାମରେ ବସିଥାଆନ୍ତି ଓ ମୁଁ ଜଣକ ପାଖରୁ ଆରଜଣକ ପାଖକୁ ଧାଉଁଥାଏ । ମୋର ପିତାଙ୍କୁ ମୁଁ ଜୀବନରେ ଦେଖିନାହିଁ । ଶୁଣିଛି, ସେ ଯେଉଁ ମୁହୂର୍ତ୍ତରେ ଚିରଦିନ ପାଇଁ ଆଖି-ଦିଓଟି ବୁଜି ସଂସାରରୁ ବିଦାୟ ନେଲେ, ଠିକ୍ ସେଇ ମୁହୂର୍ତ୍ତରେ ମୁଁ ଏ ସଂସାରକୁ ଆସି କୁଆଁ କୁଆଁ ରାବ କରିଥିଲି ।

 

ମୁଁ ଟିକିଏ ଭାବେ । ଦେଖାଯାଉ, ଆଉ କ’ଣ ମନେପଡ଼ୁଛି । ମୋ ଆଖି ଆଗରେ ଗୋଟିଏ ଛୋଟ ଘର ଦେଖାଯାଉଛି । ତଳ ମହଲାରେ ଆମର ରନ୍ଧା ଘର । ପିଗୋଟି ଏହି ଘରେ ରନ୍ଧାରନ୍ଧି କରେ । ଏଇ ଘର ପଛପଟକୁ ଗୋଟିଏ ଛୋଟ ଅଗଣା । ଘର ଉପରେ ଗୋଟାଏ ବାଉଁଶ ପୋତା ହୋଇଅଛି । ତା’ ଅଗରେ ଗୋଟିଏ ପାରାଭାଡ଼ି । କିନ୍ତୁ ସେଥିରେ ପାରା ନ ଥାନ୍ତି । ଘରର ଗୋଟିଏ ପାଖରେ କୁକୁର ରହିବା ପାଇଁ ଘର । କିନ୍ତୁ ସେଥିରେ ମଧ୍ୟ କୁକୁର ନ ଥାଏ । ଆମ ଘରେ ଗୁଡ଼ାଏ କୁକୁଡ଼ା ଥାନ୍ତି । ସେଗୁଡ଼ାକ ମତେ ଖୁବ୍ ବଡ଼ ବଡ଼ ବୋଧ ହୁଅନ୍ତି । ସେମାନେ ଚାଲିଲା ବେଳକୁ ମୋତେ ଡରମାଡ଼େ । ସେମାନଙ୍କ ଭିତରେ ଗୋଟାଏ ବଡ଼ କୁକୁଡ଼ା ଥାଏ । ସେ ଗୋଟାଏ ଖୁଣ୍ଟ ଉପରେ ବସି ବଡ଼ ପାଟିରେ ରାବେ । ମୁଁ ରନ୍ଧାଘର ଝରକା ବାଟେ ତାକୁ ଚାହିଁଥାଏ-। ତାକୁ ଚାହିଁ, ତା’ର ରାବ ଶୁଣି, ମୋର ଭାରି ଭୟ ହୁଏ । ଏମାନଙ୍କ ଛଡ଼ା ଆମର ଗୁଡ଼ିଏ ହଂସ ଥିଲେ । ମୁଁ ଫାଟକ ପାଖେ ଗଲାବେଳେ ସେମାନେ ବେକକୁ ଲମ୍ବାଇ ମୋ ପାଖକୁ ଆସନ୍ତି-। ମୁଁ ଭୟରେ ପଳାଇଯାଏ । ରାତିରେ ତାଙ୍କରି କଥା ସ୍ଵପ୍ନ ଦେଖେ ।

 

ଆମର ଦୁଇଟି ବାହାର ଘର । ସଞ୍ଜବେଳେ ମୁଁ, ମାଆ ଏବଂ ପିଗୋଟି ଗୋଟିକରେ ବସୁଁ । ଆର ଘରଟି ସବୁଠାରୁ ସୁନ୍ଦର ହୋଇ ସଜ୍ଜା ହୋଇଥାଏ । କେବଳ ରବିବାର ଦିନ ଆମେ ସେ ଘରଟି ବ୍ୟବହାର କରୁଁ । ଘରଟି ସୁନ୍ଦର ସତ; କିନ୍ତୁ ସେଠାରେ ବସିବାକୁ କେଜାଣି କାହିଁକି ମୋତେ ସେତେ ଭଲ ଲାଗେ ନାହିଁ । ଆମ ଶୋଇବାଘର ସାମନାରେ ବଗିଚା । ବଗିଚାରୁ ପବନ ଝରକାବାଟେ ଶୋଇବାଘରକୁ ଆସେ । ବଗିଚା ଚାରି ପାଖେ ଉଚ୍ଚା ବାଡ଼ । ଫାଟକରେ ଗୋଟାଏ ତାଲା ପଡ଼ିଥାଏ । ବଗିଚାର ଗଛମାନଙ୍କରେ ଫଳ ପୂରିଥାଏ । ସେପରି ଫଳ ଆଉ କୌଣସିଠାରେ ଦେଖିଲା ପରି ମନେହେଉନାହିଁ । ମାଆ ଗୋଟିଏ ଡାଲା ନେଇ ଫଳ ତୋଳନ୍ତି । ମୁଁ ପାଖରେ ଠିଆହୋଇ ମାଆଙ୍କୁ ଲୁଚାଇ ଜାମୁକୋଳି ଖାଏଁ ।

 

ମୋର ମନେପଡ଼ୁଛି, ଯେପରି କି ମୁଁ ଓ ମାଆ ଦୁହେଁଯାକ ପିଗୋଟିକୁ ଟିକିଏ ଭୟ କରୁଥିଲୁ ଓ ସବୁ କଥାରେ ତାରି ପରାମର୍ଶ ଅନୁସାରେ ଚଳୁଥିଲୁ । ଦିନେ ମାଆ ପଡ଼ିଶାଘରକୁ ବୁଲି ଯାଇଥିଲେ । ମୁଁ ସଞ୍ଜବେଳୁ ଖଣ୍ଡେ ବହି ଧରି ପିଗୋଟି ପାଖେ ରନ୍ଧାଘରେ ବସି ପଢ଼ୁଥିଲି । ମୁଁ ଅକ୍ଷର ଚିହ୍ନି ରହି ରହି ପଢ଼ୁଥାଏ, ପିଗୋଟି ଶୁଣୁଥାଏ । ମୋତେ ଘୁମ ମାଡ଼ୁଥାଏ; କିନ୍ତୁ ମାଆ ଆସି ନ ଥିବାରୁ ଶୋଇ ନ ଥାଏ । କେତେବେଳକୁ ମାଆ ଆସିଲେ । ପିଗୋଟି ଓ ମୁଁ ଯାଇ କବାଟ ଫିଟାଇଲୁ । ମାଆ ସାଥିରେ ଜଣେ ଭଦ୍ରଲୋକ ଆସିଥିଲେ । ତାଙ୍କୁ ମୁଁ ଆଉଥରେ ଦେଖିଥିଲି । ସେଥର ରବିବାର ଦିନ ଗିର୍ଜାରୁ ସେ ଆମ ସାଥିରେ ଘରଯାଏ ଆସିଥିଲେ।

 

ମାଆ ହାତ ବଢ଼ାଇ ମୋତେ କୋଳକୁ ନେଲାବେଳେ ସେ ମୋର ବହୁତ ପ୍ରଶଂସା କଲେ । ସେ ଯେତେବେଳେ ମୋ ମୁଣ୍ଡରେ ହାତ ବୁଲାଇଲେ, ମୋତେ କାହିଁକି ଖରାପ ଲାଗିଲା । ସେ ମୋ ମୁଣ୍ଡରେ ହାତ ବୁଲାଇଲାବେଳେ ମୋ ମାଆଙ୍କ ଦେହରେ ତାଙ୍କ ହାତ ବାଜୁଥାଏ । ସେଇଟା ମୁଁ ସହିପାରୁ ନ ଥାଏ । ମୁଁ ମୋ ଟିକି ହାତରେ ମୋ ମୁଣ୍ଡରୁ ତାଙ୍କ ହାତକୁ କାଢ଼ିଦେଲି । ମାଆ ମୋର ଏହି ବ୍ୟବହାର ପାଇଁ ଟିକିଏ ମଧୁର ସ୍ଵରରେ ମୋତେ ଗାଳିଦେଲେ । ସେ ବିଦାୟ ନେଇ ଗଲେ ।

 

ଏହି ଭଦ୍ରଲୋକଙ୍କୁ ଦେଖିବା ମୁହୂର୍ତ୍ତରୁ ତାଙ୍କ ପ୍ରତି ମୋର କିପରି ଘୃଣା ଜନ୍ମିଥିଲା । ବୁଝିଲି ଯେ, ତାଙ୍କର ନାମ ମିଷ୍ଟର ମଡ଼ଷ୍ଟୋନ୍; ବୋଧହୁଏ ପିଗୋଟି ମଧ୍ୟ ମୋରି ପରି ତାଙ୍କୁ ଘୃଣା କରୁଥିଲା । ଏଣିକି ମିଷ୍ଟର ମଡ଼ଷ୍ଟୋନ୍ ଆମ ଘରକୁ ବାରମ୍ବାର ଆସିବାକୁ ଲାଗିଲେ । ସେ ମୋତେ ଆଦର ଦେଖାନ୍ତି, ମୋର କେତେ ପ୍ରଶଂସା କରନ୍ତି । ବେଳେ ବେଳେ ମୋର ମୁଣ୍ଡରେ ହାତ ବୁଲାଇଆଣନ୍ତି । କିନ୍ତୁ ମୁଁ କେବେହେଁ ତାଙ୍କୁ ଭଲ ପାଇ ନ ଥିଲି । ତାଙ୍କୁ ଦେଖିଲାକ୍ଷଣି ମୋର ମନ ହୁଏ, ଯେପରି କଅଣ ଗୋଟାଏ ଦୁର୍ଘଟଣା ଘଟିବାକୁ ଯାଉଛି ।

 

ମାଆ ମଧ୍ୟ ଅନେକ ଥର ସନ୍ଧ୍ୟାବେଳେ ମିଷ୍ଟର ମଡ଼ଷ୍ଟୋନଙ୍କ ଘରକୁ ଯାନ୍ତି । ମୁଁ ପିଗୋଟି ପାଖରେ ବସି ମୋ ବହିରୁ କୁମ୍ଭୀର ଗପ ପଢ଼େଁ । ଦିନେ ମୁଁ ବହି ପଢ଼ୁଛି, ପିଗୋଟି ଗୋଟିଏ ଚିରା ମୋଜା ସିଲେଇ କରୁ କରୁ ମୋତେ ପଚାରିଲା, ‘‘ଡେଭି, ତୁମେ ମୋ ସାଥିରେ ୟାର୍‍ମାଉଥ୍ ଯାଇ ମୋ ଭାଇ ପାଖରେ କିଛି ଦିନ ରହିଲେ କିପରି ହୁଅନ୍ତା ? ଭଲ ମଉଜ ହୁଅନ୍ତା-।’’

 

ମୁଁ ମନରେ ଟିକିଏ ସନ୍ଦେହ କରି କହିଲି, ‘‘ତୋ ଭାଇ ଭଲ ମଣିଷ ତ ?’’ ପିଗୋଟି କହିଲା, ‘‘ଓଃ, ଭାରି ସୁନ୍ଦର ମଣିଷ । ସେଠି ସମୁଦ୍ର ଦେଖିବ; ଜାହାଜ, ଡଙ୍ଗା ଦେଖିବ । ସମୁଦ୍ରକୂଳରେ ବୁଲିବ; କେଉଟମାନେ କିପରି ମାଛ ଧରନ୍ତି ଦେଖିବ । ଆଉ ହାମ୍‍ ସାଥିରେ ଖେଳିବ ।’’

 

ପିଗୋଟିଠାରୁ ୟାର୍‍ମାଉଥ୍‍ର ବର୍ଣ୍ଣନା ଶୁଣି ମୁଁ ଆନନ୍ଦରେ କହିଲି, ‘‘ମୁଁ ସେଠାକୁ ଗଲେ ବଡ଼ ମଉଜ ହେବ । ତେବେ ମାଆ ଛାଡ଼ିଲେ ସିନା ଯିବି ?’’

 

‘‘ମୁଁ ନିଶ୍ଚୟ କରି କହିପାରେଁ ଯେ, ମାଆ ଆମକୁ ଯିବାକୁ ଅନୁମତି ଦେବେ ।’’

 

ମୁଁ କହିଲି, ‘‘ଆମେ ଚାଲିଗଲେ ମାଆ କିପରି ରହିବେ ? ସେ ଏକୁଟିଆ ଚଳିବେ କିପରି ?’’ ପିଗୋଟି ସେ ମୋଜା ଆଡ଼କୁ ଚାହିଁ ରହିଲା । ଅନେକ ବେଳଯାଏ କିଛି କହିଲା ନାହିଁ । ତା’ପରେ କହିଲା, ‘‘ହଁ, ଶୁଣିନାହଁ କି, ମାଆ ପରା ଦିନାକେତେ ଯାଇ ମିସେସ୍ ଗ୍ରେପର୍‍ଙ୍କ ପାଖେ ରହିବେ । ତାଙ୍କର କିଛି ଅସୁବିଧା ହେବନାହିଁ ।’’

 

‘‘ତାହାହେଲେ ମୁଁ ଯିବାକୁ ପ୍ରସ୍ତୁତ,’’ ମୁଁ କହିଲି ।

 

ମୁଁ ଏଡ଼େ ଅଧୀର ହୋଇପଡ଼ିଥିଲି ଯେ, ମାଆ ଫେରିଲାକ୍ଷଣି ମୁଁ ତାଙ୍କୁ ୟାର୍‍ମାଉଥ୍‍ ଯିବାକଥା ପଚାରିଲି । ମୁଁ ଭାବିଥିଲି, ମାଆ ବୋଧହୁଏ ବିସ୍ମିତ ହେବେ କିମ୍ବା ନାହିଁ କରିବେ; କିନ୍ତୁ ସେ ସଙ୍ଗେ ସଙ୍ଗେ ମୋର ପ୍ରସ୍ତାବରେ ରାଜିହୋଇଗଲେ । ସେଇ ରାତିରେ ଆମର ଯିବାର ସବୁ ବନ୍ଦୋବସ୍ତ ହୋଇଗଲା । ମୋର ଯିବା ଓ ୟାର୍‍ମାଉଥରେ ରହିବାର ଖରଚ ମାଆ ଦେଲେ । ଯିବାର ଦିନ ଠିକ୍ ହେଲା ।

 

ସେ ଦିନଟି କିପରି ଶୀଘ୍ର ଆସିବ ବୋଲି ମନେମନେ ଭଗବାନ୍‍ଙ୍କୁ ଜଣାଉଥାଏ । ସେଦିନ ସକାଳୁ ଆମ୍ଭେମାନେ ଖିଆପିଆ ସାରି ଘୋଡ଼ାଗାଡ଼ିରେ ବସି ବାହାରିଲୁଁ । ସେତେବେଳର ଆନନ୍ଦ କହିହେବ ନାହିଁ । କିନ୍ତୁ ଏବେ ଜାଣି ପାରୁଛି, ଘରୁ ଯିବା ସଙ୍ଗେ ସଙ୍ଗେ ମୋର ସବୁ ସୁଖ ଚାଲି ଯାଇଥିଲା ।

 

ଗାଡ଼ି ଛାଡ଼ିଲା ବେଳକୁ ମାଆ ଫାଟକ ପାଖକୁ ଦଉଡ଼ିଆସି ମୋତେ ବାରମ୍ବାର ଚୁମ୍ବନ କଲେ । ତାଙ୍କ ଆଖି ଲୁହ ଜରଜର ହୋଇଗଲା । ଗାଡ଼ି ଚାଲିଲା; କିନ୍ତୁ ମାଆ ସେଇଠାରେ ଠିଆହୋଇ ଗାଡ଼ିକୁ ଚାହିଁଥାନ୍ତି । ମୁଁ ମଧ୍ୟ ଗାଡ଼ିଭିତରୁ ତାଙ୍କୁ ଚାହିଁଥାଏ । ମୁଁ ଦେଖିଲି ଯେ, ମିଷ୍ଟର ମଡ଼ଷ୍ଟୋନ୍ ମାଆଙ୍କ ପାଖକୁ ଆସି ଗାଳିଦେଇ କହିଲେ, ‘‘ତମ ମନ ଏତେ ଦୁର୍ବଳ କରୁଛ କାହିଁକି-?’’ ମୁଁ ଭାବୁଥାଏଁ, ‘ସେଥିରେ ତା’ର କଅଣ ହେଲା ?’ ପିଗୋଟି ମଧ୍ୟ ଅସନ୍ତୁଷ୍ଟ ହେଲା ପରି ବୋଧ ହେଉଥିଲା ।

 

ଘୋଡା ମୁଣ୍ଡ ତଳକୁ କରି ଧୀରେ ଧୀରେ ଚାଲୁଥାଏ, ବୋଧହୁଏ ତା’ ପରି ମଠୁଆ ଘୋଡ଼ା ଜଗତରେ ନଥିବ । ଯାହାହେଉ, ଆମେ ଆସି ୟାର୍‍ମାଉଥରେ ପହଞ୍ଚିଲୁ । ହାମ୍ ଆଗରୁ ଆସି ଆମକୁ ସେଠାରେ ଅପେକ୍ଷା କରିଥିଲା । ସେ ବେଶ୍ ସୁସ୍ଥସବଳ ପଞ୍ଚହତା ମଣିଷ । କିନ୍ତୁ ଲୋକଟି ବଡ଼ ସରଳ । ତା’ ମୁହଁଟି ସବୁବେଳେ ହସ ହସ ।

 

ସେ ମୋର ବାକ୍ସଟି ଧରି ମୋତେ ତା’ କାନ୍ଧରେ ବସାଇ ନେଲା । ଆମେ ଗୋଟିଏ ଗଳିଭିତରେ ଗଲୁ । ଦୁଇପାଖେ କେଉଟମାନଙ୍କର ଘର । କେଉଁଠାରେ ଜାଲ ଶୁଖୁଥାଏ, କେଉଁଠାରେ କମାରଶାଳରେ କାମ ଚାଲିଥାଏ, କେଉଁଠାରେ ବା ଜାହାଜର ଦଉଡ଼ି ଜମା ହୋଇଥାଏ । ଶେଷରେ ଆମେ ଗୋଟିଏ ଖୋଲା ଜାଗାରେ ପହଞ୍ଚିଲୁ । ହାମ୍ ହାତ ବଢ଼ାଇ କହିଲା, ‘‘ହେଇଟି ଡେଭି, ତମର ରହିବା ଘର ।’’

 

ମୁଁ ଚାରିଆଡ଼କୁ ଚାହିଁଲି । ସମୁଦ୍ର ପର୍ଯ୍ୟନ୍ତ ଅନେଇ ଦେଖିଲି କିନ୍ତୁ କୌଣସିଠାରେ ଘର ଦେଖି ପାରିଲି ନାହିଁ । ଅଳ୍ପ ଦୂରରେ ଗୋଟାଏ କଳାରଙ୍ଗର ଡଙ୍ଗା ପରି ଜିନିଷ ପଡ଼ିଥିବାର ଦେଖିଲି-। ସେଥିରେ ଗୋଟାଏ ଧୂଆଁ ନଳିରୁ ଅଳ୍ପ ଧୂଆଁ ବାହାରୁଥାଏ । ମୁଁ କହିଲି, ‘‘ସେଇ ଜାହାଜ ପରି ଯେ ଦିଶୁଛି, ସେଟା ତ ନୁହେଁ ?’’

 

ହାମ୍ କହିଲା–‘‘ହଁ, ହଁ, ସେଇ ତୁମର ରହିବା ଘର ।’’

 

ଏପରି ଗୋଟିଏ ସ୍ଥାନରେ ରହିବାକଥା ଭାବି ମୋ ମନରେ ବଡ଼ ଆନନ୍ଦ ହେଲା । ଦେଖିଲି ଯେ, ଏହାର ଗୋଟିଏ ପାଖ କଟା ହୋଇ ଦୁଆର ଓ ଝରକା କରାଯାଇଛି । ମତେ ବେଶି ଭଲ ଲାଗିବାର କାରଣ ହେଉଛି ଯେ, ଏଇଟି ଗୋଟିଏ ପ୍ରକୃତ ଡଙ୍ଗା; କେତେ କାଳ ସମୁଦ୍ର ଉପରେ ଭାସିଥିବ । ଏ ଯେ ଭୂଇଁ ଉପରେ ରହିବ ଓ ସେଥିରେ ପୁଣି ମଣିଷ ଘରେ ରହିଲା ପରି ରହିବେ, ଏକଥା କେହି କେବେହେଲେ କଳ୍ପନା କରି ନ ଥିଲା ।

 

ଜଣେ ସ୍ତ୍ରୀଲୋକ ଓ ଗୋଟିଏ ବାଳିକା ଆସି ଆମକୁ ଅଭ୍ୟର୍ଥନା କଲେ । ବାଳିକାଟି ଖୁବ୍ ସୁନ୍ଦରୀ । ତା’ ବେକରେ ନୀଳ ରଙ୍ଗର ଗୋଟିଏ ମାଳି ପଡ଼ିଥାଏ । ମୁଁ ତାକୁ ପାଖକୁ ଡାକିବାରୁ ସେ ପଳାଇଯାଇ ଲୁଚିଲା ।

 

ଆମ୍ଭେମାନେ ଖାଇଲୁ । ଖାଇବା ପଦାର୍ଥ ମଧ୍ୟରେ ମାଛ ପ୍ରଧାନ ସ୍ଥାନ ଅଧିକାର କରିଥିଲା । ମୋ’ପାଇଁ ବିଶେଷ ଭାବରେ କେତୋଟି ଜିନିଷ ତିଆରି ହୋଇଥିଲା । ଆମେ ଖାଇ ସାରିବା ବେଳକୁ ଜଣେ ଲୋକ ଆସି ପହଞ୍ଚିଲେ । ତାଙ୍କର ପିଗୋଟି ସହିତ କଥାବାର୍ତ୍ତାରୁ ମୁଁ ବୁଝିଲି ଯେ, ସେ ହେଉଛନ୍ତି ତା’ର ଭାଇ ମିଷ୍ଟର ପିଗୋଟି । ସେ ଘରର ମୁରବି ।

 

ମିଷ୍ଟର ପିଗୋଟି ମୋତେ ନମସ୍କାର ଜଣାଇ କହିଲେ, ‘‘ଆପଣଙ୍କୁ ଦେଖି ବଡ଼ ଖୁସିହେଲି । ଆମେମାନେ ମୂଲିଆଲୋକ, ତେବେ ଆପଣଙ୍କ ପାଇଁ ଯେକୌଣସି କାମ କରିବାକୁ ଆମେ ସବୁବେଳେ ପ୍ରସ୍ତୁତ ।’’

 

ମୁଁ ତାଙ୍କୁ ଧନ୍ୟବାଦ ଜଣାଇ କହିଲି, ‘‘ଏପରି ସୁନ୍ଦର ସ୍ଥାନରେ କିଛି ଦିନ ରହିଲେ, ମୁଁ ବଡ଼ ଆନନ୍ଦିତ ହେବି ।’’

 

ସ୍ତ୍ରୀ ବ୍ୟକ୍ତିଟି ଜଣେ ବିଧବା ବୁଢ଼ୀ । ତାଙ୍କ ନାମ ମିସେସ୍ ଗମିଜ୍ । ସେ ସେହି ଘରଟିକୁ ସଫାସୁତୁରା ରଖିଥାନ୍ତି । ଝିଅଟିର ନାମ ଏମିଲି । ସେ ମିଷ୍ଟର ପିଗୋଟିଙ୍କର ଝିଆରୀ । ଏମିଲି ସଙ୍ଗେ ମୋର ଗୋଟାଏ ବିଷୟରେ ସାମ୍ୟ ଥିଲା । ମୁଁ ଯେପରି ଜୀବନରେ ମୋର ବାପାଙ୍କୁ ଦେଖିନଥିଲି, ଏମିଲି ମଧ୍ୟ ସେହିପରି ତା’ର ବାପାଙ୍କୁ ଦେଖି ନ ଥିଲା । ତା’ର ମାଆ ମଧ୍ୟ ମରିଯାଇଥିଲେ । ଆମେ ଦୁହେଁ ସମୁଦ୍ରକୂଳ ବାଲିରେ ଖେଳୁଁ । ମୁଁ ତାକୁ ମୋର ମାଆଙ୍କ କଥା ଓ ବଡ଼ ହେଲେ କିପରି ମାଆଙ୍କୁ ସାହାଯ୍ୟ କରିବି, ସେ କଥା କହେଁ ।

 

କ୍ରମେ ମୁଁ ଏମିଲିକୁ ବଡ଼ ଆଦର ସ୍ନେହ କଲି । ସେ ମଧ୍ୟ ମୋତେ ସେହିପରି ସ୍ନେହ କଲା । ଆମର ଦିନଗୁଡ଼ିକ ଅତି ସୁଖରେ କଟି ଯାଉଥାଏ । ମୋର ଘରକୁ ଫେରିବା ସମୟ ନିକଟ ହୋଇ ଆସିଲା । ଦୁହିଁଙ୍କ ମନରେ ବଡ଼ ଦୁଃଖ ହେଲା । ବିଦାୟ ନେଲା ବେଳେ ଆମ ଦୁହିଁଙ୍କ ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା । ମୋ ହୃଦୟରେ ସେଦିନ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଥିଲା, ତା’ କେବେ ପୂର୍ଣ୍ଣ ହୋଇପାରିବ ନାହିଁ ।

 

ମୁଁ ୟାର୍‍ମାଉଥରେ ଦୁଇ ସପ୍ତାହ ଥିଲି । ଏହି ସମୟରେ ମୁଁ ଭ୍ରମରେ ସୁଦ୍ଧା ଥରେ ଘରକଥା ଭାବି ନ ଥିଲି । କିନ୍ତୁ ଫେରିଲା ବେଳକୁ ମୁଁ ଘର ଛଡ଼ା ଆଉ କିଛି ଭାବିପାରିଲି ନାହିଁ । ଗାଡ଼ି ଧୀରେ ଧୀରେ ଚାଲୁଥିବାରୁ ମୁଁ ବ୍ୟସ୍ତ ହେଉଥାଏ । ମାଆକୁ ଦେଖିବି ବୋଲି ମୋ ମନ ଅସ୍ଥିର । କିନ୍ତୁ ପିଗୋଟିର ମନ ଯେପରି ଅନ୍ୟ କେଉଁଆଡ଼େ ଥାଏ ।

 

ଶେଷରେ ଗାଡ଼ି ଆସି ଆମ ଘରପାଖେ ପହଞ୍ଚିଲା । ସେଦିନ ମେଘୁଆ ପାଗ ହୋଇଥାଏ । ମୁଁ ଗାଡ଼ିରୁ ଓହ୍ଲେଇ ମାଆକୁ ଦେଖିବି ବୋଲି ହସ ହସ ହୋଇ ଦ୍ୱାରମୁହଁକୁ ଗଲି । କିନ୍ତୁ ଜଣେ ଅଚିହ୍ନା ଲୋକ ଆସି କବାଟ ଫିଟେଇଲା । ମୁଁ ବିସ୍ମିତ ହୋଇ ପିଗୋଟିକୁ ପଚାରିଲି, ‘‘ମାଆ କଅଣ ଆଜିଯାଏ ମିସେସ୍ ଗ୍ରେପରଙ୍କ ଘରୁ ଆସି ନାହାନ୍ତି ?’’

 

ପିଗୋଟି କହିଲା, ‘‘ହଁ, ଆସିଛନ୍ତି । ରହ ଡେଭି, ମୁଁ ତମକୁ ଗୋଟିଏ କଥା କହିବି ।’’

 

ମୋ ମନରେ ଗୋଟାଏ ଅଜଣା ଆଶଙ୍କା ଜନ୍ମିଲା । ମୁଁ କହିଲି, ‘‘ପିଗୋଟି, କଥା କଅଣ-?’’

 

ପିଗୋଟି ଟିକିଏ ହସି ହସି କହିଲା, ‘‘ନାହିଁ, ସେମିତି କିଛି ନାହିଁ ।’’

 

ମୁଁ କହିଲି, ‘‘ନିଶ୍ଚୟ କଅଣ କଥା ଅଛି । ମାଆ କାହାନ୍ତି ?’’

 

ପିଗୋଟି କିପରି ରହି ରହି କହିଲା, ‘‘ଡେଭି, ତମେ ଭଲା କଅଣ ଭାବୁଛ ? ...ତମର ଗୋଟିଏ ବାପା... ।’’

 

ମୋ ଦେହଟା ଥରିଗଲା । ମୋ ମୁହଁ କଳାପଡ଼ିଗଲା । ‘ବାପା’ ଏଇ ଶବ୍ଦଶୁଣିଲାକ୍ଷଣି ମୋର କବର କଥା ମନେପଡ଼ିଲା । ମୋର ମନେପଡ଼ିଲା, କିପରି ଦିନେ ସବୁ ମଲା ମଣିଷ କବରରୁ ଉଠିବେ, ଇତ୍ୟାଦି ।

 

ପିଗୋଟି ପୁଣି କହିଲା, ‘‘ଗୋଟିଏ ନୂଆ ବାପା ! ଆସ, ତାଙ୍କୁ ଦେଖିବ ।’’

 

ମୋ ମନ କଅଣ ହୋଇଯାଉଥାଏ । ମୁଁ କହିଲି, ‘‘ନା, ମୁଁ ତାଙ୍କୁ ଦେଖିବାକୁ ଯିବି ନାହିଁ-।’’ ଏହା କହି ମୁଁ ପଛକୁ ଘୁଞ୍ଚି ଆସିଲି । ପିଗୋଟି କହିଲା, ‘‘ତେବେ ମାଆଙ୍କୁ ଦେଖିବ ଚାଲ-।’’

 

ଦ୍ୱିରୁକ୍ତି ନ କରି ମୁଁ ବାହାର ଘରକୁ ଚାଲିଲି । ସେ ଘରେ ମାଆ ଗୋଟିଏ ପାଖରେ ବସି କଅଣ ଗୋଟାଏ ବୁଣୁଥିଲେ । ଆରପାଖେ ମିଷ୍ଟର ମଡ଼ଷ୍ଟୋନ । ମାଆ ମୋତେ ଦେଖିଲାକ୍ଷଣି ଛୁଞ୍ଚି ସୂତା ଫିଙ୍ଗିଦେଇ ଛିଡ଼ା ହୋଇଗଲେ । ମୋତେ ବୋଧ ହେଲା ଯେପରି ତାଙ୍କ ମନରେ ଟିକିଏ ଭୟ ଥିଲା । ଏହି ସମୟରେ ମିଷ୍ଟର ମଡ଼ଷ୍ଟୋନ ମାଆଙ୍କୁ କହିଲେ, ‘‘କ୍ଳାରା, ମନେରଖ, ନିଜର ମନକୁ ଦୃଢ଼ କର ।’’ ମୋତେ ଚାହିଁ ସେ ପଚାରିଲେ, ‘‘ଡେଭି, ସବୁ ଭଲ ତ ?’’

 

ମୁଁ ମିଷ୍ଟର ମଡ଼ଷ୍ଟୋନଙ୍କ ସହିତ କରମର୍ଦ୍ଦନ କରି ମାଆଙ୍କୁ ଚୁମ୍ବନ ଦେଲି । ସେ ମଧ୍ୟ ମୋତେ ଚୁମ୍ବନ ଦେଇ ମୋ ଦେହରେ ହାତ ବୁଲାଇଦେଲେ । ତା’ପରେ ସେ ନିଜ ଆସନରେ ବସି ବୁଣିବା କାମରେ ଲାଗିଲେ । ମୁଁ ମାଆଙ୍କୁ ଚାହିଁ ପାରିଲି ନାହିଁ କି ମିଷ୍ଟର ମଡ଼ଷ୍ଟୋନଙ୍କୁ ଚାହିଁ ପାରିଲି ନାହିଁ । କିନ୍ତୁ ସେ ଆମ ଦୁହିଁଙ୍କୁ ଚାହିଁଥାନ୍ତି । ମୁଁ ନିରୁପାୟ ହୋଇ ଝରକା ଆଡ଼କୁ ଚାହିଁଥାଏ ।

 

ଅଳ୍ପ ସମୟ ପରେ ମୁଁ ଉପର ମହଲାକୁ ଗଲି । ଦେଖିଲି ଯେ, ମୋର ଶୋଇବା ଘରଟି ବଦଳିଯାଇଛି । ମୋର ବିଛଣାଟି ମାଆଙ୍କ ବିଛଣାଠାରୁ ବହୁ ଦୂରରେ ପଡ଼ିଛି । ତଳ ମହଲାକୁ ଗଲି-। ସେଠାରେ ମଧ୍ୟ ସବୁ ବଦଳି ଯାଇଥିବାର ଦେଖିଲି । ଅଗଣାକୁ ଗଲି । ମେଲା କୁକୁରଘର ଭିତରେ ଗୋଟିଏ କୁକୁର ଥିବାର ଦେଖାଗଲା । ତା’ର ଲୋମାଗୁଡ଼ା କଳା ଓ ଲମ୍ବା । ମୋତେ ଦେଖି ସେ ଭୁକି କାମୁଡ଼ିବାକୁ ବାହାରିଲା । ଏସବୁ ପରିବର୍ତ୍ତନ ଦେଖି ମୋ ମନଟା କିପରି ଦବିଗଲା-। ଟିକିଏ ହେଲେ ଶାନ୍ତି ଆସିଲା ନାହିଁ।

☆☆☆

 

ପୁରୁଣା ଘରେ ନୂଆ ବାପା

 

ମୁଁ ଚୁପ୍ କରି ଯାଇ ଆପଣା ବିଛଣାରେ ପଡ଼ିଗଲି । ମୋ ଭାଗ୍ୟକୁ ମନେମନେ ଶତ ଧିକ୍‍କାର କରୁଥାଏ । କାନ୍ଦି କାନ୍ଦି କେତେବେଳେ ଶୋଇପଡ଼ିଛି ଜାଣେନା । ମାଆ ଓ ପିଗୋଟି ମୋ ପାଖେ ପହଞ୍ଚିଲେ । ମାଆଙ୍କ ଡାକରେ ମୋର ନିଦ ଭାଙ୍ଗିଗଲା । ସେ କହିଲେ, ‘‘ଧନ, ତୋର କଅଣ ହୋଇଛି କହିଲୁ ?’’

 

ମୁଁ ମିଷ୍ଟର ମଡ଼ଷ୍ଟୋନଙ୍କଠାରୁ କିପରି ବ୍ୟବହାର ପାଉଥିଲି, ତା’ ମାଆଙ୍କୁ ଜଣା । ତାଙ୍କଠାରୁ ଏ ପ୍ରଶ୍ନ ଶୁଣି ମୁଁ ବିସ୍ମିତ ହୋଇ କହିଲି, ‘‘ନା, କିଛି ହୋଇନାହିଁ ।’’ ଦୁଃଖ ଓ ଅପମାନରେ ଛାତି ବିଦାରି ହୋଇ ଯାଉଥାଏ । ମୁଁ ମୁହଁ ମାଡ଼ି ପଡ଼ିରହିଲି । ମା ସେଥିରୁ ମୋ ମନର କଥା ବୁଝିପାରିଥିଲେ । ସେ କାନ୍ଦ କାନ୍ଦ ହୋଇ କହିଲେ, ‘‘ଡେଭି, ମୋ ସୁନା, ମୋ ଧନ...’’ ଆଉ କିଛି କହିପାରିଲେ ନାହିଁ ।

 

ତାଙ୍କର ଏଇ କଥାରେ ମୁଁ ତରଳିଯାଇ ବିଛଣାରେ ଲୁହ ପୋଛିଦେଲି । ସେ ମୋତେ ବିଛଣାରୁ ଟେକି ଆଣିବାକୁ ହାତ ବଢ଼ାଉଥିଲେ, ଏହି ସମୟରେ ମିଷ୍ଟର ମଡ଼ଷ୍ଟୋନ ମୋର ବାହୁ ଉପରେ ହାତ ରଖି ମୋ ମାଆଙ୍କୁ କହିଲେ, ‘‘କ୍ଳାରା, ଏ କ’ଣ କରୁଛ ! ମୋ କଥା କଅଣ ଭୁଲିଗଲ-? ନିଜର ମନକୁ ଦୃଢ଼ କର ।’’

 

ମାଆ ରହି ରହି କହିଲେ, ‘‘ମୁଁ ସେଥିପାଇଁ ଦୁଃଖିତ । କିନ୍ତୁ ମୋର ଉଦ୍ଦେଶ୍ୟ, ଯଦି ସ୍ନେହ ଦେଖାଇ... ।’’

 

ମଡ଼ଷ୍ଟୋନ–‘‘ତୁମେ ତଳକୁ ଯାଅ ! ମୁଁ ଓ ଡେଭି ପରେ ଯିବୁ ।’’

 

ମାଆ ଚାଲିଗଲେ । ମଡ଼ଷ୍ଟୋନ ଘରର ଦ୍ୱାର ବନ୍ଦ କରି ଗୋଟିଏ ଚଉକି ଉପରେ ବସିଲେ । ମୋତେ ତାଙ୍କ ଆଗେ ଛିଡ଼ା କରାଇ ମୋ ଆଖିକୁ ଚାହିଁରହି କହିଲେ, ‘‘ଡେଭି, କହତ ଯଦି ଗୋଟାଏ କୁକୁର କି ଘୋଡ଼ା ଦୁଷ୍ଟାମି କରିବ, ମୋ କଥା ମାନିବ ନାହିଁ, ମୁଁ କଅଣ କରିବି ?’’

 

ମୁଁ କିଛି ଉତ୍ତର ଦେଇ ପାରିଲି ନାହିଁ ।

 

ମଡ଼ଷ୍ଟୋନ–‘‘ମୁଁ ତାକୁ ମାଡ଼ ଦେବି । ତାକୁ ଯେପରି ହେଉ ଜବତ୍ କରିବି । ଛାଟ ମାରି ମାରି ତା’ ଦେହରୁ ରକ୍ତ ବାହାର କରିବି । ଆଚ୍ଛା, ତୋ ମୁହଁ କାହିଁକି ସେପରି ଦିଶୁଛି ?’’

 

ମୁଁ କହିଲି, ‘‘ମଇଳା ଲାଗିଛି ।’’ ପ୍ରକୃତରେ ମୁହଁରେ ଲୁହ ଲାଗି ସେପରି ମଇଳା ଦିଶୁଥିଲା । ମଡ଼ଷ୍ଟୋନ ହୁଏତ ଜାଣି ପାରିଥିବେ । କିନ୍ତୁ ମୁଁ ଏହା ଛଡ଼ା ଅନ୍ୟ କିଛି କାରଣ ଦେଇ ପାରିଲି ନାହିଁ ।

 

ମଡ଼ଷ୍ଟୋନ ଗମ୍ଭୀର ଭାବରେ ହସି କହିଲେ, ‘‘ପିଲାଟି ଛୋଟ ହେଲେ ବି ତା’ର ବୁଦ୍ଧି କମ୍ ନୁହେଁ । ଯା, ମୁହଁ ଧୋଇ ଆସ । ମୋ ସାଥିରେ ତଳକୁ ଯିବୁ ।’’

 

ମୁଁ ମୁହଁ ଧୋଇ ଆସିବା ପରେ ସେ ମୋତେ ନେଇ ଦାଣ୍ଡଘରକୁ ଗଲେ ।

 

ପଦେ ମଧୁର କଥାରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଘଟିପାରେ । ମୁଁ ଯେବେ ପଦେ ମିଠାକଥା ଶୁଣିଥାନ୍ତି, ଘରକୁ ନିଜର ବୋଲି ଭାବିବାର ସୁବିଧା ପାଇଥାନ୍ତି, ତେବେ ମୋର ନୂଆ ବାପାଙ୍କ ପ୍ରତି ସ୍ନେହ, ଭକ୍ତି ଆସିଥାନ୍ତା । କିନ୍ତୁ ତାଙ୍କର ବ୍ୟବହାର ଫଳରେ ମୁଁ କେବଳ ତାଙ୍କୁ ଘୃଣା କଲି ।

 

ମାଆ ମୋତେ ଆଦର କରୁଥିଲେ; କିନ୍ତୁ କେବଳ ମିଷ୍ଟର ମଡ଼ଷ୍ଟୋନଙ୍କ ଅଜ୍ଞାତରେ । ତାଙ୍କ ଆଗରେ ସେ କେବେହେଲେ ମୋତେ ସ୍ନେହରେ ପଦେ କଥା କହନ୍ତି ନାହିଁ । ମୁଁ ସ୍ପଷ୍ଟ ଜାଣି ପାରିଥିଲି ଯେ, ମୋ ମାଆଙ୍କର ତାଙ୍କୁ ବଡ଼ ଭୟ । ପିଗୋଟି ମଧ୍ୟ ତାଙ୍କୁ ଡରି ମୋ ପାଖରୁ ଦୂରରେ ରହୁଥିଲା । ମୁଁ ଘର ଭିତରେ ଏକୁଟିଆ ରହିଥାଏ । ମିଷ୍ଟର ମଡ଼ଷ୍ଟୋନ ଥିଲେ କଠୋରତାର ପ୍ରତିମୂର୍ତ୍ତି । ସେ ଯାହା ଚାହୁଁଥିଲେ, ତାହା ହେଉଥିଲା । କେହି ତାଙ୍କ ମତ ବିରୁଦ୍ଧରେ ପଦେ କହିବାକୁ ସାହସ କରୁନଥିଲେ ।

 

କିଛିଦିନ ପରେ ମିଷ୍ଟର ମଡ଼ଷ୍ଟୋନଙ୍କ ଭଉଣୀ ଆସି ଉପସ୍ଥିତ ହେଲେ । ସେ ଆସିବା ପରଦିନଠାରୁ ଘରର ସମସ୍ତ ବିଷୟ ବୁଝିଲେ । ତାଙ୍କର କଠୋରତା କୌଣସିମତେ ଊଣା ନ ଥିଲା-। କଠୋରତାରେ ଭାଇଭଉଣୀ ସମାନ । ଭାଇଭଉଣୀଙ୍କ ଭିତରେ ପରାମର୍ଶ ହେଲା ଯେ, ମୋତେ ଗୋଟିଏ ସ୍କୁଲରେ ପଢ଼ିବା ପାଇଁ ପଠାଇ ଦିଆଯିବ । ମାଆଙ୍କ ମତର ବା କି ମୂଲ୍ୟ ? ସେ ତାଙ୍କ ସଙ୍ଗେ ଏକମତ ହେବାକୁ ବାଧ୍ୟ ।

 

ପ୍ରସ୍ତାବ କାର୍ଯ୍ୟରେ ପରିଣତ ହୋଇ ନ ଥାଏ । ମୁଁ ଘରେ ପଢ଼ୁଥାଏ । ଓଃ ସେ ପାଠପଢ଼ା ଜୀବନରେ ମୁଁ ଭୁଲିପାରିବି ନାହିଁ । ମାଆ ପାଖରେ ବସିଥାନ୍ତି; କିନ୍ତୁ ପ୍ରକୃତରେ ପଢ଼େଇବାର ଭାର ନେଇଥାନ୍ତି ମିଷ୍ଟର ମଡ଼ଷ୍ଟୋନ ଓ ତାଙ୍କର ଭଉଣୀ । ବୋଧହୁଏ, ମାଆଙ୍କୁ ‘ଦୃଢ଼ତା’ ଶିଖାଇବା ପାଇଁ କେବଳ ବସାଇଥାନ୍ତି । ଏଥି ପୂର୍ବରୁ ମୁଁ ମାଆଙ୍କ ପାଖେ ବସି ପଢ଼ୁଥିଲି । ମାଆଙ୍କ ପାଖେ ଯାହା ଶିଖିଥାଏ, ତାକୁ ପୁଣି ପିଗୋଟି ପାଖରେ ପଢ଼ି ଶୁଣାଉଥାଏ । ପ୍ରଥମେ ବହି ପଢ଼ିଲାବେଳେ ମୋର କି ଆଗ୍ରହ ! ଏବେ ସୁଦ୍ଧା ସେ ବହିର ବଡ଼ ଅକ୍ଷରଗୁଡ଼ିକ ମୋ ଆଖିଆଗରେ ନାଚିଯାଉଛି । ମାଆଙ୍କର ମଧୁର ବ୍ୟବହାର ଓ ପଢ଼େଇବା ରୀତିରେ ମୋର ନୂଆ ନୂଆ କଥା ଶିଖିବାକୁ ଇଚ୍ଛା ବଳୁଥିଲା ।

 

କିନ୍ତୁ ଏ ନୂଆ ଧରଣର ପାଠପଢ଼ାରେ ମୋ ମନରେ ଟିକିଏ ହେଲେ ଶାନ୍ତି ରହିଲା ନାହିଁ-। ପାଠପଢ଼ା ମୋର ଦୁଃଖର କାରଣ ହେଲା । ମୁଁ ବହିରୁ କଅଣ ପଢ଼େ, କିଛି ବୁଝିପାରେ ନାହିଁ-। ଖାଇସାରି ମୁଁ ଖଣ୍ଡେ ଖାତା, ଖଣ୍ଡେ ସ୍ଲେଟ ଓ କେତେ ଖଣ୍ଡ ବହି ଧରି ଦାଣ୍ଡ ଘରକୁ ଆସେ-। ମାଆ ଓ ତାଙ୍କ ପାଖରେ ମିସ୍ ମଡ଼ଷ୍ଟୋନ ଆଗରୁ ଆସି ବସିଥାନ୍ତି । ଟିକିଏ ଦୂରରେ ମିଷ୍ଟର ମଡ଼ଷ୍ଟୋନ ଖଣ୍ଡେ ବହି ଧରି ପଢ଼ୁଥାନ୍ତି । ସେ ନିଜେ ପଢ଼ିବା ଅପେକ୍ଷା ମୋ ଉପରେ ବେଶି ଦୃଷ୍ଟି ରଖିଥାନ୍ତି-। ସେହିପରି ମିସ୍ ମଡ଼ଷ୍ଟୋନ ଅନ୍ୟ କିଛି କାମ କରୁଥିଲେ ହେଁ ମୋ ଉପରେ ପୂରା ଆଖି ରଖିଥାନ୍ତି-। ମୁଁ ଖୁବ୍ ଚେଷ୍ଟା କରି ପଢ଼ା ତିଆରି କରିଥାଏ; କିନ୍ତୁ ଏ ଭାଇଭଉଣୀଙ୍କୁ ଚାହିଁଲାକ୍ଷଣି ସବୁ କୁଆଡ଼େ ମୋ ମୁଣ୍ଡରୁ ଚାଲିଯାଏ ।

 

ବ୍ୟାକରଣ, ଇତିହାସ, ଭୂଗୋଳ ପ୍ରଭୃତି ବହି ଭିତରୁ ମୁଁ ଖଣ୍ଡିଏ ମାଆଙ୍କ ହାତକୁ ବଢ଼ାଇଦିଏଁ । ମୋ ପାଠକୁ ମୁଁ ଗାଇଯାଏଁ । କୌଣସିଠାରେ ରହିଗଲେ କିମ୍ବା କୌଣସି ଶବ୍ଦ ଭୁଲ୍‍ ହୋଇଗଲେ ସେ ଦୁହେଁ ମୋ ଆଡ଼କୁ କଟମଟ କରି ଅନାନ୍ତି । ତାଙ୍କ ଭୟରେ ମୋର ଭୁଲ୍‍ ପରେ ଭୁଲ୍‍ ହୋଇଚାଲେ, ଶେଷକୁ ଆଉ ତୁଣ୍ଡ ଲେଉଟେ ନାହିଁ । ମାଆ ମୋତେ କହି ଦେଉଥାନ୍ତେ କିମ୍ବା ବହି ଦେଖାଇ ଦେଉଥାନ୍ତେ; କିନ୍ତୁ ତାଙ୍କର ସେତେ ସାହସ ହେବ କାହୁଁ ? ସେ ଧୀରଭାବରେ କହନ୍ତି, ‘‘ଡେଭି, ମୋ ଡେଭି !’’

 

ତେଣେ ମିଷ୍ଟର ମଡ଼ଷ୍ଟୋନ କହିଉଠନ୍ତି, ‘‘କ୍ଳାରା, ପିଲା ପ୍ରତି କଠୋର ବ୍ୟବହାର ନ କଲେ ପାଠ ହେବ ନାହିଁ । ‘ଡେଭି, ମୋ ଡେଭି’ ଏପରି କହିଲେ କଅଣ ପାଠ ହେବ ? ସେ ସବୁ ପିଲାଳିଆ କଥା । ତାକୁ ପାଠ ଆସୁଛି କି ଆସୁନାହିଁ ?’’

 

ମିସ୍ ମଡ଼ଷ୍ଟୋନ–ତାକୁ ପାଠ ଆସୁନାହିଁ ।

 

ମାଆ–ବାସ୍ତବରେ ଦୁଃଖର କଥା, ସେ ପଢ଼ା କରି ପାରିନାହିଁ ।

 

ମିସ୍ ମଡ଼ଷ୍ଟୋନ–ତେବେ ତାକୁ ବହି ଫେରାଇ ଦିଅ । ସେ ପୁଣି ପଢ଼ା ତିଆରି କରୁ ।

 

ମାଆ–ହଁ ନିଶ୍ଚୟ, ମୁଁ ସେହି କଥା ଭାବିଥିଲି । ଡେଭି, ନେ, ବହି ନେଇ ଆଉ ଥରେ ଚେଷ୍ଟାକର । ବୋକାମି କରନା ।

 

ଏହି ପ୍ରକାର ଶିକ୍ଷାର ଫଳରେ ମୋର ବିରକ୍ତି ଦିନକୁ ଦିନ ବଢ଼ିଲା । ମାଆଙ୍କ ସାଥିରେ ନିରୋଳାରେ ମିଶିବାକୁ ମୋତେ ଟିକିଏ ସୁବିଧା ମିଳୁ ନ ଥିଲା । ମୋର ମିଜାଜ୍ ଦିନକୁ ଦିନ ଖରାପ ହେଲା ।

 

ଏହିପରି ପ୍ରାୟ ଛ ମାସ ଯାଏ ପଢ଼ାଚାଲିଲା । ଦିନେ ସକାଳେ ପଢ଼ିବା ଜାଗାକୁ ଯାଇ ଦେଖିଲି ଯେ, ମାଆ ବଡ଼ ଚିନ୍ତିତ ହୋଇ ବସିଛନ୍ତି । ମିସ୍ ମଡ଼ଷ୍ଟୋନଙ୍କ ମୁହଁ ବିଶେଷ କଠୋର ଜଣାପଡ଼ୁଥାଏ । ମିଷ୍ଟର ମଡ଼ଷ୍ଟୋନ ଟିକିଏ ଦୂରରେ ରହି ଖଣ୍ଡିଏ ବେତର ଗୋଟିଏ ମୁଣ୍ଡରେ କଅଣ ଗୁଡ଼ାଉଥାନ୍ତି । ମୁଁ ଆସିଲାକ୍ଷଣି ସେ ବେତଟାକୁ ଧରି ଦୁଇ ତିନିଥର ହଲାଇଦେଲେ । ସେ କହିଲେ, ‘‘ଦେଖ ଡେଭିଡ୍, ଆଜି ଖୁବ୍ ସାବଧାନରେ ପଢ଼ା ଦେବୁ ।’’ ଏହା କହି ସେ ଆଉ ଥରେ ବେତଟାକୁ ହଲାଇଲେ । ତା’ପରେ ବେତକୁ ତଳେ ରଖିଦେଇ ତାଙ୍କ ବହି ଧରି ବସିଲେ ।

 

ଆଜିର ଏ ଉପକ୍ରମରେ ମୋ ମନରୁ ସବୁ ପାଠ କୁଆଡ଼େ ପୋଛି ହୋଇଗଲା । ଆଗେ ଗୋଟାଏ ଗୋଟାଏ ଶବ୍ଦ ମନେପଡ଼ୁନଥିଲା; କିନ୍ତୁ ସେ ଦିନ କୌଣସି ପୃଷ୍ଠାର କିଛି ମନେପଡ଼ିଲା ନାହିଁ । ମୁଁ ମନେପକାଇବାକୁ ଚେଷ୍ଟା କଲି, ମାତ୍ର କିଛି ଫଳ ହେଲା ନାହିଁ।

 

ମୁଁ ଭାବିଥିଲି ଯେ ମୋର ପଢ଼ା ଠିକ୍ ହୋଇଛି; ମାଆ ଯାହା ପଚାରିବେ କହିପାରିବି । କିନ୍ତୁ କାର୍ଯ୍ୟରେ, ତା’ର ଓଲଟା ହେଲା । ଯେଉଁ ବହିରୁ ଯାହା ପଚରାଗଲା, ମୁଁ ଭୟରେ କିଛି କହିପାରିଲି ନାହିଁ । ଏଣେ ମିସ୍ ମଡ଼ଷ୍ଟୋନ ମୋତେ ଓ ମାଆଙ୍କୁ ଚାହିଁ ରହିଥାନ୍ତି । ମୁଁ କିଛି ଉତ୍ତର କରି ନ ପାରିବାର ଦେଖି ମାଆ କାନ୍ଦ କାନ୍ଦ ହୋଇଗଲେ । ମିସ୍ ମଡ଼ଷ୍ଟୋନ ମାଆଙ୍କୁ ସାବଧାନ କରି କହିଲେ, ‘‘କ୍ଳାରା, ସେ କଅଣ ?’’

 

ମିଷ୍ଟର ମଡ଼ଷ୍ଟୋନ ବର୍ତ୍ତମାନ ପଢ଼ୁଥିବା ବହି ଖଣ୍ଡିକ ତଳେ ରଖି ହାତରେ ବେତ ଧରି ଛିଡ଼ା ହୋଇଗଲେ । ସେ କହିଲେ, ‘‘ଡେଭିଡ, ମୋ ସାଥିରେ ଉପରକୁ ଚାଲ ।’’

 

ସେ ମୋ ହାତ ଧରି ଉପର ମହଲାକୁ ନେଇଗଲେ । ଉପରେ ପହଞ୍ଚିଲାକ୍ଷଣି ସେ ହଠାତ୍ ମୋ ମୁଣ୍ଡକୁ ନେଇ ତାଙ୍କ ବାହୁତଳେ ମାଡ଼ିବସିଲେ ।

 

ମୁଁ ଚିତ୍କାର କରି କହିଲି, ‘‘ମିଷ୍ଟର ମଡ଼ଷ୍ଟୋନ, ଦୟାକରି ମୋତେ ଛାଡ଼ି ଦିଅନ୍ତୁ । ମାରନ୍ତୁ ନାହିଁ । ମୋର କିଛି ଦୋଷ ନାହିଁ ମୁଁ ପଢ଼ିବାକୁ ଖୁବ୍ ଚେଷ୍ଟା କରିଛି । କିନ୍ତୁ ଆପଣଙ୍କୁ ଓ ମିସ୍ ମଡ଼ଷ୍ଟୋନଙ୍କୁ ଦେଖି ମୁଁ କିଛି କହିପାରିଲି ନାହିଁ । ମୋର ଚାରା କ’ଣ ?’’

 

ସେ ଦୃଢ଼ ଭାବରେ ମୋ ମୁଣ୍ଡକୁ ଧରିଥିଲେ । କିନ୍ତୁ ମୁଁ କୌଣସିମତେ ଟିକିଏ ମୁଣ୍ଡକୁ ବୁଲାଇ ଆକୁଳ ହୋଇ ନ ମାରିବାକୁ କହିଲି । ସେ ମୋ କଥା ନ ଶୁଣି ବେତରେ ପିଟି ଦେଇଗଲେ-। ମୁଁ ମଧ୍ୟ ଦାନ୍ତରେ ତାଙ୍କ ହାତରୁ ପୁଳାଏ କାମୁଡ଼ି ଧରିଲି ।

 

ମୋ ପିଠିରେ ପାହାର ଉପରେ ପାହାର ଚାଲିଥାଏ । ବୋଧହୁଏ, ସେ ପିଟି ପିଟି ମୋତେ ମାରି ପକାଇଥାନ୍ତେ; କିନ୍ତୁ ଆମର ପାଟି ଶୁଣି ତଳୁ ମାଆ ଓ ପିଗୋଟି ଧାଇଁ ଆସିଲେ । ତା’ପରେ ସେ ମୋତେ ଘର ଭିତରେ ରଖି ବାହାରୁ ତାଲା ବନ୍ଦ କରି ଚାଲିଗଲେ । ମୁଁ ତଳେ ପଡ଼ିରହିଲି ।

 

କେତେବେଳ ଯାଏ କାନ୍ଦି କାନ୍ଦି ତୁନି ହେଲି । ସେତେବେଳକୁ ସବୁଆଡ଼ ନିସ୍ତବ୍ଧ । ମୁଁ ଭାବିବାକୁ ଲାଗିଲି । ରାଗରେ ଏପରି ଗୋଟାଏ ଖରାପ କାମ କରିପକାଇଲି ବୋଲି ମନରେ ଦୁଃଖ ହେଲା ।

 

କିଛି ସମୟ ପରେ ମୁଁ ଉଠି ଦର୍ପଣରେ ଆପଣାର ମୁହଁକୁ ଦେଖିଲି । କାନ୍ଦି କାନ୍ଦି ଆଖି ଲାଲ ପଡିଯାଇଥାଏ, ମୁହଁ ଫୁଲି ଯାଇଥାଏ, ପିଠି ବେତମାଡ଼ରେ ଫାଟି କଷ୍ଟ ହେଉଥାଏ । ଏସବୁ ଭିତରେ ମୁଁ ମୋର ଦୁର୍ଦ୍ଦଶା କଥା ଭାବି ମଝିରେ ମଝିରେ କାନ୍ଦି ପକାଉଥାଏ ।

 

ସେ ଘର ଭିତରେ ମୋତେ ପାଞ୍ଚଦିନଯାଏ ବନ୍ଦୀ ହୋଇ ରହିବାକୁ ପଡ଼ିଥିଲା । ମୁଁ ମାଆଙ୍କୁ କିମ୍ବା ପିଗୋଟିକୁ ଏଥିମଧ୍ୟରେ ଦେଖି ନ ଥିଲି । ଦିନ ଭିତରେ ମିସ୍ ମଡ଼ଷ୍ଟୋନ ଦୁଇଥର ଆସି ମୋତେ ଖାଇବାକୁ ଦେଇଯାଆନ୍ତି । ଏ ପାଞ୍ଚଟି ଦିନର ଘଟଣା ମୁଁ ଜୀବନରେ ଭୁଲି ପାରିବି ନାହିଁ । ପଞ୍ଚମ ଦିନ ରାତି ପହରେ ବେଳକୁ କିଏ ଜଣେ ଆସି କବାଟଫାଙ୍କ ବାଟେ ଚୁପ୍‍ ଚୁପ୍‍ କରି ମୋତେ ଡାକିଲା । ମୁଁ ସେ ଫାଙ୍କ ପାଖକୁ ଆସି ପଚାରିଲି–‘‘କିଏ, ପିଗୋଟି ?’’

 

ଉତ୍ତର ମିଳିଲା–‘‘ହଁ ଡେଭିଡ୍, ଧୀରେ ଧୀରେ କଥା କହ । କାଳେ କିଏ ଶୁଣିବ ।’’

 

ମୁଁ ପଚାରିଲି–‘‘ମାଆ କିପରି ଅଛନ୍ତି ? ମୋ ଉପରେ ରାଗି ନାହାନ୍ତି ତ ?’’

 

ପିଗୋଟି କବାଟ ଆର ପାଖରେ କାନ୍ଦୁଥିବାର ମୋତେ ଶୁଣାଗଲା । ଘର ଭିତରେ ମୁଁ ମଧ୍ୟ କାନ୍ଦୁଥାଏ । ସେ କାନ୍ଦି କାନ୍ଦି କହିଲା–‘‘ନାହିଁ, ମାଆ ତମ ଉପରେ ରାଗି ନାହାନ୍ତି ।’’

 

ମୁଁ ପଚାରିଲି–‘‘ପିଗୋଟି, ମୋତେ କଅଣ କରିବେ ତୁ ଜାଣିଛୁ କି ?’’

 

ପିଗୋଟି–ଲଣ୍ଡନ ପାଖରେ କେଉଁ ଇସ୍କୁଲକୁ...

 

ମୁଁ–ଆଚ୍ଛା, କେତେବେଳେ ପଠାଇବେ ?

 

ପିଗୋଟି–କାଲି ।

 

ମୁଁ–ମାଆଙ୍କୁ କ’ଣ ଦେଖିପାରିବି ନାହିଁ ?

 

ପିଗୋଟି–ହଁ, କାଲି ସକାଳେ ।

 

ଏହା ପରେ ପିଗୋଟି ଯେପରି ଧୀରେ ଆସିଥିଲା, ସେହିପରି ଧୀରେ ଚାଲିଗଲା ।

 

ସକାଳ ହେଲା । ମିସ୍ ମଡ଼ଷ୍ଟୋନ ଆସି ମତେ କହିଲେ ଯେ ମୁଁ ସ୍କୁଲକୁ ଯିବି । ଶୀଘ୍ର ପୋଷାକ ପିନ୍ଧି ତଳମହଲା ବାହାର ଘରେ ବସିବି । ସେଠାରେ ଆମମାନଙ୍କର ଖାଇବା ସ୍ଥିର ହୋଇଅଛି । ମୁଁ ମୁହଁ ଧୋଇ ପୋଷାକ ପିନ୍ଧି ବାହାର ଘରେ ପହଞ୍ଚିଲି । ସେଠାରେ ମାଆ ଆଗରୁ ବସିଥିଲେ । ତାଙ୍କ ମୁହଁ ଶୁଖିଯାଇଥିଲା ଓ ଆଖି ଲାଲ ଦିଶୁଥିଲା । ମୁଁ ସବୁ ଭୁଲିଯାଇ ତାଙ୍କ ପାଦତଳେ ପଡ଼ି କ୍ଷମା ମାଗିଲି । ସେ ମୋତେ କୁଣ୍ଡାଇ ପକାଇ କହିଲେ–‘‘ଡେଭି, ତୁ ଏପରି କରିବୁ ବୋଲି ମୁଁ ଭାବି ନ ଥିଲି । ମୁଁ ତୋତେ କ୍ଷମା ଦେଉଛି । କିନ୍ତୁ ଚେଷ୍ଟା କରି ଭଲ ପିଲା ହୁଅ । ଭଗବାନ୍‍ ତୋତେ ସୁବୁଦ୍ଧି ଦିଅନ୍ତୁ । ତୋର ଏ ଦୁଷ୍ଟ ସ୍ଵଭାବ ଦେଖି ମୋ ମନରେ ଭାରି ଦୁଃଖ ହେଉଛି ।’’

 

ମୁଁ ଦେଖିଲି ଯେ ମାଆଙ୍କ ମନରେ ଧାରଣା ହୋଇଛି, ମୁଁ ବଡ଼ ଦୁଷ୍ଟ । ତାହାହିଁ ତାଙ୍କ ଦୁଃଖର କାରଣ । ଖାଇଲାବେଳେ ଏହି କଥା ଭାବି ମୋ ଆଖିରୁ ଲୁହ ଗଡ଼ିପଡ଼ିଲା । ମା’ ମଝିରେ ମଝିରେ ମୋ ଆଡ଼କୁ ଚାହୁଁଥାଆନ୍ତି । କିନ୍ତୁ ମିସ୍ ମଡ଼ଷ୍ଟୋନଙ୍କୁ ଦେଖିଲାକ୍ଷଣି ଅନ୍ୟ ଆଡ଼କୁ ମୁହଁ ବୁଲାଇ ଦେଉଥାଆନ୍ତି ।

 

ଆମେ ଖାଇସାରିଲା ବେଳକୁ ଫାଟକ ପାଖରେ ଘୋଡ଼ା-ଗାଡ଼ିର ଶବ୍ଦ ଶୁଣାଗଲା । ମିସ୍ ମଡ଼ଷ୍ଟୋନ ଗାଡ଼ିବାଲାକୁ ମୋର ବାକ୍ସ ନେଇଯିବାକୁ କହିଲେ । ଗାଡ଼ିବାଲା ମୋ ବାକ୍ସକୁ ନେଇ ଗାଡ଼ିରେ ରଖିଲା । ଏହି ସମୟରେ ମାଆ ମୋତେ ବିଦାୟ ଦେଇ କହିଲେ–‘‘ଡେଭି, ତୋର ଭଲ ପାଇଁ ତୁ ଯାଉଛୁ । ଈଶ୍ଵର ତୋର ମଙ୍ଗଳ କରନ୍ତୁ । ଭଲ ପିଲା ହେବାକୁ ଚେଷ୍ଟା କର । ପୁଣି ଛୁଟିରେ ଘରକୁ ଆସିବୁ ।’’

 

ମିସ୍ ମଡ଼ଷ୍ଟୋନ ମତେ ଗାଡ଼ିପାଖରେ ଛାଡ଼ିବାକୁ ନେଇଗଲେ । ବାଟରେ ଉପଦେଶ ଦେଇ କହିଲେ–‘‘ମୋର ଆଶା, ତୁ ତୋର ଦୁଷ୍କାର୍ଯ୍ୟ ପାଇଁ ଅନୁତାପ କରିବୁ ।’’

 

ଧୀରେ ଧୀରେ ଗାଡ଼ି ଚାଲିବାକୁ ଲାଗିଲା । ପ୍ରାୟ ଅଧ ମାଇଲିଏ ଗଲା ପରେ ହଠାତ୍‍ ପିଗୋଟି ରାସ୍ତାକଡ଼ରୁ ଦଉଡ଼ି ଆସି ଗାଡ଼ି ଭିତରେ ପଶିଗଲା । ସେ କିଛି ନ କହି ମତେ କୁଣ୍ଢେଇ ପକାଇଲା ଓ ତା’ ସଙ୍ଗେ ସଙ୍ଗେ ଗୋଟିଏ ରୁଟିର ପୁଡ଼ିଆ ମୋ ପକେଟରେ ଭରତି କରିଦେଲା । ଗୋଟିଏ ଥଳିରେ କିଛି ଟଙ୍କା ପଇସା ଥିଲା । ସେ ଥଳିଟିକୁ ମୋ ହାତରେ ଗୁଞ୍ଜିଦେଇ ପୁଣି ଗାଡ଼ିରୁ ଓହ୍ଲାଇପଡ଼ିଲା ।

 

ଆଖିର ଲୁହ ପୋଛି ପୋଛି ମୋ ରୁମାଲ ଓଦା ହୋଇ ଯାଇଥିଲା । ତାକୁ ଘୋଡ଼ା ପିଠିରେ ଶୁଖାଇଦେଲି । ଥଳିଟି ଫିଟାଇ ଦେଖିଲି ଯେ, ସେଥିରେ ତିନୋଟି ଶିଲିଂ ଚକ୍‍ ଚକ୍‍ କରୁଥିଲା । ବୁଝିଲି ଯେ ଏତକ ପିଗୋଟି ଦେଇଛି ।

 

ଆଉ ଖଣ୍ଡିଏ କାଗଜରେ ମାଆଙ୍କ ଅକ୍ଷରରେ ଲେଖା ହୋଇଥିଲା–‘ମୋ ସ୍ନେହର ଡେଭି ପାଇଁ ।’ ସେଥିରେ ଯୋଡ଼ିଏ ଅଧକ୍ରାଉନ୍‍ ଗୁଡ଼ା ହୋଇଥିଲା । ଏହି କେତୋଟି ମୁଦ୍ରା ଭିତରେ ମୁଁ ମାଆ ଓ ପିଗୋଟିର ସ୍ନେହର ପୂର୍ଣ୍ଣ ପରିଚୟ ପାଇଲି । ମୋ ଆଖିରୁ ପୁଣି ଲୁହ ବୋହିଗଲା ।

 

ପକେଟରୁ ରୁଟିପୁଡ଼ିଆଟି କାଢ଼ି ଗାଡ଼ିବାଲାକୁ ଗୋଟିଏ ଦେଲି । ସେ ସଙ୍ଗେ ସଙ୍ଗେ ରୁଟିଟିକୁ ଖାଇଦେଇ ପଚାରିଲା–‘‘ଏ ରୁଟି ସେଇ ତିଆରି କରିଛି ତ ?’’

 

ମୁଁ ପଚାରିଲି–‘‘କିଏ, ପିଗୋଟି ନା’’

 

ଗାଡ଼ିବାଲା–‘‘ହଁ; ସେଇ...’’

 

ମୁଁ–‘‘ହଁ । ସେ ଆମର ରନ୍ଧାବଢ଼ା କରେ । ଏ ରୁଟିକି ମଧ୍ୟ ସେ କରିଛି ।’’

 

ଗାଡ଼ିବାଲା କିଛି ସମୟ ନୀରବ ରହି ପଚାରିଲା–‘‘ତୁମେ ତା’ ପାଖକୁ ଚିଠି ଦେବ ତ-?’’

 

ମୁଁ କହିଲି–‘‘ହଁ, ନିଶ୍ଚୟ ।’’

 

ଗାଡ଼ିବାଲା–‘‘ତା’ହେଲେ ସେ ଚିଠିରେ ମୋ’ପାଇଁ ଲେଖି ଦେବ ଯେ ବର୍କିସ୍‍ ରାଜି ଅଛି-।’’

 

ବର୍କିସ୍ ଏହି ଗାଡ଼ିବାଲାର ନାଁ ।

 

ମୁଁ ଏ ସମ୍ବାଦର ଅର୍ଥ ବୁଝି ନ ପାରି ବିସ୍ମିତ ହେଲି । ଯାହାହେଉ ମୁଁ ପିଗୋଟି ପାଖକୁ ମୋର ପ୍ରଥମ ଚିଠିରେ ଏଇ ସମ୍ବାଦ ଦେଇଥିଲି । ଅବଶ୍ୟ ସେତେବେଳେ ମୁଁ ବୁଝି ନ ଥିଲି ଯେ ‘ମୁଁ ରାଜି ଅଛି’ କହିବାଦ୍ୱାରା ବର୍କିସ୍ ଜଣାଇଥିଲା ଯେ, ସେ ପିଗୋଟିକୁ ବିବାହ କରିବାକୁ ଇଚ୍ଛୁକ ।

☆☆☆

 

ମୁଁ ସ୍କୁଲକୁ ଗଲି

 

ଆମ ଗାଡ଼ି ୟାର୍‍ମାଉଥରେ ପହଞ୍ଚିଲା । ମୁଁ ଗାଡ଼ିରୁ ଓହ୍ଲାଇଲାକ୍ଷଣି ଜଣେ ସ୍ତ୍ରୀଲୋକ ହୋଟେଲରୁ ବାହାରିପଡ଼ି ମୋ ନିକଟକୁ ଆସି ପଚାରିଲେ–‘‘ତମେ ବ୍ଳଣ୍ଡରଷ୍ଟୋନରୁ ଆସିଲ ତ ?’’

 

ମୁଁ କହିଲି–‘ହଁ ।’

 

ତା’ପରେ ସ୍ତ୍ରୀଲୋକଟି ମୋର ନାମ ପଚାରି ବୁଝି ହୋଟେଲର ଚାକରକୁ ଡାକି ମୋତେ ଖାଇବା ଘରକୁ ପଠାଇଦେଲେ ।

 

ମୁଁ ଘରର ଗୋଟିଏ ପାଖ ଚଉକିରେ ବସିପଡ଼ିଲି । ଚାକର ନାନାପ୍ରକାର ଖାଦ୍ୟ ଆଣିଦେଲା । ମୁଁ ବିଭିନ୍ନ ପ୍ରକାର ଜିନିଷରୁ ଟିକିଏ ଟିକିଏ ଖାଉଥାଏ; କାହାକୁ ବା ଆଦୌ ଖାଉ ନ ଥାଏ । କିଛି ସମୟ ପରେ ସେ ଗୋଟିଏ ଗିଲାସ ମଦ ଆଣି ପହଞ୍ଚିଲା । ସେ ମଦଗ୍ଲାସ୍‍ଟିକି ଧରି ହଲାଉ ହଲାଉ କହିଲା–‘‘ଟପ୍‍ସୟର୍‍ ବୋଲି ଜଣେ ଭଦ୍ରଲୋକ ଏଠାକୁ ଆସି ଗିଲାସେ ମଦ ମାଗିଲେ । ମୁଁ ତାଙ୍କୁ ପିଇବାକୁ ମନାକରୁଥିଲି । ସେ ମୋ କଥା ନ ମାନି ପିଇଦେଲେ । ଘଡ଼ିକ ଭିତରେ ତାଙ୍କ ପ୍ରାଣ ଛାଡ଼ିଗଲା ।’’

 

ଏହି ଦୁର୍ଘଟନାର ବିବରଣ ଶୁଣି ମୁଁ ପାଣି ପିଇବାର ଇଚ୍ଛା ପ୍ରକାଶ କଲି । କିନ୍ତୁ ଚାକରଟି କହିଲା, ‘‘ଦେଖ ବାବୁ, ଆମ ହୋଟେଲରୁ କିଛି ଅଣାଇ ଫେରାଇଦେବା ବଡ଼ ଅଭଦ୍ରତା । ଯେବେ କହିବ, ମୁଁ ଏତକ ମଦ ପିଇଦେବି । ମୋର କିଛି କ୍ଷତି ହେବ ନାହିଁ । ମୁହଁ ଉପରକୁ କରି ଦି ଢୋକରେ ପିଇଦେବି ।’’

 

ମୁଁ ଉତ୍ତର କଲି, ‘‘ଯଦି ତୁମର କିଛି କ୍ଷତିର ଆଶଙ୍କା ନାହିଁ; ତେବେ ପିଇପାର ।’’ ସେ ମୁହଁ ଉପରକୁ କରି ଠିକ୍‍ ଦୁଇ ଢୋକରେ ମଦତକ ପିଇଲାବେଳେ ମୋ ମନରେ ଆଶଙ୍କା ହେଉଥାଏ, କାଳେ ସେ ଟପ୍‍ସୟରଙ୍କ ଅବସ୍ଥାରେ ପଡ଼ିଯିବ । କିନ୍ତୁ ସେପରି କିଛି ଦୁର୍ଘଟଣା ଘଟିଲା ନାହିଁ; ବରଂ ତା’ର ଫୂର୍ତ୍ତି ବଢ଼ିଗଲା ।

 

ଏହି ସମୟରେ ସେ ମୋର ଟେବୁଲକୁ ଲକ୍ଷ୍ୟ କରି କହିଲା, ‘‘ଏଇ ମାଂସଭଜା ଖାଇଲେ ମଦର ଦୋଷ କଟିଯାଏ ।’’ ଏହା କହି ସେ ଖଣ୍ଡିଏ ମାଂସଭଜା ଉଠାଇନେଲା । ମୁହୂର୍ତ୍ତକ ଭିତରେ ସେଖଣ୍ଡି ଉଦରସାତ୍ କରି ସନ୍ତୋଷ ପ୍ରକାଶ କଲା ।

 

ତା’ପରେ କ୍ଷୀରୀ ଆସିଲା । କ୍ଷୀରୀର ଗୁଣ ବିଷୟରେ କେତେ କଥା ପଡ଼ିଲା । ଶେଷରେ ଆମ ଦୁହିଁଙ୍କ ମଧ୍ୟରେ କିଏ ବେଶି କ୍ଷୀରୀ ଖାଇ ପାରିବ, ସେ ବିଷୟରେ ଚର୍ଚ୍ଚା ହେଲା । ମୁଁ କିଛି କହିବା ପୂର୍ବରୁ ସେ ମୋ ସଙ୍ଗେ କ୍ଷୀରୀ ଖାଇବାରେ ପ୍ରତିଯୋଗିତା ଆରମ୍ଭ କରିଦେଲା । ସେ ଯେ ମୋତେ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲା; ଏହା କହିବା ଅନାବଶ୍ୟକ । ଆଉ ଥରେ ପ୍ରତିଯୋଗିତା କଲେ ମୁଁ ଜିଣିପାରିବି କହି ସେ ଆଉ କିଛି କ୍ଷୀରୀ ଆଣିଲା । ଏଥର ମଧ୍ୟ ମୁଁ ଭୀଷଣ ଭାବେ ହାରିଗଲି ।

 

ଲୋକଟି ଏପରି ଗିଳୁଥିବାର ଦେଖି ମୁଁ ପିଗୋଟି ନିକଟକୁ ଚିଠି ଦେବା ପାଇଁ କାଳି, କଲମ ଓ କାଗଜ ମାଗିଲି । ସେ ଲେଖିବାର ଏହି ଉପକରଣଗୁଡ଼ିକ ଆଣିଦେବାରୁ ମୁଁ ଚିଠି ଲେଖିବସିଲି । ମୁଁ ଲେଖିବାବେଳେ ସେ ପଛରେ ନଇଁପଡ଼ି ପଢ଼ୁଥାଏ । ଚିଠିଲେଖା ସରିବାରୁ ମୋତେ ସେ ପଚାରିଲା, ‘‘ତୁମେ କେଉଁ ସ୍କୁଲକୁ ଯାଉଛ ?’’ ମୁଁ ବିଶେଷ କିଛି ଜାଣିନଥିଲି । ତେଣୁ ସଂକ୍ଷେପରେ କହିଲି, ‘‘ଲଣ୍ଡନ ପାଖରେ ଥିବା ସ୍କୁଲକୁ ।’’ ଲୋକଟି ବିଷଣ୍ଣ ହୋଇ କହିଲା, ‘‘ଓହୋ-! ବଡ଼ ଦୁଃଖର କଥା ।’’ ତା’ର ଏହି ମନ୍ତବ୍ୟର କାରଣ ପଚାରିବାରୁ ସେ କହିଲା, ‘‘ହାୟ-! ଭଗବାନ ! ସେ ସ୍କୁଲରେ ଗୋଟିଏ ଛୋଟପିଲାକୁ ପିଟି ପିଟି ତା’ ଛାତିରୁ ଦୁଇଟା ହାଡ଼ ଭାଙ୍ଗିଦେଲେ-।’’

 

ଏହା ଶୁଣିଲାକ୍ଷଣି ମୋତେ ବଡ଼ ଅସ୍ୱସ୍ତି ଲାଗିଲା । ଏହି ସମୟରେ ଅଗଣାରେ ଘଣ୍ଟି ବାଜିଲା । ପୁଣି ଗାଡ଼ି ଚଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ । ମୁଁ ଚଉକିରୁ ଉଠି କେତେ ଦେବାକୁ ହେବ ପଚାରିଲି । ସେ କହିଲା, ‘‘ଖଣ୍ଡିଏ ଚିଠିଲେଖା କାଗଜର ଦାମ୍‍ ଦେବାକୁ ପଡ଼ିବ । ତୁମେ କେବେ ଚିଠିଲେଖା କାଗଜ କିଣିଛ ?’’

 

କେବେ କିଣିଥିବାର ମୋର ମନେ ନ ଥିଲା । ସେ କହିଲା ‘‘କାଗଜ ଉପରେ ଟିକସ ପଡ଼ୁଛି । କାଗଜ ଖଣ୍ଡିକର ଦାମ୍‍ ତିନି ପେନ୍‍ସ ପଡ଼ିବ । କେବଳ ମୋତେ ବକ୍‍ସିସ୍‍ ଛଡ଼ା ଆଉ କିଛି ଦେବାକୁ ହେବ ନାହିଁ । ତୁମର ଖାଇବା ଖର୍ଚ୍ଚ ଆଗରୁ ଦିଆ ହୋଇଛି । ବାକି କାଳି । ସେଥିପାଇଁ ମଧ୍ୟ ମୁଁ କିଛି ନେବି ନାହିଁ । ଯାହା କ୍ଷତି ହେଲା ହେଉ ।’’ ମୁଁ ରହି ରହି ପଚାରିଲି, ‘‘ତେବେ ତୁମର ବକ୍‍ସିସ୍‍ କେତେ ମୁଁ ଦେବା ଉଚିତ ହେବ ?’’ ସେ କହିଲା, ‘‘ମୋର ଯଦି କୁଟୁମ୍ବ ନ ଥାନ୍ତେ, ତାଙ୍କୁ ଯଦି ରୋଗ ଧରୁ ନଥାନ୍ତା, ତେବେ ମୁଁ କିଛି ନିଅନ୍ତି ନାହିଁ । ଘରେ ମୋର ଯେବେ ବୁଢ଼ାବୁଢ଼ୀ ନ ଥାନ୍ତେ, ଭଉଣୀଟିଏ ନ ଥାନ୍ତା, ତେବେ ମୋର କିଛି ନ ନେଲେ ଚଳନ୍ତା । ଏଠାରେ ଯଦି ମୋତେ ବେଶି ଦରମା ମିଳୁଥାନ୍ତା, ଭଲ ବ୍ୟବହାର ପାଉଥାନ୍ତି, ତେବେ ଯାହା କିଛି ଦେଲେ ନିଅନ୍ତି । କିନ୍ତୁ ମୁଁ ବଡ଼ ଦୁଃଖରେ ଅଛି । ମୋର ଖାଇବା କି ରହିବା ଠିକଣା ନାହିଁ ?’’ କହୁ କହୁ ତା’ର ଆଖିରୁ ଲୁହ ବୋହିପଡ଼ିଲା ।

 

ତା’ର ଏହି ଦୁଃଖକାହାଣୀ ଶୁଣି ମୁଁ ବିଚଳିତ ହୋଇ ପଡ଼ିଲି ଏବଂ ମନେକଲି ଯେ ଅନ୍ତତଃ ନଅ ପେନସ୍‍ ନ ଦେଲେ ମୋ ପକ୍ଷରେ ଭୀଷଣ ଅନ୍ୟାୟ ହେବ । ଏହିପରି ବିଚାରି ମୋଠାରେ ଥିବା ତିନିଟି ଶିଲିଂ ମଧ୍ୟରୁ ଗୋଟିଏ ତା’ ହାତକୁ ବଢ଼ାଇଦେଲି । ସେ ଖୁବ୍‍ ବିନୟ ଓ ଭକ୍ତି ଦେଖାଇ ସେଇଟି ନେଲା ଏବଂ ସେଇଟି ଠିକ୍‍ କି ଜାଲ୍‍ ଜାଣିବା ପାଇଁ ମୋରି ଆଗରେ ଦୁଇଥର ବଜାଇଲା।

 

ଗାଡ଼ି ଭିତରକୁ ଗଲାବେଳକୁ ମୋତେ ସାହାଯ୍ୟ କରିବା ଦରକାର ପଡ଼ିଲା । ଜଣେ ସ୍ତ୍ରୀ ଗାର୍ଡ଼କୁ କହିଲେ, ‘‘ଦେଖ, ସେ ପିଲାଟିର ପେଟ ଯେପରି ଫାଟି ନ ଯାଏ ।’’ ହୋଟେଲର ଚାକରାଣୀମାନଙ୍କର ଧାରଣା ଥିଲା, ହୋଟେଲରୁ ମୋ ଟେବୁଲକୁ ଆସିଥିବା ସବୁଯାକ ଖାଦ୍ୟ ମୁଁ ଖାଇଛି । ତେଣୁ ସେମାନେ ମୋତେ ଚାହିଁ ବା ଆଙ୍ଗୁଠି ଦେଖାଇ ନାନାପ୍ରକାର ବିଦ୍ରୂପ କରୁଥିଲେ । ମୁଁ ଦେଖିଲି ଯେ ଚାକରଟି ମଧ୍ୟ ନିର୍ବିକାର ଚିତ୍ତରେ ତାଙ୍କ ସଙ୍ଗେ ଯୋଗ ଦେଇଛି । ତଥାପି ଲୋକଟିକୁ ମୁଁ ସନ୍ଦେହ କରିନଥିଲି । କାହାରିକୁ ସନ୍ଦେହଦୃଷ୍ଟିରେ ଦେଖିବା ପିଲାଙ୍କ ପ୍ରକୃତି ନୁହେଁ । ଗାଡ଼ି ଚାଲିଲା । ବାଟରେ ମୁଁ ଗାଡ଼ିବାଲା ଓ ଗାର୍ଡ଼ଙ୍କ ମଧ୍ୟରେ ଉପହାସର ପାତ୍ର ହୋଇଥିଲି । ଯାହାହେଉ, ସବୁ କଥାର ଶେଷ ଅଛି । ଆମର ବାଟ ସରିଲା । ଗାଡ଼ି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା । ମୋ ଜୀବନରେ ଗୋଟିଏ ନୂତନ ଅଧ୍ୟାୟର ଆରମ୍ଭ ହେଲା ।

☆☆☆

 

ସ୍କୁଲର ଅନୁଭୂତି

 

ମୋତେ ଯେଉଁ ସ୍କୁଲକୁ ପଠାଯାଇଥିଲା ତା’ର ନାମ ‘ସାଲେମ ହାଉସ୍’ । ମିଷ୍ଟର ମେଲ ବୋଲି ସ୍କୁଲର ଜଣେ ଶିକ୍ଷକ ମୋତେ ଗାଡ଼ିଠାରୁ ସଙ୍ଗରେ ଘେନି ସ୍କୁଲରେ ପହଞ୍ଚିଲେ । ସେତେବେଳକୁ ସ୍କୁଲ ବନ୍ଦ ଥାଏ । ପିଲାମାନେ ଛୁଟିରେ ଘରକୁ ଯାଇଥାନ୍ତି । ହଠାତ୍‍ ମୋ ଆଖି ଗୋଟିଏ ଡେସ୍କ ଉପରେ ଥିବା ଖଣ୍ଡିଏ କାଗଜପଟା ଉପରେ ପଡ଼ିଲା । ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ‘‘ସାବଧାନ–ସେ କାମୁଡ଼େ ।’’

 

ମୁଁ ଭାବିନେଲି ଯେ ସେଠାରେ ଡେସ୍କ ତଳେ ଗୋଟାଏ କାମୁଡ଼ା କୁକୁର ଅଛି । ତେଣୁ ଗୋଟାଏ ଡେସ୍କ ଉପରେ ଚଢ଼ି ଚାରିଆଡ଼କୁ ଚାହିଁଲି, କିନ୍ତୁ କୌଣସି କୁକୁର ମୋ ଆଖିରେ ପଡ଼ିଲା ନାହିଁ । ମିଷ୍ଟର ମେଲ୍ ପଚାରିଲେ, ‘‘ସେଠି କଅଣ ହେଉଛି ।’’ ମୁଁ ଉତ୍ତର କଲି, ‘‘ମହାଶୟ, କୁକୁର କେଉଁଠାରେ ଅଛି ଦେଖୁଛି ।’’

 

ମିଷ୍ଟର ମେଲ୍‍–‘‘କୁକୁର ? କି କୁକୁର ?’’

 

ମୁଁ ଲେଖାଆଡ଼କୁ ହାତ ବଢ଼ାଇ ଦେଖାଇଦେଲି ।

 

ମିଷ୍ଟର ମେଲ୍‍ ଗମ୍ଭୀର ହୋଇ କହିଲେ, ‘‘ନା ନା, କପରଫିଲ୍‍ଡ ! ସେଇଟା କୁକୁର ନୁହେଁ, ଗୋଟିଏ ମଣିଷପିଲା । ଏହି ପଟାଟିକୁ ମୁଁ ତୋ ପିଠିରେ ବାନ୍ଧିଦେବି । ମୁଁ ଏହି ଆଦେଶ ପାଇଛି । ମୁଁ ସେଥିପାଇଁ ଦୁଃଖିତ; କିନ୍ତୁ ମୋତେ ମୋର କାର୍ଯ୍ୟ ନିଶ୍ଚୟ କରିବାକୁ ହେବ ।’’ ଏତକ କହି ସେ ମୋତେ ତଳକୁ ଆଣି ସେ ପଟାଟିକୁ ମୋ ପିଠିରେ ବାନ୍ଧିଦେଲେ । ସେ ଦିନଠାରୁ ମୁଁ ଯୁଆଡ଼େ ଯାଏଁ, ପିଠିରେ ପଟାଖଣ୍ଡିକ ମୋତେ ନେବାକୁ ହୁଏ ।

 

ମୋର କଷ୍ଟ କେହି ଅନୁମାନ କରିପାରିବେ ନାହିଁ । ଲୋକେ ମୋ ଆଡ଼କୁ ଅନାନ୍ତୁ ବା ନ ଅନାନ୍ତୁ ମୁଁ ସବୁବେଳେ ଭାବୁଥିଲି ଯେ ଲୋକେ ମୋ ପିଠିର ପଟାକୁ ଚାହିଁ ପଢ଼ୁଛନ୍ତି–‘ସାବଧାନ-! ସେ କାମୁଡ଼େ ।’ ପିଠି ବୁଲାଇଲେ ସୁଦ୍ଧା ମୋର ଶାନ୍ତି ନ ଥାଏ । ମୁଁ ଭାବେ ଯେ, ମୋ ପଛରେ କେହି ନା କେହି ଥିବ ଏବଂ ସେ ପଢ଼ୁଥିବ–‘ସାବଧାନ ! ସେ କାମୁଡ଼େ ।’ ଏହିପରି ଭାବି ଭାବି ମୁଁ ନିଜକୁ ଭୟ କରିବାକୁ ଲାଗିଲି ।

 

ସ୍କୁଲର ପ୍ରଧାନ ଶିକ୍ଷକ ମିଷ୍ଟର ତ୍ରିକଲ । ସେ ଟିକିଏ ଗେଡ଼ା ଓ ତାଙ୍କ ମୁଣ୍ଡଟା ଚନ୍ଦା । ତାଙ୍କ ନାକଟି ଛୋଟ ଓ ଚେପ୍‍ଟା । ଏଡ଼େ ଧୀର ସ୍ଵରରେ କଥା କହନ୍ତି ଯେ ଭଲ ଶୁଣାଯାଏ ନାହିଁ ।

 

ସ୍କୁଲ ଖୋଲିବା ସମୟ ହେବାରୁ ପିଲାମାନେ ଫେରିଲେ । ମୁଁ ପିଠିରେ ପଟା ଖଣ୍ଡିକ ଘେନି ବଡ଼ ବିବ୍ରତ ହୋଇ ପଡ଼ିଥିଲି । ସେମାନେ ତାକୁ ଦେଖି କଅଣ ଭାବିବେ ? କିନ୍ତୁ ମୁଁ ଯେପରି ଭାବିଥିଲି; ସେପରି କିଛି ଘଟିଲା ନାହିଁ । ପ୍ରଥମେ ଯେଉଁ ପିଲାଟି ଆସିଲା, ତା’ର ନାମ ଟ୍ରେଡ୍‍ ଲସ୍‍-

 

ଟ୍ରେଡ୍‍ ଲସ୍‍ ! ଏ ହତଭାଗ୍ୟର ଆଜୀବନ ବନ୍ଧୁ ! ଜୀବନ ଥିବାଯାଏ ଟ୍ରେଡ୍‍ ଲସ୍‍ର ଅକୃତ୍ରିମ ବନ୍ଧୁତ୍ୱ ଓ ସହାନୁଭୂତିକୁ ଭୁଲିପାରିବି ନାହିଁ । ଟ୍ରେଡ୍‍ ଲସ୍‍ ମୋ ପିଠିରେ ପଟାଖଣ୍ଡିକୁ ଦେଖିଲାକ୍ଷଣି ଖୁବ୍‍ ଗୁଡ଼ାଏ ହସିଲା । ତା’ପରେ ଯେଉଁମାନେ ଆସିଲେ, ତାଙ୍କ ସଙ୍ଗେ ମୋର ପରିଚୟ କରାଇଦେଇ କହିଲା, ‘‘ଦେଖ କି ମଜା !’’ ଦେଖିଲି ଯେ ସମସ୍ତଙ୍କର ମନ ମରିଯାଇଛି । ମୋର ପଟା ବିଷୟ ଚର୍ଚ୍ଚାକରି ମୋତେ ଉପହାସ କରିବାର ପ୍ରବୃତ୍ତି କାହାରି ଦେଖାଗଲା ନାହିଁ । ଅବଶ୍ୟ ଜଣେ ଦୁଇଜଣ ମୋ ଚାରିପାଖେ ନାଚି ଥଟ୍ଟା କରି କହିଲେ, ‘‘ଭାଇ, ଆମକୁ କାମୁଡ଼ିବୁ ନାହିଁ ।’’ କିଏ ଜଣେ ମୋତେ ଆଉଁସି ଦେଇ କହିଲା, ‘‘ତୁଉ, ତୁଉ, ଶୋଇପଡ଼ ।’’ ଯାହାହେଉ ମୁଁ ଯାହାକୁ ଭୟ କରିଥିଲି, ସେଥିରୁ ସହଜେ ମୁକ୍ତି ପାଇଗଲି ।

 

ମୁଁ ସ୍କୁଲକୁ ଗଲି ସତ; ମାତ୍ର ସ୍କୁଲର କେହି ମୋତେ ଛାତ୍ର ବୋଲି ବିବେଚନା କରୁନଥିଲେ । ପୂର୍ବ ପ୍ରଥା ଅନୁସାରେ ମୋତେ ସ୍କୁଲର ବଡ଼ଚାଟଙ୍କ ନିକଟକୁ ଯିବାକୁ ହେଲା । ସ୍କୁଲ ଖୋଲିବା ଦିନ ସେ ଆସିଲେ । ଖେଳପଡ଼ିଆରେ ପ୍ରଥମେ ମୋର ତାଙ୍କ ସଙ୍ଗେ ସାକ୍ଷାତ ହେଲା । ମୁଁ ବଡ଼ ସଙ୍କୋଚରେ ତାଙ୍କ ପାଖକୁ ଗଲି । ସେ ମୋର ଏପ୍ରକାର ଦଣ୍ଡର କାରଣ ପଚାରି ବୁଝିଲେ-। ମୁଁ ଯଥାଶକ୍ତି ସମସ୍ତ ଘଟନା କହିଲି । ମାତ୍ର ସେ ମୋ ପ୍ରତି ଘୃଣା ବା ବିରକ୍ତି ପ୍ରକାଶ ନ କରି ହସରେ ସମସ୍ତ ଘଟନା ଉଡ଼ାଇଦେଲେ । ମୋର ତାଙ୍କ ପ୍ରତି ବିଶେଷ ଅନୁରକ୍ତି ଜନ୍ମିଲା ।

 

ଏହି ବଡ଼ଚାଟଙ୍କର ନାମ ଷ୍ଟିଅରଫୋର୍ଥ । ବୟସରେ ସେ ମୋ’ଠାରୁ ଛଅ ସାତ ବର୍ଷ ବଡ଼ ହେବେ । ତାଙ୍କ ଚେହେରାଟି ବଡ଼ ସୁନ୍ଦର । ସ୍କୁଲର ସବୁ ଛାତ୍ର, ଏପରି କି ଶିକ୍ଷକମାନେ ମଧ୍ୟ ତାଙ୍କୁ ଭୟ କରି ଚଳନ୍ତି ।

 

ପ୍ରଥମ ପରିଚୟ ପରେ ଷ୍ଟିଅରଫୋର୍ଥ ମୋ’ଠାରେ କେତେ ଟଙ୍କା ଅଛି ବୋଲି ପଚାରିବାରୁ ମୁଁ ସତକଥା କହିଲି । ସେ ମୋତେ କହିଲେ, ସ୍କୁଲକୁ କୌଣସି ନୂଆ ଛାତ୍ର ଆସିଲେ ଅନ୍ୟ କେତେ ଛାତ୍ରଙ୍କୁ ଭୋଜି ଦେବା ବିଧି । ଅତଏବ ମୋତେ ଗୋଟିଏ ଭୋଜି ଦେବାକୁ ପଡ଼ିବ । ଏ ପ୍ରସ୍ତାବରେ ମୁଁ ସମ୍ମତି ଜଣାଇବାରୁ ସେ ମୋ ଟଙ୍କାତକ ନେଇ ଭୋଜିର ଆୟୋଜନ କଲେ ।

 

ଭୋଜନ ସମୟରେ ମୁଁ ଷ୍ଟିଅରଫୋର୍ଥଙ୍କ ବାମପାର୍ଶ୍ଵରେ ବସିଲି । ସମସ୍ତେ ତୃପ୍ତିରେ ଭୋଜନ କଲେ । ଭୋଜନ ପରେ ଆମ୍ଭମାନଙ୍କ ମଧ୍ୟରେ ଗଳ୍ପ ଚାଲିଲା । ମୁଁ ଏହା ଫଳରେ ସ୍କୁଲ ବିଷୟରେ ଅନେକ କଥା ଜାଣିପାରିଥିଲି । ମୁଁ ବୁଝିଲି ଯେ, ସ୍କୁଲର ହେଡ଼୍‍ମାଷ୍ଟର ମିଷ୍ଟର ତ୍ରିକଲ ସ୍କୁଲର ହର୍ତ୍ତାକର୍ତ୍ତା । ତାଙ୍କ ପରି ରୁକ୍ଷ ଓ ନିର୍ଦ୍ଧୟ ଶିକ୍ଷକ ଜଗତରେ ନଥିବେ । ସାମାନ୍ୟ ଦୋଷ ପାଇଁ ନିର୍ମମ ଭାବରେ ଛାତ୍ରମାନଙ୍କୁ ମାଡ଼ଦେବା ତାଙ୍କର ପ୍ରକୃତି । କେବଳ ଷ୍ଟିଅରଫୋର୍ଥଙ୍କୁ ଛାଡ଼ିଦେଲେ ଅନ୍ୟ କେହି ତାଙ୍କର ବେତ୍ରାଘାତରୁ ମୁକ୍ତି ପାଇନାହାନ୍ତି । ସମସ୍ତଙ୍କର ମତ ଯେ, ମିଷ୍ଟର ତ୍ରିକଲଙ୍କର ବିଦ୍ୟା ଖୁବ୍ ଅଳ୍ପ । ମିଷ୍ଟର ମେଲ୍‍ ଅନ୍ୟ ଜଣେ ଶିକ୍ଷକ । ତାଙ୍କର ଜ୍ଞାନ ମନ୍ଦ ନୁହେଁ; ମାତ୍ର ସେ ଖୁବ୍‍ କମ୍‍ ଦରମା ପାଆନ୍ତି ।

 

ଏହିପରି ଅନେକ ସମୟ ଗଳ୍ପରେ କଟାଇ ଆମ୍ଭେମାନେ ଶୋଇବାକୁ ଗଲୁ ।

 

ଷ୍ଟିଅରଫୋର୍ଥ ମୋ ପ୍ରତି ବିଶେଷ ଅନୁଗ୍ରହ ଦେଖାଉଥିଲେ । ମୁଁ ତାଙ୍କର ଆଦେଶକୁ ଦେବାଦେଶ ପରି ପାଳୁଥିଲି । ସେ ମୋ ଚକ୍ଷୁରେ ଦେବତା । ତାଙ୍କ ପ୍ରତି ମୋ ହୃଦୟ କୃତଜ୍ଞତାରେ ଭରି ଯାଉଥିଲା । ଏଇ ଷ୍ଟିଅରଫୋର୍ଥଙ୍କ ସାହାଯ୍ୟ ପାଇ ନ ଥିଲେ ଅନ୍ୟ ପିଲାଙ୍କଠାରୁ ମୋତେ ନାନା ଯନ୍ତ୍ରଣା ସହିବାକୁ ପଡ଼ିଥାନ୍ତା ।

 

ଟ୍ରେଡ଼ଲ୍‍ସ ବୋଲି ଯେଉଁ ଗୋଟିଏ ପିଲା ସାଙ୍ଗରେ ମୋର ପ୍ରଗାଢ଼ ବନ୍ଧୁତା ଜନ୍ମିଥିଲା, ତା’ ପରି ହତଭାଗ୍ୟ ପିଲା ଆଉ କେହି ନ ଥିଲେ; ଅଥଚ ତା’ ମୁହଁ ସବୁବେଳେ ହସ ହସ । ଷ୍ଟିଅରଫୋର୍ଥଙ୍କ ଛଡ଼ା ଆଉ ସବୁ ପିଲାଙ୍କ ପିଠିରେ ମିଷ୍ଟର ତ୍ରିକଲ ପାହାର ଦିଅନ୍ତି । ମୋତେ ମଧ୍ୟ ଅନେକ ଥର ତାଙ୍କ ପାହାର ଖାଇବାକୁ ହୋଇଛି । କିନ୍ତୁ ଏପରି ଦିନ ନାହିଁ, ଯେଉଁ ଦିନ କି ମିଷ୍ଟର ତ୍ରିକଲ ଟ୍ରେଡ଼ଲ୍‍ସକୁ ପାହାର ଦେଇନାହାନ୍ତି । ଦୈନିକ ମାଡ଼ ଖାଇସାରିବା ପରେ ଟ୍ରେଡ଼ଲ୍‍ସ କୌଣସିମତେ ମୁହଁରେ ହସ ଫୁଟାଏ ଓ ପେନ୍‍ସିଲ ଧରି ସ୍ଲେଟ ଉପରେ ଗୁଡ଼ିଏ ନରକଙ୍କାଳ ଅଙ୍କନ କରେ । ପ୍ରତିଦିନ ମାଡ଼ ଖାଇବା ଯେପରି ତା’ର ନିୟମ ଥିଲା, ଠିକ୍‍ ସେହିପରି ନରକଙ୍କାଳଗୁଡ଼ିଏ ଆଙ୍କିବା ତା’ର ଦୈନିକ କର୍ମ ଥିଲା । ଆଖିର ଲୁହ ନ ଶୁଖୁଣୁ ସେ ଗୁଡ଼ିଏ ଛବି ଆଙ୍କି ହସିଉଠେ ।

 

ଟ୍ରେଡ଼ଲ୍‍ସର ଆଉ ଗୋଟିଏ ଗୁଣ ଥିଲା । ପିଲାଙ୍କ ଭିତରୁ କେହି ବିପଦରେ ପଡ଼ିଲେ ସମସ୍ତେ ମିଳିମିଶି ତାକୁ ସେଥିରୁ ରକ୍ଷା କରିବା ତା’ର ଲକ୍ଷ୍ୟ ଥିଲା । ସେ ଅନେକ ଥର ଅନ୍ୟମାନଙ୍କ ଦୋଷ ପାଇଁ ଦଣ୍ଡ ପାଇଛି । ଥରେ ଷ୍ଟିଅରଫୋର୍ଥ ଗିର୍ଜାରେ ପ୍ରାର୍ଥନା ସମୟରେ ହସିଉଠିଲେ । କିଏ ହସିଲା, ଖୋଜା ଲାଗିଲା । ଟ୍ରେଡ଼ଲ୍‍ସକୁ ସନ୍ଦେହ କରି ଧରିନେଇ ବନ୍ଦୀ କରି ରଖାଗଲା । ତଥାପି ସେ ଷ୍ଟିଅରଫୋର୍ଥଙ୍କ ନାମ ପ୍ରକାଶ କଲା ନାହିଁ । ବନ୍ଦୀଗୃହରୁ ମୁକ୍ତି ପାଇଲାବେଳକୁ ଟ୍ରେଡ଼ଲ୍‍ସର ସ୍ଲେଟରେ ଆଉ ନରକଙ୍କାଳ ଆଙ୍କିବାକୁ ତିଳେମାତ୍ର ସ୍ଥାନ ନ ଥିଲା । ସେଦିନ ଷ୍ଟିଅରଫୋର୍ଥ ଟ୍ରେଡ଼ଲ୍‍ସକୁ ଖୁବ୍ ପ୍ରଶଂସା କଲେ ।

 

ଭଲ ପଢ଼ାପଢ଼ି ସକାଶେ ଏ ସ୍କୁଲର ଆଦୌ ଖ୍ୟାତି ନଥିଲା, ତଥାପି ମୁଁ ଏଠାରେ କେତେକ ବିଷୟ ଶିକ୍ଷା କରିପାରିଥିଲି । ମୋର ବହି ପଢ଼ିବା ପାଇଁ ଖୁବ୍‍ ଆଗ୍ରହ ଥିଲା ଓ ଏଠାରେ ମୁଁ ପଢ଼ିବାର ଯଥେଷ୍ଟ ସୁବିଧା ପାଇପାରୁଥିଲି । ମିଷ୍ଟର ମେଲ୍‍ଙ୍କର ପଢ଼ାଶୁଣା ପ୍ରତି ଅନୁରାଗ ଥିଲା-। ସେ ମୋତେ ଖୁବ୍‍ ସାହାଯ୍ୟ କରୁଥିଲେ ଓ ଉତ୍ସାହ ମଧ୍ୟ ଦେଉଥିଲେ । ତାଙ୍କର ଦୟା ନିମନ୍ତେ ମୁଁ ଆଜୀବନ ତାଙ୍କଠାରେ କୃତଜ୍ଞ ରହିବି ।

 

ଦୁର୍ଭାଗ୍ୟବଶତଃ ଷ୍ଟିଅରଫୋର୍ଥ ମିଷ୍ଟର ମେଲ୍‍ଙ୍କୁ ଘୃଣା କରୁଥିଲେ ଓ ଟିକିଏ ସୁବିଧା ପାଇଲେ ତାଙ୍କର ନିନ୍ଦା ନ କରି ଛାଡ଼ୁ ନ ଥିଲେ । ପିଲାମାନେ ସମସ୍ତେ ଷ୍ଟିଅରଫୋର୍ଥଙ୍କ ଅନୁଗତ ଥିବାରୁ ସେମାନଙ୍କ ମଧ୍ୟରେ ମିଷ୍ଟର ମେଲ୍‍ ନିତାନ୍ତ ଅପ୍ରିୟ ହୋଇପଡ଼ିଲେ।

 

ଦିନେ ମିଷ୍ଟର ତ୍ରିକଲ ଅନୁପସ୍ଥିତ ଥିଲେ । ସେଦିନ ପିଲାମାନେ ମିଷ୍ଟର ତ୍ରିକଲଙ୍କ ବେତମାଡ଼ରୁ ଅବ୍ୟାହତି ପାଇ ବଡ଼ ଆନନ୍ଦିତ । ସେମାନଙ୍କ ଆନନ୍ଦ ଗଳ୍ପ କରିବା ଓ ହସିବାରେ ପ୍ରକାଶ ପାଇଲା । ମିଷ୍ଟର ମେଲ୍‍ ଦେଖିଲେ ଯେ, ପିଲାମାନେ ଶୃଙ୍ଖଳା ମଧ୍ୟରେ ରହିବାକୁ ପ୍ରସ୍ତୁତ ନୁହନ୍ତି । ସେ ଆଉ ଧୈର୍ଯ୍ୟ ଧରି ନ ପାରି, ହାତରେ ଧରିଥିବା ବହିଟି ଟେବୁଲରେ ପିଟି ଚିତ୍କାର କଲେ, ‘‘ଚୁପ୍‍ କର । ମୋ ପ୍ରତି ଏପ୍ରକାର ବ୍ୟବହାର ନିତାନ୍ତ ଅସୁନ୍ଦର ।’’

 

ସେତେବେଳକୁ ମୁଁ ମିଷ୍ଟର ମେଲ୍‍ଙ୍କ ପାଖରେ ଛିଡ଼ା ହୋଇଥିଲି । ସେ ଯେଉଁ ବହିଟି ଟେବୁଲ ଉପରେ ପିଟିଥିଲେ ସେ ଖଣ୍ଡିକ ମଧ୍ୟ ମୋର । ମିଷ୍ଟର ମେଲ୍‍ ପିଲାମାନଙ୍କୁ ଥରେ ଚାହିଁଗଲେ । ସମସ୍ତେ ଚୁପ୍‍ ହୋଇଗଲେ ।

 

ମାତ୍ର ଷ୍ଟିଅରଫୋର୍ଥ ଶେଷ ଧାଡ଼ିରେ କାନ୍ଥକୁ ଆଉଜି ଠିଆହୋଇ ପାଟି କରୁଥାଏ । ମିଷ୍ଟର ମେଲ୍‍ ତାଙ୍କୁ ଚାହିଁ କହିଲେ, ‘‘ଷ୍ଟିଅରଫୋର୍ଥ, ଚୁପ୍ କର ।’’

 

ଷ୍ଟିଅରଫୋର୍ଥ ରାଗରେ ଲାଲ ହୋଇଯାଇ କହିଲେ, ‘‘ନିଜେ ଚୁପ୍‍ କରି ରହନ୍ତୁ । ଆପଣ କାହାକୁ କହୁଛନ୍ତି ?’’

 

ମେଲ୍‍ କହିଲେ, ‘‘ଷ୍ଟିଅରଫୋର୍ଥ, ତୁମେ ଯଦି କାହାରି ବିଶେଷ ପ୍ରିୟ ହୋଇଥିବାର ସୁଯୋଗ ନେଇ ନିୟମଭଙ୍ଗ କର ଓ ଜଣେ ଭଦ୍ରଲୋକଙ୍କୁ ଅପମାନ ଦିଅ,ତେବେ...’’

 

ମେଲ୍‍ଙ୍କ କଥା ନ ସରୁଣୁ ଷ୍ଟିଅରଫୋର୍ଥ କହିଉଠିଲେ, ‘‘କାହିଁ, କେଉଁ ଭଦ୍ରଲୋକର ଅପମାନ ?’’

 

ମେଲ୍‍ କହିଲେ–‘‘ତୁମର କାର୍ଯ୍ୟ ନୀଚ; ଭଦ୍ରୋଚିତ ନୁହେଁ । ଠିଆ ହୁଅ ବା ବସ; ଯାହା ତୁମର ଇଚ୍ଛା କର । କପରଫିଲ୍‍ଡ, ଏବେ ତୁମେ ପଢ଼ ।’’

 

ହଠାତ୍‍ ଷ୍ଟିଅରଫୋର୍ଥ କହିଉଠିଲେ–‘‘ମିଷ୍ଟର୍ ମେଲ୍, ମୋତେ ତୁମେ ଯେତେବେଳେ ନୀଚ, ଅଭଦ୍ର କହିବାକୁ କୁଣ୍ଠିତ ନୁହଁ, ସେତେବେଳେ ମୁଁ ତୁମକୁ କହିବି–ତୁମ୍ଭେ ଜଣେ ନିର୍ଲଜ୍ଜ ଭିକ୍ଷୁକ-।’’ ମିଷ୍ଟର ଷ୍ଟିଅରଫୋର୍ଥ ଓ ମିଷ୍ଟର ମେଲ୍‍ଙ୍କ ମଧ୍ୟରୁ କିଏ କାହାକୁ ମାରିବାକୁ ଉଦ୍ୟତ ହେଉଥିଲେ, ମୋର ଠିକ୍ ମନେ ନାହିଁ; କିନ୍ତୁ ସମସ୍ତ ସ୍କୁଲ ଯେପରି ନିସ୍ପନ୍ଦ ହୋଇଯାଇଥିଲା । ମିଷ୍ଟର ମେଲ୍‍ ଚଉକିରେ ବସି ଟେବୁଲ ଉପରେ ହାତ ରଖି ତା’ ଉପରେ ମୁଣ୍ଡଟି ଥୋଇଥିଲେ । ତାଙ୍କର ଚେତା ଥିଲା ପରି ଜଣାଯାଉ ନ ଥିଲା । ଏହି ସମୟରେ ମିଷ୍ଟର ତ୍ରିକଲ ଆସି ପହଞ୍ଚିଗଲେ-। କିନ୍ତୁ ମିଷ୍ଟର ମେଲ୍‍ ସେହିପରି ବସିରହିଥାନ୍ତି । କିଛି ସମୟ ପରେ ମିଷ୍ଟର ତ୍ରିକଲ ମିଷ୍ଟର ମେଲ୍‍ଙ୍କ ଦେହରେ ହାତ ମାରି କହିଲେ, ‘‘ବୋଧହୁଏ ତୁମର ମସ୍ତିଷ୍କ ଠିକ୍‍ ଅଛି ।’’

 

ମିଷ୍ଟର ମେଲ୍‍–ଆଜ୍ଞା, ମୁଁ ପ୍ରକୃତିସ୍ଥ ଅଛି ।

 

ମିଷ୍ଟର ତ୍ରିକଲଙ୍କ ଦୃଷ୍ଟି ଷ୍ଟିଅରଫୋର୍ଥଙ୍କ ଉପରେ ପଡ଼ିଥିବାରୁ ତାଙ୍କୁ ପଚାରିଲେ, ‘‘ବ୍ୟାପାରଟା କଅଣ, କହତ ?’’

 

ଷ୍ଟିଅରଫୋର୍ଥ ଘୃଣାରେ ଓ କ୍ରୋଧରେ ମିଷ୍ଟର ମେଲ୍‍ଙ୍କ ଆଡ଼କୁ ଚାହିଁ କିଛିକ୍ଷଣ ନୀରବ ରହିଲେ । ଶେଷରେ ସେ କହିଲେ, ‘‘ମୁଁ ବିଶେଷ ପ୍ରିୟ ହୋଇଥିବାରୁ ସୁଯୋଗ ନେଉଛି ବୋଲି ସେ କହିଲେ–ଏହାର ଅର୍ଥ କଅଣ ?’’

 

ମି: ତ୍ରିକଲ କ୍ରୋଧରେ ଲାଲ ପଡ଼ିଯାଇ କହିଲେ, ‘‘କିଏ କହିଲା ?’’

 

ଷ୍ଟିଅରଫୋର୍ଥ–ମିଷ୍ଟର ମେଲ୍‍ ।

 

ମି: ତ୍ରିକଲ ମିଷ୍ଟର ମେଲ୍‍ଙ୍କ ଆଡ଼କୁ ରକ୍ତିମ ଦୃଷ୍ଟି ପକାଇ କହିଲେ–ତୁମର ଏପରି କହିବାର ଉଦ୍ଦେଶ୍ୟ କଅଣ ? ତୁମେ ଏ କଥା କହି ମୋ ପ୍ରତି ଉଚିତ ସମ୍ମାନ ଦେଖାଇନାହଁ । ମୁଁ ଏ ସ୍କୁଲର ସର୍ବେସର୍ବା; ମୁଁ ତୁମର ଅନ୍ନଦାତା ।’’

 

ମି: ମେଲ୍‍–ମୁଁ ସ୍ୱୀକାର କରୁଛି ଯେ, ମୋ ପକ୍ଷରେ ଏପରି କହିବା ଅନ୍ୟାୟ ହୋଇଛି । ସେତେବେଳେ ମୋର ମନ ସ୍ଥିର ଥିଲେ କଦାପି ସେପରି କହି ନ ଥାନ୍ତି ।

 

ଷ୍ଟିଅରଫୋର୍ଥ ଏହି ସମୟରେ ପୁଣି କହିଲେ, ‘‘ଆହୁରି ସେ କହିଲେ ଯେ, ମୁଁ ନୀଚ, ଅଭଦ୍ର । ତେଣୁ ମୁଁ ମଧ୍ୟ ତାଙ୍କୁ କହିଲି–ତୁମେ ଜଣେ ଭିକ୍ଷୁକ । ମୋ ମନ ସ୍ଥିର ଥିଲେ ମୁଁ ସେପରି କହି ନ ଥାନ୍ତି ।’’

 

ଷ୍ଟିଅରଫୋର୍ଥଙ୍କ ଏହି ସାହସ ଦେଖି ଆମେ ପିଲାମାନେ ମନେମନେ ତାଙ୍କୁ ଖୁବ୍‍ ପ୍ରଶଂସା କଲୁ ।

 

ମି: ତ୍ରିକଲ–ଷ୍ଟିଅରଫୋର୍ଥ; ତୁମେ ସତ୍ୟକଥା କହିଛ । ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେଉଛି । କିନ୍ତୁ ମୁଁ ବି ବିସ୍ମିତ ଯେ ଶିକ୍ଷକଙ୍କୁ ଭିକ୍ଷୁକ ବୋଲି କିପରି କହିବାକୁ ସାହସ କଲ ?

 

ମି: ମେଲ୍‍ଙ୍କ ମୁହଁ କଳା ପଡ଼ିଆସିଲା ।

 

ଷ୍ଟିଅରଫୋର୍ଥ ଦୃଢ଼ସ୍ଵରରେ କହିଲେ–ମୁଁ ସତ କହିଛି । ମିଷ୍ଟର ମେଲ୍‍ଙ୍କ ମା ଭିକ ମାଗି ଗୋଟିଏ ଦରିଦ୍ର ନିବାସରେ ରହି ଚଳନ୍ତି ।

 

ମିଷ୍ଟର ତ୍ରିକଲ ମେଲ୍‍ଙ୍କ ଆଡ଼କୁ ଚାହିଁ କହିଲେ, ‘‘ଏ ଭଦ୍ରଲୋକ ଯାହା କହିଲେ ଶୁଣିଲ-। ଏବେ ସେ ଯଦି ମିଥ୍ୟା କହିଛନ୍ତି, ସେ କଥା ସମସ୍ତଙ୍କ ସମକ୍ଷରେ ପ୍ରକାଶ କର ।’’

 

ମିଷ୍ଟର ମେଲ୍‍–ନା, ମୋର ପ୍ରତିବାଦ କରିବାର କିଛି ନାହିଁ । ସେ ଯାହା କହିଛନ୍ତି, ତା’ ସତ ।

 

ମିଷ୍ଟର ତ୍ରିକଲ–ଏବେ କହ, ଏ ବିଷୟ ମୋତେ ଆଗରୁ ଜଣାଇଥିଲ କି ?

 

ମିଷ୍ଟର ମେଲ୍‍–ଠିକ୍‍ ଜଣାଇ ନ ଥିଲେ ସତ; କିନ୍ତୁ ଆପଣ ମୋ ଦୁରବସ୍ଥା ଜାଣି ସାମାନ୍ୟ ବେତନରେ ମୋତେ...

ମିଷ୍ଟର ତ୍ରିକଲ–ମୁଁ ଦେଖୁଛି, ତୁମେ ଯେଉଁ କାର୍ଯ୍ୟରେ ରହିଛ, ସେଥିପାଇଁ ତୁମେ ଅନୁପଯୁକ୍ତ । ବୋଧହୁଏ ତୁମେ ମନେକରିଥିଲ ଯେ, ଏ ଗୋଟିଏ ଦାତବ୍ୟ ବିଦ୍ୟାଳୟ । ଯାହାହେଉ ଯେତେ ଶୀଘ୍ର ତୁମେ ବିଦାୟ ନିଅ, ସେତେ ମଙ୍ଗଳ ।

ମିଷ୍ଟର ମେଲ୍‍ ତତ୍‍କ୍ଷଣାତ୍‍ ବିଦାୟ ନେବାକୁ ବାହାରିଲେ । ଛାତ୍ରମାନଙ୍କୁ ସାମାନ୍ୟ କେତେକ ପଦ କହି ବିଦାୟ ମାଗି ମୋ ପିଠିରେ ହାତ ମାରି, ନିଜର ସାମାନ୍ୟ ଜିନିଷପତ୍ର ହାତରେ ଧରି ବାହାରିଗଲେ । ମିଷ୍ଟର ତ୍ରିକଲ ତା’ପରେ ଗୋଟିଏ ବକ୍ତୃତା ଦେଇ କହିଲେ, ‘‘ଷ୍ଟିଅରଫୋର୍ଥ, ଏ ଶିକ୍ଷାନୁଷ୍ଠାନର ଗୌରବ, ମହତ୍ତ୍ୱ ଓ ସ୍ୱାଧୀନତା ରକ୍ଷା କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଛି-।’’

ମିଷ୍ଟର ତ୍ରିକଲ ଷ୍ଟିଅରଫୋର୍ଥଙ୍କ କରମର୍ଦ୍ଦନ କଲେ । ଆମ୍ଭେମାନେ ହର୍ଷଧ୍ଵନି କଲୁ । କିନ୍ତୁ ଏ ହର୍ଷଧ୍ୱନିର କାରଣ କ’ଣ ମୁଁ ବୁଝିପାରି ନ ଥିଲି । ମୁଁ ମନେମନେ ବଡ଼ ଦୁଃଖ ଅନୁଭବ କରୁଥିଲେହେଁ ଏହି ହର୍ଷଧ୍ଵନିରେ ଯୋଗଦେଇଥିଲି । ଏହି ସମୟରେ ଦେଖାଗଲା ଯେ, ଟ୍ରେଡ୍‍ ଲସ୍‍ ଦୁଃଖରେ କାନ୍ଦୁଛି ।

ମିଷ୍ଟର ତ୍ରିକଲ ବୁଝିଲେ ଯେ, ମିଷ୍ଟର ମେଲ୍‍ଙ୍କ ବିଦାୟରେ ସେ ଦୁଃଖିତ; ତେଣୁ ମିଷ୍ଟର ତ୍ରିକଲ ତାକୁ ଯଥେଷ୍ଟ ପ୍ରହାର କରି ଗୃହକୁ ଫେରିଗଲେ ।

ଦିନେ ସକାଳ ଜଳଖିଆ ଖାଇବା ପରେ ମିଷ୍ଟର ତ୍ରିକଲ ଆସି ମୋତେ କହିଲେ, ‘‘ମୋ ବୈଠକଖାନାକୁ ଚାଲ ।’’ ଏତିକି କହି ସେ ଚାଲିଗଲେ । ସେ ଦିନ ମୋର ଜନ୍ମଦିନ । ମୁଁ ଭାବିଲି, ବୋଧହୁଏ ମୋର ଜନ୍ମଦିନ ବୋଲି ପିଗୋଟି ମୋ’ପାଇଁ ମିଠେଇ ପଠାଇଛି ।

ବୈଠକଖାନାରେ ପହଞ୍ଚି ଦେଖିଲି ଯେ ସେଠାରେ ମିଷ୍ଟର ତ୍ରିକଲଙ୍କ ସ୍ତ୍ରୀଙ୍କ ଛଡ଼ା ଆଉ କେହି ନାହାନ୍ତି । ତାଙ୍କ ଆଗରେ ଖଣ୍ଡିଏ ଚିଠି ଖୋଲା ହୋଇ ପଡ଼ିଛି । ଟିକିଏ ରହି ମିସେସ୍‍ ତ୍ରିକଲ କହିଲେ, ‘‘ତୁମେ ଘରୁ ଏଥର ଆସିବାବେଳେ ସମସ୍ତଙ୍କ ଦେହ ଭଲ ଥିଲା ତ ? ତୁମ ମାଆଙ୍କ ଦେହ କିପରି ଥିଲା ?’’

ଏପ୍ରକାର ପ୍ରଶ୍ନର କାରଣ ମୁଁ ବୁଝିପାରିଲି ନାହିଁ । ମୋର ଦେହଟାଯାକ ଥରିଗଲା । ମୁଁ କିଛି ଉତ୍ତର ଦେଇନପାରି ପୂର୍ବପରି ତାଙ୍କ ମୁହଁକୁ ଏକ ଦୃଷ୍ଟିରେ ଚାହିଁ ରହିଲି ।

ସେ କହିବାକୁ ଲାଗିଲେ, ‘‘ମୁଁ ଏ କଥା କହିବାର କାରଣ ହେଉଛି ଆଜି ମୁଁ ଖବର ପାଇଲି, ତୁମ ମାଆ ଆଉ ନାହାନ୍ତି ।’’

ମୁଁ ଭୋ-ଭୋ କାନ୍ଦି ଉଠିଲି । ଏବେ ମୋର ସଂସାରରେ କେହି ନାହାନ୍ତି, ଏହି କଥା ଭାବିଲାକ୍ଷଣି ମୋର ଆହୁରି କୋହ ଉଠିଲା, ମୋର କାନ୍ଦ ଉଛୁଳିପଡ଼ିଲା ।

ସେ ଦିନଟିଯାକ ମୁଁ ମିଷ୍ଟର ତ୍ରିକଲଙ୍କ ବୈଠକଖାନାରେ ରହିଲି । ମିସେସ୍‍ ତ୍ରିକଲ ମୋ ପାଖେ ପାଖେ ରହି ମୋତେ ସାନ୍ତ୍ୱନା ଦେଉଥାନ୍ତି । ମଝିରେ ମଝିରେ ମୋତେ ଅଳ୍ପ ସମୟ ପାଇଁ ନିଦ ହୋଇଯାଉଥାଏ । କିନ୍ତୁ ନିଦ ଭାଜିଲାକ୍ଷଣି ପୁଣି କାନ୍ଦିବାକୁ ଲାଗେ ।

 

ତା’ ଆର ଦିନ ଷ୍ଟିଅରଫୋର୍ଥ, ଟ୍ରେଡ୍‍ ଲସ୍‍ ଓ ଅନ୍ୟାନ୍ୟ ଛାତ୍ରଙ୍କଠାରୁ ବିଦାୟ ନେଇ ମୁଁ ଘରକୁ ବାହାରିଲି । କିଏ ଜାଣିଥିଲା ଯେ, ଏହି ମୋର ଶେଷ ବିଦାୟ ? ଏହିଠାରୁ ମୋର ପାଠପଢ଼ା ଇତିଶ୍ରୀ ହେବ ?

 

ମୁଁ ଘର ଦ୍ୱାରମୁହଁରେ ହେଲାକ୍ଷଣି ପିଗୋଟି ଆସି ମୋତେ କୁଣ୍ଡେଇ ପକାଇ ଘର ଭିତରକୁ ନେଇଗଲା । ଦୁଃଖରେ ସେ କାନ୍ଦି ଆସୁଥିଲା; କିନ୍ତୁ ସେ କୌଣସିମତେ ନିଜକୁ ସମ୍ଭାଳି ନେଇ ଧୀରେ ଧୀରେ ଚାଲିଗଲା । ସେ ମୋ ସଙ୍ଗେ ଫୁସ୍‍ ଫୁସ୍‍ ହୋଇ ଅତି ଧୀର ସ୍ଵରରେ କଥାବାର୍ତ୍ତା କରୁଥିଲା । ମୋ ମାଆଙ୍କ ଶବ ସେ ଘରେ ଥିଲା । ମୁଁ ଦେଖିଲି ଯେ ପିଗୋଟି ସାରା ରାତି ଆଦୌ ଶୋଇ ନଥିଲା । ସେ ଚେଇଁରହି ଶବଟିକୁ ଜଗିଥାଏ ।

 

ବୈଠକଖାନା ଘର ଭିତରକୁ ଗଲି । ସେଠାରେ ମିଷ୍ଟର ମଡ଼ଷ୍ଟୋନ ଚଉକିରେ ବସି କଅଣ ଚିନ୍ତା କରୁଥିଲେ । ତାଙ୍କ ଆଖିରେ ଲୁହ ଦେଖାଯାଉଥିଲା । ସେ ମୋ ଆଡ଼କୁ ଟିକିଏ ସୁଦ୍ଧା ଚାହିଁଲେ ନାହିଁ । ମିସ୍‍ ମଡ଼ଷ୍ଟୋନ ତାଙ୍କ ଡେସ୍କ ପାଖରେ ବସିଥିଲେ । ସେ ମୋତେ କ୍ଷୀଣ ସ୍ଵରରେ ପଚାରିଲେ, ‘‘ଶୋକସୂଚକ ପୋଷାକ ତିଆରି କରିବା ପାଇଁ ମାପ ଦେଲଣି ?’’

 

ଯଥାସମୟରେ ମାଆଙ୍କୁ କବର ଦିଆଗଲା । ତା’ ପୂର୍ବରୁ ଓ ପରେ ମୋତେ କି କଷ୍ଟରେ ଦିନ କଟାଇବାକୁ ହେଉଥିଲା, ସେସବୁ ବର୍ଣ୍ଣନା କରିବାରେ କିଛି ଲାଭ ନାହିଁ । ଅନେକ ଦିନ ପୂର୍ବରୁ ମୋତେ ସେ ଘର ସୁଖ ଲାଗୁ ନ ଥିଲା; ଏବଂ ଭୀଷଣ ବୋଧ ହେଲା । ବୋଧହୁଏ ପିଗୋଟି ନ ଥିଲେ ମୁଁ ସେ ଘରେ ମୁହୂର୍ତ୍ତେ ରହିପାରି ନ ଥାନ୍ତି ।

 

ଦୁର୍ଭାଗ୍ୟକୁ ମୋ ପାଖରୁ ପିଗୋଟିକୁ ମଧ୍ୟ ଅନ୍ତର ହେବାକୁ ପଡ଼ିଲା । ବହୁଦିନ ପୂର୍ବରୁ ମିସ୍‍ ମଡ଼ଷ୍ଟୋନ ତାକୁ ହତାଦର କରିଆସୁଥିଲେ । ମାଆ ମରିଯିବା ପରେ ପରେ ତାକୁ ଆମ ଘରୁ ଚାକିରିରୁ ବାହାର କରି ଦିଆଗଲା । ଯାହାହେଉ, ମୋତେ ଥରେ ତା’ ସହିତ ୟାର୍‍ମାଉଥ୍‍ ଯାଇ ମିଷ୍ଟର ପିଗୋଟି, ହାମ୍‍ ଓ ଏମିଲିଙ୍କୁ ଦେଖି ଆସିବାର ଅନୁମତି ମିଳିଥିଲା । ଏମିଲି ଏଥିମଧ୍ୟରେ ବେଶ୍‍ ବଡ଼ ହୋଇଯାଇଥିଲା । ମୋତେ ଦେଖି ସେ ଭାରି ଲାଜ କଲା ।

 

ବର୍କିସ୍‍ ରାଜିଥିବା କଥା ଆଗରୁ କହିଛି । ଶେଷରେ ସେ ପିଗୋଟିଠାରୁ ମନୋମତ ଉତ୍ତର ପାଇ ବିଶେଷ ଆନନ୍ଦିତ ହେଲା । ମୁଁ ୟାର୍‍ମାଉଥରେ ଥିବା ସମୟରେ ସେ ଦୁହିଁଙ୍କର ବିବାହ ହୋଇଗଲା । ପିଗୋଟି ସୁଖ ଶାନ୍ତିରେ ରହିବାର ଦେଖି ମୁଁ ବିଶେଷ ଆନନ୍ଦିତ ହେଲି ।

 

କିଛିଦିନ ପରେ ମୁଁ ଘରକୁ ଫେରିଆସିଲି । ‘ଘର’କୁ କହିଲେ ଠିକ୍‍ ହେବ ନାହିଁ; କାରଣ ସେ ଘର ମୋ ପକ୍ଷରେ ଆଉ ଘର ନଥିଲା । ମିଷ୍ଟର ମଡ଼ଷ୍ଟୋନ ଓ ମିସ୍‍ ମଡ଼ଷ୍ଟୋନଙ୍କ ପାଖକୁ ମୁଁ ଫେରିଆସିଲି ।

☆☆☆

 

ମୋ କଥା ମୁଁ ବୁଝିଲି

 

ଏବେ ମୋ କଥା କେହି ଭାବିଲେ ନାହିଁ । ମୁଁ ସମସ୍ତଙ୍କର ଅନାଦରର ପାତ୍ର ହେଲି । ସେ ସମୟର ମୋ ଅବସ୍ଥା ଭାବିଲାବେଳକୁ ମନରେ ଦୁଃଖ ହେଉଛି । ମୋତେ କେହି ଭଲ ନଜରରେ ଦେଖୁ ନ ଥିଲେ; ମୋର ସମବୟସ୍କ ସାଥୀଙ୍କ ସଙ୍ଗେ ମିଶିବାର ସୁବିଧା ନଥିଲା । ମୁଁ ସଂସାରରେ ଏକାକୀ ରହି ମୋର ଦୁଃସହ ଚିନ୍ତା ମଧ୍ୟରେ ବୁଡ଼ିରହିଥିଲି ।

 

ମୋର ଇଚ୍ଛା ହୁଏ, କିପରି ମୁଁ ସ୍କୁଲକୁ ଯାଆନ୍ତି କି ? ସେଠାର ଯେତେ ଦୁଃଖକଷ୍ଟ ସବୁ ପଛେ ସହନ୍ତି, ଟିକିଏ ହେଲେ କୌଣସି ବିଷୟ ଶିଖନ୍ତି ତ ! ଏପ୍ରକାର ଆଶା କରିବାର ଲବେମାତ୍ର କାରଣ ନ ଥିଲା । ମିଷ୍ଟର ଓ ମିସ୍‍ ମଡ଼ଷ୍ଟୋନ ମୋତେ ଭୟଙ୍କର ଘୃଣା କରୁଥିଲେ । ତାଙ୍କ ସହିତ ମୋର ଯେ କିଛି ସମ୍ବନ୍ଧ ଅଛି, ଏ ଧାରଣାକୁ ସେ ଦୁହେଁ ମନରୁ ଦୂର କରିବାକୁ ଚେଷ୍ଟା କରୁଥିଲେ ।

 

ଅବଶ୍ୟ ପୂର୍ବପରି ମୋ ଉପରେ ସେମାନେ ଅତ୍ୟାଚାର କରୁନଥିଲେ କିମ୍ବା ମାଡ଼ ଦେଉ ନ ଥିଲେ । ମୋ ଖାଇବା ମଧ୍ୟ ବନ୍ଦ କରାଯାଇ ନ ଥିଲା; କିନ୍ତୁ ଦିନକୁ ଦିନ ସେମାନେ ମୋ ପ୍ରତି ଏପରି ବ୍ୟବହାର କଲେ ଯେ, ମୁଁ ଭାବିଲି, ସେମାନେ ମୋତେ ଗୋଟାଏ ବୃଥା ବୋଝ ବୋଲି ମନେକରୁଛନ୍ତି । ଶେଷରେ ଦିନେ ମିଷ୍ଟର ମଡ଼ଷ୍ଟୋନ ମୋତେ ଡାକି କହିଲେ, ‘‘ମୋର ଯେପରି ଆର୍ଥିକ ଅବସ୍ଥା, ସେଥିରେ ତୋତେ କୌଣସି ସ୍କୁଲକୁ ପଠାଇବା ସମ୍ଭବପର ନୁହେଁ । ତେଣୁ ତୁ ନିଜ ଉଦରପୋଷଣ ପାଇଁ କୌଣସି କାର୍ଯ୍ୟ କରିବା ଦରକାର । ଲଣ୍ଡନରେ ଆମର ଗୋଟିଏ ମଦଦୋକାନ ଅଛି । ସେଠାରେ ମୋର ଜଣେ ଅଂଶୀଦାର ଅଛନ୍ତି । ସେଠାକୁ ଗଲେ ତୋତେ ସେ ଦୋକାନରେ ରଖାଇଦେବେ !’’

 

ଅଳ୍ପ ଦିନ ଭିତରେ ମିସ୍‍ ମଡ଼ଷ୍ଟୋନ ମୋତେ ଲଣ୍ଡନକୁ ପଠାଇଦେଲେ । ସେତେବେଳକୁ ମୋତେ ଦଶ ବର୍ଷ ମାତ୍ର । ଲଣ୍ଡନରେ ପହଞ୍ଚି ମୁଁ ସେହି ଅଂଶୀଦାରଙ୍କ ପାଖକୁ ଗଲି-। ସେ ମୋତେ ଦୋକାନରେ ଚାକିରି କରାଇଦେଲେ । ଗୋଟାଏ ଅତି ଦୁର୍ଗନ୍ଧମୟ ଗୋଦାମଘର ଭିତରେ ବୋତଲ ସଫା କରିବା ହେଲା ମୋର କାର୍ଯ୍ୟ ।

 

ସେଠାରେ ମୋ ପରି ତିନି ଚାରିଟି ପିଲା ଏହି କାମ କରୁଥିଲେ । ସେମାନଙ୍କ ଭିତରେ ସବୁଠାରୁ ବଡ଼ ପିଲାଟିର ନାମ ମିକ୍‍ୱାକର । ସେ ଗୋଟିଏ ଚିରା କୁରୁତା ଓ ଗୋଟିଏ କାଗଜ ଟୋପି ପିନ୍ଧିଥାଏ । କିପରି ବୋତଲ ଧୋଇବାକୁ ହେବ, ସେ ମୋତେ ଶିଖାଇଦେଲା । ସେ ମୋତେ ଆଉ ଗୋଟିଏ ପିଲା ସହିତ ମଧ୍ୟ ପରିଚୟ କରାଇଦେଲା । ସେ ପିଲାଟିର ନାମ ମିଲି ପଟାଟୋ ।

 

ମୋର ଦରମା ଥିଲା ସପ୍ତାହକୁ ସାତ ଶିଲିଂ । ସେଇଥିରୁ ମୋର ଖାଇବା ପିନ୍ଧିବା । ମୋର ରହିବା ପାଇଁ ମିଷ୍ଟର ମିକାବରଙ୍କ ଘରେ ବନ୍ଦୋବସ୍ତ ହୋଇଥିଲା । ମିଷ୍ଟର ମିକାବର ଦେଖିବାକୁ ବେଶ୍‍ ଭଦ୍ରଲୋକ । ତାଙ୍କର ପୋଷାକ ଖୁବ୍‍ ସଫାସୁତୁରା । ତାଙ୍କ ଚନ୍ଦା ମୁଣ୍ଡଟି ଚକ୍‍ ଚକ୍‍ କରୁଥାଏ । ସେ ଅନେକ ଲୋକଙ୍କଠାରୁ ଋଣ କରିଥିଲେ ଓ ସେମାନଙ୍କୁ ନାନା ପ୍ରକାରେ ଭଣ୍ଡୁଥିଲେ । ସେ ସବୁବେଳେ ଅପେକ୍ଷା କରିଥାନ୍ତି ଯେ, କେତେବେଳେ ଗୋଟାଏ କଅଣ ହେବ ଓ ତାଙ୍କର ଆର୍ଥିକ ଅଭାବ ଦୂର ହୋଇଯିବ । ଏସବୁ ସତ୍ତ୍ୱେ ସେ ମୋତେ ବିଶେଷ ଦୟା ଦେଖାଉଥିଲେ ।

 

କାହା ପାଖକୁ ଯିବି ବା କାହାର ପରାମର୍ଶ ମାଗିବି ? ଦୁନିଆରେ ମୋର କିଏ ଅଛି ଯେ, ମୋତେ ସାହାଯ୍ୟ କରିବ ? କୌଣସିମତେ କାମ କରି ଉଦରପୋଷଣ ଛଡ଼ା ଆଉ କିଛି ମୋର କଳ୍ପନାରେ ନ ଥିଲା । ଏବେ ମୋତେ ସେ ସମୟରେ ଘଟଣାସବୁ ସ୍ଵପ୍ନ ପରି ଲାଗୁଛି । ମୋତେ ସକାଳୁ ରାତି ପହରକ ଯାଏ କାମ କରିବାକୁ ହେଉଥିଲା । ବେଳେ ବେଳେ ମୁଁ ଭିକାରିପିଲା ପରି ଛିଣ୍ଡା ମଇଳା ପୋଷାକ ପିନ୍ଧି ରାସ୍ତାରେ ବୁଲୁଥିଲି । ମୁଁ ଯେ ଚୋର କି ଡକାୟତ ହୋଇଯାଇ ନ ଥିଲି, ସେଇଟା କେବଳ ଭଗବାନଙ୍କ ଦୟା ।

 

ମୋର ଏହି ଦୁର୍ଦ୍ଦଶା ଭିତରେ ଦିନେ ହଠାତ୍‍ ମୋ ମୁଣ୍ଡରେ ଗୋଟାଏ ଖିଆଲ ପ୍ରବେଶ କଲା । ମନେପଡ଼ିଲା ଯେ, ମିସ୍‍ ବେଟ୍‍ସି ଟ୍ରଟ୍‍ଉଡ୍‍ ବୋଲି ମୋର ଜଣେ ପିଉସୀ ଅଛନ୍ତି । ମୋ ମାଆ ଓ ପିଗୋଟିଠାରୁ ଶୁଣିଥିଲି ଯେ, ସେ ଜଣେ ଅଦ୍ଭୁତ ଧରଣର ସ୍ତ୍ରୀଲୋକ । ପିଲାମାନଙ୍କ ପ୍ରତି ତାଙ୍କର ବିଶେଷ ଘୃଣା । ତଥାପି ତାଙ୍କ ପାଖକୁ ଯିବାକୁ ମନେମନେ ସ୍ଥିର କଲି । ତାଙ୍କର ଠିକଣା ମୋତେ ଜଣାନଥିଲା । ତାଙ୍କ ଠିକଣା ପଚାରି ପିଗୋଟି ପାଖକୁ ଚିଠି ଦେଲି ଓ ମୋତେ ଅଧଗିନି ଧାର ଦେବାକୁ ମଧ୍ୟ ଲେଖିଲି । ଏହି ପିଉସୀଙ୍କ ପାଖକୁ ଯାଇ ଆଶ୍ରୟ ମାଗିବା ଛଡ଼ା ମୁଁ ଆଉ କିଛି ଭାବିପାରିଲି ନାହିଁ ।

 

ପିଗୋଟିଠାରୁ ଚିଠି ପାଇଲି; ତା’ ସାଥିରେ ଅଧଗିନି ମଧ୍ୟ । ତା’ ଚିଠିରୁ ଜାଣିଲି ଯେ, ମିସ୍‍ ଟ୍ରଟ୍‍ଉଡ୍‍ ଡୋଭର୍‍ ପାଖରେ କୌଣସି ଜାଗାରେ ରହନ୍ତି । ଅବଶ୍ୟ ପୂରା ଠିକଣା ଜାଣିପାରି ନଥିଲି; ତଥାପି ସେଠାକୁ ଯିବା ପାଇଁ ମୁଁ ସ୍ଥିର କଲି । ସପ୍ତାହକର କାମ ସରିଲା । ମୁଁ ମିକ୍‍ୱାକର୍‍ ଓ ମିଲି ପଟାଟୋଙ୍କ ପାଖରୁ ବିଦାୟ ନେଇ ପଳାଇଲି ।

 

ମୋ ପାଖରେ ଗୋଟିଏ ଛୋଟ ବାକ୍ସରେ କେତେ ଖଣ୍ଡ ଲୁଗାପଟା ଓ ପିଗୋଟି ଦେଇଥିବା ଅଧଗିନି ଥିଲା । ତା’ଛଡ଼ା ତିନି ଚାରି ପେନ୍‍ସ ଥିଲା । ପ୍ରଥମ ଦିନ ଗୋଟିଏ ଗାଡ଼ିବାଲା ମୋର ବାକ୍ସ ଓ ଅଧଗିନିଟି ଠକି ନେଇଗଲା । ଏଣିକି ସର୍ବଶୂନ୍ୟ ହୋଇ ଚାଲିବାକୁ ପଡ଼ିଲା । ଦିନବେଳା ଯେତେ ଦୂର ପାରେ ଚାଲେଁ; ରାତିରେ ମେଲାରେ ଯେକୌଣସିଠାରେ ଶୋଇପଡ଼େ । ଏହିପରି ଛଅ ଦିନ କାଳ ଚାଲିଲି । ବାଟରେ ଖାଇବା ପାଇଁ ମୋର ଛିଣ୍ଡା କୁରୁତାଟି ବିକ୍ରି କରିବାକୁ ହୋଇଥିଲା । ତେଣୁ ମୋର କଷ୍ଟ ଆହୁରି ବଢ଼ିଯାଇଥାଏ । ଖରାରେ ମୋର ଦେହ ସିଝିଯାଇଥିଲା, ମୋ ଦେହରେ ଛିଣ୍ଡା କନା ଛଡ଼ା ଆଉ କିଛି ନ ଥାଏ ।

 

ଶେଷରେ ଡୋଭର୍‍ ପାଖରେ ପହଞ୍ଚିଲି । ଅନେକ ଲୋକଙ୍କୁ ପଚାରି ପଚାରି ମିସ୍‍ ଟ୍ରଟ୍‍ଉଡ୍‍ଙ୍କ ଘରର ଠିକଣା ପାଇଲି । ମୋର ନିରାଶ ପ୍ରାଣରେ ଆଶାର କ୍ଷୀଣ ଅଙ୍କୁର ଦେଖାଦେଲା-

 

ମୋ ପିଉସୀଙ୍କ ଘର ଗୋଟିଏ ସୁନ୍ଦର ଛୋଟ ଘର । କେତେକ ପାହାଡ଼ ପାଖରେ ଥିବାରୁ ଘରଟି ସୁନ୍ଦର ଦିଶୁଥାଏ । ମୁଁ ଫାଟକ ପାଖରେ ଛିଡ଼ାହୋଇ ମିସ୍‍ ଟ୍ରଟ୍‍ଉଡ୍‍ଙ୍କୁ କିପରି ଚିହ୍ନିବି, ତାଙ୍କୁ କି ପରିଚୟ ଦେବି, ଏହିସବୁ କଥା ଭାବୁଛି, ଏହି ସମୟରେ ଜଣେ କ୍ଷୀଣକାୟ ସ୍ତ୍ରୀଲୋକ ଘରୁ ବାହାରି ଆସିଲେ । ତାଙ୍କ ହାତରେ ଥିଲା ଗୋଟାଏ ବଡ଼ କତୁରୀ । ବୋଧହୁଏ ସେ ଏହି କତୁରୀରେ ବଗିଚାର ବାଡ଼ କାଟି ସମାନ କରିବାକୁ ଆସିଥିଲେ ।

 

ଏହି ସ୍ତ୍ରୀଲୋକଟି ଯେ ମିସ୍‍ ବେଟ୍‍ସି ଟ୍ରଟ୍‍ଉଡ୍‍, ମୋର ଏ ବିଶ୍ୱାସ ହେଲା । କିନ୍ତୁ ମୋ ଉପରେ ତାଙ୍କର ଆଖି ପଡ଼ିଲାକ୍ଷଣି ସେ କହିଉଠିଲେ, ‘‘ଯା, ଚାଲିଯା । ଏଠାକୁ କେହି ପିଲା ଆସନ୍ତିନି ! ପଳା, ନ ହେଲେ...।’’ ଏହା କହି ସେ କତୁରୀଦ୍ୱାରା ମୋତେ କାଟିପକାଇବାର ଭୟ ଦେଖାଇଲେ ।

 

ସେତେବେଳକୁ ମୋର ପ୍ରାଣ ଛାଡ଼ିଆସୁଥାଏ । ମିସ୍‍ ଟ୍ରଟ୍‍ଉଡ୍‍ ବଗିଚାରେ ଗୋଟିଏ ପାଖକୁ ଯାଇ କ’ଣ ଗୋଟିଏ ଗଛର ମୂଳ ଖୋଳିବାରେ ଲାଗିଲେ । ମୋର ମନରେ ଲବେମାତ୍ର ଆଶା ନ ଥାଏ; କିନ୍ତୁ ନୈରାଶ୍ୟର ଶେଷ ସୀମାରେ ପହଞ୍ଚି ମୁଁ ଧୀରେ ଧୀରେ ଯାଇ ତାଙ୍କ ହାତ ପାଖରେ ଠିଆହେଲି । ତାଙ୍କ ଦେହରେ ହାତ ମାରି କହିଲି, ‘‘ଟିକିଏ ଅନୁଗ୍ରହ କରି...’’

 

ମିସ୍‍ ଟ୍ରଟ୍‍ଉଡ୍‍ ଚମକିପଡ଼ି ମୋ ଆଡ଼କୁ ଚାହିଁଲେ ।

 

ମୁଁ ସାହସ ବାନ୍ଧି କହିଲି, ‘‘ଟିକିଏ ଅନୁଗ୍ରହ କର, ପିଉସୀ !’’

 

ମିସ୍‍ ଟ୍ରଟ୍‍ଉଡ୍‍ ଆହୁରି ବିସ୍ମୟ ପ୍ରକାଶକରି କହିଲେ, ‘‘ଇସ୍ !’’

 

ମୁଁ କହିଲି, ‘‘ତୁମେ ମୋର ପିଉସୀ, ମୁଁ ତୁମ ପୁତୁରା ।’’

 

ଏହା ଶୁଣିଲାକ୍ଷଣି ମିସ୍‍ ବେଟ୍‍ସି ଟ୍ରଟ୍‍ଉଡ୍‍ ବଗିଚାର ଗୋଟିଏ ଛୋଟ ରାସ୍ତା ଉପରେ ବସିପଡ଼ି କେବଳ କହିଲେ, ‘‘ହା ଭଗବାନ୍‍ !’’

 

ମୁଁ ଆତ୍ମପରିଚୟ ଦେବାକୁ ଲାଗିଲି, ‘‘ମୁଁ ଡେଭିଡ୍‍ କପରଫିଲ୍‍ଡ । ମୋର ଘର ବ୍ଳଣ୍ଡରଷ୍ଟୋନରେ । ମୋ ମାଆ ମରିବା ଆଗରୁ ତା’ଠାରୁ ତୁମ କଥା ଶୁଣିଥିଲି । ମାଆ ମରିଗଲା ପରେ ମୋତେ କେହି ଟିକିଏ ହେଲେ ପଚାରିଲେ ନାହିଁ । ମୋ ଉପରେ ନାନାପ୍ରକାର ଅତ୍ୟାଚାର କଲେ । ଆଉ ସହି ନ ପାରି ମୁଁ ପଳେଇ ଆସିଛି । ପ୍ରଥମ ଦିନ ମୋର ଯାହା କିଛି ଥିଲା, ସବୁ ଚୋରିଗଲା । ବାଧ୍ୟହୋଇ ଏତେ ବାଟ ଚାଲି ଚାଲି ଆସିଛି । ଘରୁ ବାହାରିବା ଦିନୁଁ ଭୂଇଁରେ ଗଛମୂଳେ ରାତିରେ ଶୋଉଛି ।’’

 

ଏକା ନିଃଶ୍ଵାସରେ ଏତେଗୁଡ଼ିଏ କଥା କହିଗଲି । ହଠାତ୍‍ ମୋର କଣ୍ଠ ରୁଦ୍ଧ ହୋଇଗଲା; ଆଉ କିଛି କହିପାରିଲି ନାହିଁ । କେବଳ ମୋର ଚେହେରା ଦେଖିବାକୁ ସଂକେତ ଦେଇ କାନ୍ଦିବାକୁ ଲାଗିଲି ।

 

ଏତେବେଳଯାଏ ପିଉସୀ ମୋ ଆଡ଼କୁ ଚାହିଁ ରହିଥିଲେ । ସେ ହଠାତ୍‍ ଉଠିପଡ଼ି ମୋତେ ଧରି ବୈଠକଖାନାକୁ ନେଇଗଲେ । ସେ ଘରେ ପଶିବାକ୍ଷଣି ଗୋଟାଏ ଆଲମାରି ଖୋଲି କେତେଗୁଡ଼ିଏ ବୋତଲ କାଢ଼ି ପକାଇଲେ ଓ ପ୍ରତ୍ୟେକ ବୋତଲରୁ କିଛି କିଛି ଆଣି ମୋ ପାଟିରେ ଢାଳିଦେଲେ । ସେଥିରେ ମିଠା, ପିତା, କଷା ଆମ୍ବିଳା ସବୁ ପ୍ରକାରର ଜିନିଷ ଥିଲା ।

 

ଚାକରାଣୀକୁ ଡାକି ପିଉସୀ କହିଲେ, ‘‘ଜାନେଟ୍‍, ଯାଆ, ମିଷ୍ଟର ଡିକ୍‍ଙ୍କୁ ମୋର ସଲାମ ଦେଇ ଡାକି ଦେ । ତାଙ୍କ ସଙ୍ଗେ ମୋର କଥା ଅଛି ।’’

 

ମିଷ୍ଟର ଡିକ୍‍ ଆସି ପହଞ୍ଚିଗଲେ । ତାଙ୍କର ମୁହଁ ଦେଖିଲେ ଆନନ୍ଦ ଲାଗେ; କିନ୍ତୁ ତାଙ୍କର ଚାଲିଚଳନ କଥାବାର୍ତ୍ତା ଅଦ୍ଭୁତ ଧରଣର । ଯାହାହେଉ ତାଙ୍କରି ପରାମର୍ଶ ଉପରେ ପିଉସୀ ପୂରା ନିର୍ଭର କରୁଥିଲେ । ମୋ ସମ୍ବନ୍ଧରେ କ’ଣ କରାଯିବ ବୋଲି ପିଉସୀ ପଚାରିବାରୁ ମିଷ୍ଟର ଡିକ୍‍ କହିଲେ, ‘‘ତାକୁ ଗାଧୋଇ ଦିଅ ।’’

 

ସଙ୍ଗେ ସଙ୍ଗେ ପ୍ରସ୍ତାବ କାର୍ଯ୍ୟରେ ପରିଣତ ହେଲା । ଜାନେଟ୍‍ ପାଣି ଉଷୁମ କରିବାକୁ ଗଲା । ଏଥିମଧ୍ୟରେ ମୁଁ ଦେଖିଲି ଯେ, ପିଉସୀଙ୍କ ମୁହଁ ରାଗରେ ଲାଲ ପଡ଼ିଗଲା । ସେ ଚିତ୍କାର କଲେ, ‘‘ଜାନେଟ୍‍ ଗଧ, ଗଧ ।’’

 

ଏହା ଶୁଣିଲାକ୍ଷଣି ଜାନେଟ୍‍ ଦଉଡ଼ିଆସିଲା । ଘର ପୋଡ଼ିଯାଉଛି ଶୁଣିଲେ ବୋଧହୁଏ କେହି ଏପରି ବେଗରେ ଦଉଡ଼ି ନଥାନ୍ତା । ଘର ଆଗରେ ଥିବା ଛୋଟ ଘାସପଡ଼ିଆରେ ଦୁଇଟି ଗଧ ପାଦ ଦେବାର ଉପକ୍ରମ କରୁଥିଲେ । ଜାନେଟ୍‍ ସେ ଦୁହିଁଙ୍କୁ ତଡ଼ିଦେଲା । ଏଥିମଧ୍ୟରେ ପିଉସୀ ଘରୁ ବାହାରି ପଡ଼ିଥିଲେ । ସେ ଆଉ ଗୋଟାଏ ଗଧର ଲଗାମକୁ ଧରି ସେହି ପବିତ୍ର ଘାସପଡ଼ିଆରୁ ବାହାରକୁ ନେଇଗଲେ । ଯେଉଁ ହତଭାଗ୍ୟ ପିଲାଟି ଗଧଗୁଡ଼ିକୁ ଜଗୁଥିଲା; ତାକୁ କିଛି ଉତ୍ତମ-ମଧ୍ୟମ ଦେବାକୁ ମଧ୍ୟ ଛାଡ଼ିଲେ ନାହିଁ ।

 

ଗାଧୁଆପାଣି ଠିକ୍‍ ହେଲା । ଗାଧୋଇ ପଡ଼ିବାରୁ ମୋତେ ଖୁବ୍‍ ଭଲ ଲାଗିଲା । ମୋ ଦେହ ଦରଜ ହୋଇଯାଇଥିଲା । ଗାଧୋଇବାଦ୍ୱାରା ଟିକିଏ ଆରାମ ବୋଧ ହେଲା । ପିଉସୀଙ୍କ ଆଦେଶରେ ଜାନେଟ୍‍ ମିଷ୍ଟର ଡିକ୍‍ଙ୍କର ହଳେ ପାଇଜାମା ଓ ଗୋଟିଏ କାମିଜ ମୋତେ ପିନ୍ଧାଇ ମୋ ଉପରେ ଦୁଇ ତିନିଟା ଶାଲ ଘୋଡ଼ାଇ ବାନ୍ଧିଦେଲା । ସେତେବେଳେ ଯେ ମୁଁ କିପରି ଦେଖାଯାଉଥିବି, କଳ୍ପନା କରିପାରୁନାହିଁ । ଯାହାହେଉ ମୋତେ ବେଶ୍‍ ଉଷୁମ ଲାଗୁଥିଲା । ଅଳ୍ପ ସମୟ ଭିତରେ ମୁଁ ନିଦରେ ଶୋଇ ପଡ଼ିଲି ।

 

ତା’ ଆରଦିନ ସକାଳେ ଆମେ ବସି ଖାଉଛୁଁ, ଏହି ସମୟରେ ପିଉସୀ କହିଲେ, ‘‘ମୁଁ ତାଙ୍କ ପାଖକୁ ଚିଠି ଦେଉଛି ।’’

 

ମୁଁ–କାହା ପାଖକୁ ?

 

ପିଉସୀ–ମିଷ୍ଟର ମଡ଼ଷ୍ଟୋନଙ୍କ ପାଖକୁ ।

 

ମୁଁ–ତେବେ ମୁଁ ଏଠାକୁ ଆସିଛି ବୋଲି ସେ ଜାଣନ୍ତି ?

 

ପିଉସୀ–ମୁଁ ସେକଥା ତାଙ୍କୁ ଲେଖିଛି ।

 

ମୁଁ–ମୋତେ କଅଣ ପୁଣି ତାଙ୍କ ପାଖକୁ ପଠାଇଦେବ ?

 

ପିଉସୀ–ସେକଥା ମୁଁ ଏହିକ୍ଷଣି କହିପାରିବି ନାହିଁ । ସେତେବେଳକୁ ସେକଥା ବୁଝାଯିବ-

 

ମୁଁ କାନ୍ଦ କାନ୍ଦ ହୋଇ କହିଲି, ‘‘ତା’ହେଲେ ମୋ କଥା ସରିଯିବ । ମିଷ୍ଟର ମଡ଼ଷ୍ଟୋନଙ୍କ ପାଖକୁ ଗଲେ ମୋ ଜୀବନ ଛାଡ଼ିଯିବ ।’’

 

ପିଉସୀ–ସେ ବିଷୟରେ ମୁଁ ବର୍ତ୍ତମାନ କିଛି କହି ନ ପାରେ । ସେତେବେଳେ ଯାହା ଭଲ ବୋଧ ହେବ; କରାଯିବ ।

 

ଏ କଥା ଶୁଣି ମୋର ମନ ମରିଗଲା । ଏହାପରେ କେତେ ଦିନଯାଏ ମୋ ମନରେ ଟିକିଏ ହେଲେ ଶାନ୍ତି ନ ଥିଲା । ପ୍ରାଣଦଣ୍ଡ ଆଦେଶ ପାଇଥିବା ଲୋକ ଯେପରି ମନକଷ୍ଟ ଭୋଗ କରେ, ମୁଁ ସେହିପରି କଷ୍ଟ ଭୋଗୁଥିଲି । ମିଷ୍ଟର ଡିକ୍‍ ଓ ପିଉସୀ ଦୁହେଁଯାକ ମୋ ପ୍ରତି ବଡ଼ ସଦୟ ବ୍ୟବହାର ଦେଖାଉଥିଲେ । କିନ୍ତୁ ସେମାନେ ମୋ ମନର ଅବସ୍ଥା ଜାଣିବେ କାହୁଁ ?

 

ମିଷ୍ଟର ମଡ଼ଷ୍ଟୋନଙ୍କ ଆସିବା ଦିନ ହେଲା । ସେମାନେ ଆସିଲେ ଯାଇ ଆମେ ଖାଇବୁଁ ବୋଲି କଥା ହୋଇଥିଲା; କିନ୍ତୁ ତାଙ୍କର ଆସିବା ସମୟ ଚାଲିଯିବାରୁ ଆମେ ଖାଇବସିଲୁଁ । ଆମେ ବସି ଖାଉଛୁଁ; ଏହି ସମୟରେ ପିଉସୀ ଡାକପକାଇଲେ, ‘‘ଜେନେଟ୍‍, ଗଧ,ଗଧ ।’’ ମୁଁ ଚକିତ ହୋଇ ଚାହିଁଲି । ଦେଖିଲି ଯେ ମିସ୍‍ ମଡ଼ଷ୍ଟୋନ ଓ ମିଷ୍ଟର ମଡ଼ଷ୍ଟୋନ ଦୁଇଟି ଗଧ ଉପରେ ବସି ଆସୁଛନ୍ତି-। ମିସ୍‍ ମଡ଼ଷ୍ଟୋନଙ୍କ ଗଧଟି ସେହି ପବିତ୍ର ଘାସପଡ଼ିଆ ଉପରେ ଯେପରି କି ଇଚ୍ଛା କରି ଆସୁଛି-। ଗଧଟି ମିସ୍‍ ମଡ଼ଷ୍ଟୋନଙ୍କୁ ପିଠିରେ ଘେନି ଦ୍ୱାର ପାଖରେ ଠିଆହେଲା । ସେତେବେଳକୁ ମୋ ପିଉସୀ ଖାଇବା ଜାଗାରୁ ଉଠିଯାଇ ଝରକା ପାଖେ ଛିଡ଼ାହୋଇ କହୁଥାନ୍ତି, ‘‘ଯାଅ, ବାହାରିଯାଅ-। ତମର ଏଠି କିଛି କାମ ନାହିଁ । ଏଠାକୁ ଆସିବାକୁ ତୁମକୁ କିଏ ଅନୁମତି ଦେଲା ? ଯାଅ, ବାହାର-। ସାହସ ତ କମ୍‍ ନୁହେଁ ?’’

 

ପିଉସୀ ଏତେ କଥା କହିଗଲେ; କିନ୍ତୁ ମିସ୍‍ ମଡ଼ଷ୍ଟୋନ ଟିକିଏ ସୁଦ୍ଧା ବିଚଳିତ ନ ହୋଇ କେବଳ ଚାରିଆଡ଼କୁ ଅନାଉଥାନ୍ତି । ମୋର ବିଶ୍ୱାସ, ତାଙ୍କର ଏପରି ଦୃଢ଼ତା ଦେଖି ପିଉସୀ କଅଣ କରିବେ କିଛି ସ୍ଥିର କରିପାରିଲେ ନାହିଁ । ମୁଁ ହଠାତ୍‍ ଯାଇ ତାଙ୍କ କାନରେ କହିଦେଲି ଯେ, ସେ ହେଉଛନ୍ତି ମିସ୍‍ ମଡ଼ଷ୍ଟୋନ ଓ ତାଙ୍କ ପଛରେ ଗଧ ଉପରେ ଯେ ବସିଛନ୍ତି, ସେ ତାଙ୍କର ଭାଇ । ଏ ପରିଚୟ ପାଇ ସୁଦ୍ଧା ପିଉସୀଙ୍କର ବ୍ୟବହାରରେ କିଛି ପରିବର୍ତ୍ତନ ଆସି ନ ଥିଲା । ସେ କ୍ରୋଧ-ବିରକ୍ତିରେ ତାଙ୍କୁ ଚାହିଁ ରହିଲେ, ‘‘ଓଃ, ଆପଣ ଆସୁଛନ୍ତି ବୋଲି ମୁଁ ଜାଣି ନ ପାରି ଆପତ୍ତି କରୁଥିଲି-। କିନ୍ତୁ ଏହି ଘାସପଡ଼ିଆ ଉପରେ କେହି ଗଧ କିମ୍ବା ଘୋଡ଼ା ଚଢ଼ି ଯିବାକୁ ମୁଁ ଦିଏ ନାହିଁ । ଯେ ଇଚ୍ଛା ସେ ହେଉ, ସମସ୍ତଙ୍କ ପକ୍ଷରେ ମୋର ସେଇ ଏକା ନିୟମ ।’’

 

ମିସ୍‍ ମଡ଼ଷ୍ଟୋନ–ଆପଣଙ୍କ ଏହି ନିୟମଟି ଅପରଚିତ ଲୋକଙ୍କ ପକ୍ଷରେ ବାସ୍ତବିକ ଅସୁବିଧାଜନକ ।

 

ପିଉସୀ–ସତେନା !

 

ଏଥିମଧ୍ୟରେ ମିଷ୍ଟର ମଡ଼ଷ୍ଟୋନ ପହଞ୍ଚିଯାଇଥିଲେ । ସେ ପହଞ୍ଚିବାମାତ୍ରେ ପିଉସୀ କହିଲେ, ‘‘ବୋଧହୁଏ ଆପଣ ହେଉଛନ୍ତି ମିଷ୍ଟର ମଡ଼ଷ୍ଟୋନ ? ମୋତେ କ୍ଷମା କରିବେ । କିନ୍ତୁ ମୁଁ ଆପଣଙ୍କୁ କହିପାରେଁ ଯେ, ଆପଣ ସେ ଝିଅଟିକୁ ନିଜର କରିବାକୁ ଚେଷ୍ଟା କରିନଥିଲେ ଖୁବ୍‍ ଭଲ ହୋଇଥାନ୍ତା ।’’ ଏହା ଶୁଣିଲାକ୍ଷଣି ମିଷ୍ଟର ମଡ଼ଷ୍ଟୋନଙ୍କ ଚେହେରା ବଦଳିଗଲା । ସେ କହିଲେ, ‘‘ମୁଁ ଆପଣଙ୍କ ଚିଠି ପାଇଛି । ମୁଁ ଭାବିଲି ଯେ, ନିଜେ ଆସି ଆପଣଙ୍କ ସଙ୍ଗରେ ସେହି ହତଭାଗ୍ୟ ପିଲାଟି ବିଷୟରେ କଥାବାର୍ତ୍ତା ହୋଇଯିବା ଭଲ । ଚାକିରି ଛାଡ଼ି, ତା’ର ଆତ୍ମୀୟମାନଙ୍କୁ ଛାଡ଼ି ସେ ଏଠାକୁ ପଳାଇ ଆସିଛି । ଅବଶ୍ୟ ଆପଣଙ୍କୁ କହିବା ଆବଶ୍ୟକ ନାହିଁ; କିନ୍ତୁ ସେ ପିଲାଟା ଆମକୁ ବହୁତ କଷ୍ଟ ଓ ଅଶାନ୍ତି ଦେଲାଣି । ସେ ବଡ଼ ଏକଜିଦିଆ, ବଦ୍‍ରାଗୀ । ମୁଁ ଭାବିଲି, ସବୁ କଥା ଆପଣଙ୍କୁ ଜଣାଇଦେବା ଭଲ ।’’

 

ମିସ୍‍ ମଡ଼ଷ୍ଟୋନ କହିଲେ, ‘‘ଭାଇ ଯାହା କହିଲେ, ସେସବୁ ପୁଣି ମୋ ପକ୍ଷରେ କହିବା ଅନାବଶ୍ୟକ । ମୁଁ କେବଳ ଏତିକି କହିପାରେଁ ଯେ, ଏ ସାରା ଦୁନିଆରେ ତା’ଭଳି ଖରାପ ପିଲା ଆଉ ନ ଥିବେ ।’’

 

ମିଷ୍ଟର ମଡ଼ଷ୍ଟୋନ–ତା’ର ମାଆ ମରିଯିବା ପରେ ମୁଁ ତା’ପାଇଁ ଗୋଟିଏ ଭଦ୍ରୋଚିତ ଚାକିରି କରାଇଦେଲି...

 

ପିଉସୀ–ତମର ନିଜ ପୁଅ ହୋଇଥିଲେ ତାକୁ ସେହିପରି ‘ଭଦ୍ରୋଚିତ’ ଚାକିରିରେ ରଖାଇଥାନ୍ତ ?

 

ମିସ୍‍ ମଡ଼ଷ୍ଟୋନ ବାହାରିପଡ଼ି କହିଲେ–ସେ ଯେବେ ଭାଇଙ୍କ ପୁଅ ହୋଇଥାନ୍ତା, ତେବେ ମୋର ଦୃଢ଼ ବିଶ୍ୱାସ, ତା’ର ସ୍ଵଭାବ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା ।

 

ପିଉସୀ–ଆଚ୍ଛା, ଯଦି ତା’ ମାଆ ବଞ୍ଚିଥାଆନ୍ତା, ତାହାହେଲେ କଅଣ ତାକୁ ଏହିପରି ‘ଭଦ୍ରୋଚିତ’ ଚାକିରିରେ ଭର୍ତ୍ତି କରାଇଥାନ୍ତ ?

 

ମିଷ୍ଟର ମଡ଼ଷ୍ଟୋନ–ମୋର ଧାରଣା, ମୁଁ ଓ ମୋର ଭଉଣୀ ଯାହା କିଛି କରିଥାନ୍ତୁ; ସେଥିରେ ତା’ ମାଆର କୌଣସି ଆପତ୍ତି ହୋଇ ନ ଥାନ୍ତା ।

 

ପିଉସୀ–ହେଲା, ତା’ପରେ ଆଉ କିଛି ଅଛି ?

 

ମିଷ୍ଟର ମଡ଼ଷ୍ଟୋନ–ସାମାନ୍ୟ କିଛି ଅଛି । ମୁଁ ଆସିଛି, ଡେଭିଡ୍‍କୁ ନେଇ ଯାହା ଭଲ ମନେକରିବି ତାହା କରିବି । ମୁଁ କଅଣ କରିବି, ସେ ବିଷୟରେ କିଛି ଜବାବ ଦେଇପାରିବି ନାହିଁ । ତା’ର ପଳେଇ ଆସିବାରେ ହୁଏତ ଆପଣଙ୍କ ପ୍ରେରଣା ଥାଇପାରେ । ଅନ୍ତତଃ ଆପଣଙ୍କ କଥାରୁ ମୋର ସେପରି ସନ୍ଦେହ କରିବାର କାରଣ ଅଛି । ତାକୁ ଏପରି ପ୍ରଶ୍ରୟ ଦେବାର ଅର୍ଥ ଚିରକାଳ ପାଇଁ ଆଶ୍ରୟ ଦେବା । ମୁଁ ନେଇଯିବାକୁ ଆସିଛି । ସେ ଯିବ କି ନା ? ସେ ଯଦି ଯିବାକୁ ପ୍ରସ୍ତୁତ ନ ଥାଏ, ତେବେ ମୁଁ ବୁଝିବି ଯେ, ତା’ପାଇଁ ମୋର ଦ୍ୱାର ଆଜିଠାରୁ ବନ୍ଦ । ଆପଣଙ୍କ ଦ୍ୱାର ତା’ପାଇଁ ଉନ୍ମୁକ୍ତ ।

 

ପିଉସୀ ଖୁବ୍‍ ମନୋଯୋଗ ଦେଇ ଏଇ ଦୀର୍ଘ ବକ୍ତୃତା ଶୁଣୁଥିଲେ । ଶୁଣିସାରି ସେ ମିସ୍‍ ମଡ଼ଷ୍ଟୋନଙ୍କୁ ଲକ୍ଷ୍ୟ କରି ପଚାରିଲେ, ‘‘ଆପଣଙ୍କର କିଛି କହିବାକୁ ଅଛି ?’’

 

ମିସ୍‍ ମଡ଼ଷ୍ଟୋନ–ମିସ୍‍ ଟ୍ରଟ୍‍ଉଡ୍‍, ମୋର ଯାହା କହିବାର ଥିଲା, ତା’ ଭାଇ ବେଶ୍‍ ଭଲରୂପେ କହିସାରିଛନ୍ତି । କେବଳ ଆପଣଙ୍କ ଭଦ୍ରତା ନିମନ୍ତେ ମୁଁ ଧନ୍ୟବାଦ ଦେଉଛି ।

 

ପିଉସୀ–ତେବେ ଡେଭିଡ୍‍ କଅଣ କହୁଛି ? ଡେଭିଡ୍‍, ତୁମେ ଯିବା ପାଇଁ ଇଚ୍ଛୁକ ?

 

ମୁଁ ସ୍ପଷ୍ଟ ମନା କରିଦେଲି । ମୁଁ କହିଲି, ‘‘ମିଷ୍ଟର ମଡ଼ଷ୍ଟୋନ କିମ୍ବା ମିସ୍‍ ମଡ଼ଷ୍ଟୋନ କେହି ମୋତେ ଭଲ ପାଆନ୍ତି ନାହିଁ । ମାଆ ମୋତେ ଭାରି ଭଲ ପାଉଥିଲେ । ଏମାନେ ମାଆର ଜୀବନକୁ ମୋ ଘେନି ଅଶାନ୍ତମୟ କରିଦେଇଥିଲେ । ଏ କଥା ପିଗୋଟି ମଧ୍ୟ ଜାଣେ । ପିଉସୀ, ତୁମେ ମୋତେ ରକ୍ଷା କର, ତୁମର ଶରଣ ନେଉଛି ।’’

 

ପିଉସୀ ମିଷ୍ଟର ଡିକ୍‍ଙ୍କୁ ଡାକି ପଚାରିଲେ, ‘‘ଏବେ ଏ ପିଲାଟି ପାଇଁ କଅଣ କରାଯିବ-?’’

 

ମିଷ୍ଟର ଡିକ୍‍–‘‘ମାପ ନେଇ ତା’ପାଇଁ ସାରେ ପୋଷାକ ତିଆରି କରାଇବାକୁ ହେବ ।’’

 

ପିଉସୀ–‘‘ମିଷ୍ଟର ଡିକ୍‍, ତୁମର ବୁଦ୍ଧି ବଡ଼ ବିଚକ୍ଷଣ ।’’ ଏହା କହି ସେ ଆନନ୍ଦରେ ତାଙ୍କ ସହିତ କରମର୍ଦ୍ଦନ କଲେ ଓ ମୋତେ ନିଜ ପାଖକୁ ଟାଣିନେଲେ । ମିଷ୍ଟର ମଡ଼ଷ୍ଟୋନଙ୍କୁ ଚାହିଁ ପିଉସୀ କହିଲେ, ‘‘ଏଣିକି ଆପଣମାନେ ଯେତେବେଳେ ଇଚ୍ଛା ଯାଇପାରନ୍ତି । ମୁଁ ପିଲାଟିକୁ ରଖି ପରୀକ୍ଷା କରି ଦେଖିବି । ଆପଣମାନେ ଯାହା କହିଲେ, ପିଲାଟି ଯଦି ସେପରି ହୋଇଥାଏ, ତେବେ ମୁଁ ଆପଣମାନଙ୍କ ପରି ଚେଷ୍ଟା କରି ଦେଖିବି । କିନ୍ତୁ ଆପଣମାନଙ୍କ କଥାରେ ମୋର ଆଦୌ ବିଶ୍ୱାସ ହେଉନାହିଁ ।’’

 

ମିଷ୍ଟର ମଡ଼ଷ୍ଟୋନ–ଯଦି ଆପଣ ଜଣେ ଭଦ୍ରଲୋକ ହୋଇଥାନ୍ତି....

 

ପିଉସୀ–ଯାଃ, ବାଜେ କଥା । ମୋତେ କିଛି କହ ନାହିଁ ।

 

ମିସ୍‍ ମଡ଼ଷ୍ଟୋନ–ଆହା, କି ଭଦ୍ରତା !

 

ପିଉସୀ–ତୁମେ କଅଣ ଭାବିଛ ଯେ, ମୁଁ କିଛି ଜାଣେନା ? ଯେଉଁ ପିଲାଟାକୁ ଶିଖେଇ ବିଭା ହୋଇଥିଲ, ତା’ର ଜୀବନକୁ ତୁମେ ଶେଷ କରିଛ । ତୁମେ ଯେଉଁ ଦିନ ତା’ ସଙ୍ଗରେ ମିଶିଲ, ସେହି ଦିନଠାରୁ ତା’ର ଭାଗ୍ୟ ଖରାପ, ଏ ପିଲାଟିର ଭାଗ୍ୟ ବି ଖରାପ ।

 

ପିଉସୀ ଯେଉଁ ବକ୍ତୃତା ଦେଲେ, ସେପରି ବକ୍ତୃତା ମିଷ୍ଟର ମଡ଼ଷ୍ଟୋନ ତାଙ୍କ ଜୀବନରେ ଶୁଣି ନ ଥିବେ । ତାଙ୍କ ମୁହଁ କଳା ପଡ଼ିଆସିଲା । ତୁଣ୍ଡରୁ ପଦେ କଥା ବାହାରିଲା ନାହିଁ ।

ପିଉସୀ ଦୁହିଁଙ୍କଠାରୁ ବିଦାୟ ନେଇ କହିଲେ, ‘‘ସାବଧାନ, ମୋ ଘାସପଡ଼ିଆ ଉପରେ ଯଦି ଗଧରେ ବସି ଯାଅ, ତେବେ ତୁମର ମହତ ସାରିଦେବି ।’’

ପିଉସୀଙ୍କ ମୁଖଭଙ୍ଗୀ ଓ ମିସ୍‍ ମଡ଼ଷ୍ଟୋନଙ୍ଗ ମୁଖଭଙ୍ଗୀ ଚିତ୍ର କରିବା ପାଇଁ ସେହିପରି ଜଣେ ବିଶିଷ୍ଟ ଚିତ୍ରକର ଲୋଡ଼ା ହୋଇଥାନ୍ତେ । ପିଉସୀଙ୍କର ଭାଷା ଓ ତା’ର ଭାବ ଏପରି ଉତ୍ତେଜନାପୂର୍ଣ୍ଣ ହେଉଥିଲା ଯେ, ମିସ୍‍ ମଡ଼ଷ୍ଟୋନ ଆଉ ପାଟି ଫିଟାଇଲେ ନାହିଁ । ଭାଇଭଉଣୀ ଦୁହେଁ ହାତ ଧରାଧରି ହୋଇ ଚାଲିଆସିଲେ । ପିଉସୀ ଝରକା ପାଖେ ଛିଡ଼ାହୋଇ ଚାହିଁଥାନ୍ତି । ବୋଧହୁଏ, ଘାସପଡ଼ିଆ ଉପରେ ଯାଇଥିଲେ ସେ ଯାହା କହିଥିଲେ, ତାହା କାର୍ଯ୍ୟରେ ପରିଣତ କରିଥାନ୍ତେ ।

କିନ୍ତୁ ଭାଇଭଉଣୀ ସେ ପବିତ୍ର ଘାସପଡ଼ିଆରୁ ଦୂରରେ ରହି ଚାଲିଗଲେ । ପିଉସୀଙ୍କର କ୍ରୋଧ କମିଆସିଲା । ମୁଁ ସାହସ ପାଇ ତାଙ୍କୁ ଚୁମ୍ବନ କରି ଧନ୍ୟବାଦ ଜଣାଇଲି । ତା’ପରେ ମିଷ୍ଟର ଡିକ୍‍ଙ୍କ ସହିତ କରମର୍ଦ୍ଦନ କଲି । ଘଟନାର ଏପରି ଶୁଭ ପରିଣତିରେ ସେ ଆନନ୍ଦ ପ୍ରକାଶ କରି ଖୁବ୍‍ ହସିଲେ ।

ପିଉସୀ–ମିଷ୍ଟର ଡିକ୍‍, ଆଜିଠାରୁ ମୋ ସହିତ ତୁମେ ମଧ୍ୟ ଏ ପିଲାର ଅଭିଭାବକ ହେଲ ।

ମିଷ୍ଟର ଡିକ୍‍–ଡେଭିଡ୍‍ର ପୁଅର ଅଭିଭାବକ ହେଲେ ମୁଁ ବଡ଼ ଆନନ୍ଦିତ ହେବି ।

ପିଉସୀ–ତେବେ ସେଇଆ ହେଲା । ମୁଁ ଭାବିଛି, ଏଣିକି ତା’ର ନାଁ ହେବ ଟ୍ରଟ୍‍ଉଡ୍‍ ।

 

ମିଷ୍ଟର ଡିକ୍‍–ନିଶ୍ଚୟ, ନିଶ୍ଚୟ, ତା’ର ନାମ ହେବ ଟ୍ରଟ୍‍ଉଡ୍‍ କପରଫିଲ୍‍ଡ ।

 

ତା’ ଆରଦିନ ମୋ’ପାଇଁ କେତେକ ପୋଷାକ କିଣା ହୋଇ ଆସିଲା । ପିଉସୀ ନିଜ ହାତରେ ଅଲିଭା କାଳିରେ ସେଥିରେ ଲେଖିଲେ ‘ଟ୍ରଟ୍‍ଉଡ୍‍ କପରଫିଲ୍‍ଡ’ । ତା’ପରେ ସେଗୁଡ଼ିକ ମୋତେ ଦିଆଗଲା ।

 

ଏହିପରି ଗୋଟିଏ ନୂତନ ନାମ ଘେନି ମୋର ନୂତନ ଜୀବନ ଆରମ୍ଭ କଲି । ମୋର ପରିସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ନୂତନ । ସବୁ ସନ୍ଦେହ ଓ ଅନିଶ୍ଚିତତା ଦୂର ହେବା ପରେ ମୁଁ ସ୍ଵପ୍ନ ରାଜ୍ୟରେ ଥିଲା ପରି ଅନୁଭବ କଲି । ପିଉସୀ ଓ ମିଷ୍ଟର ଡିକ୍‍ ଯେ କିପରି ବିଚିତ୍ର ଅଭିଭାବକ, ସେ କଥା ମୁଁ କ୍ରମେ ଭୁଲିଗଲି । ସ୍ପଷ୍ଟରୂପେ ମୁଁ ନିଜ କଥା ସୁଦ୍ଧା ଚିନ୍ତା କରିପାରି ନ ଥିଲି । ମୋର ପୁରୁଣା ଜୀବନ ଯେତିକି ଦୂରକୁ ଚାଲିଗଲା, ସେତିକି ଅସ୍ପଷ୍ଟ ହୋଇ ଆସିଲା ।

 

ମୋର ନୂତନ ଜୀବନରେ ମୁଁ ବାଲ୍ୟଜୀବନର କେତେକ ଆଶା ଓ ଆକାଙ୍‍କ୍ଷା ପୂରଣ କରିପାରିଛି । ମୋତେ କଷ୍ଟ ସହିବାକୁ ପଡ଼ିଛି ମାତ୍ର କଷ୍ଟ ସହି ମୁଁ ସଫଳତା ଲାଭ କରିଛି । ପିଉସୀଙ୍କର ବାହାର ବ୍ୟବହାର କଠୋର ସତ; କିନ୍ତୁ ତାଙ୍କର ହୃଦୟଟି ଯେ ଅତି କୋମଳ ଥିଲା, ଏଥିରେ ସନ୍ଦେହ ନାହିଁ ।

 

ନୂତନ ଜୀବନରେ ଦୁଃଖ ବା ସୁଖ ଯାହା ଆସିଛି, ଜୟ ବା ପରାଜୟ ଯାହା କିଛି ଭୋଗିଛି, ସେସବୁ ପରେ ବର୍ଣ୍ଣନା କରିବି । ଡେଭିଡ୍‍ କପରଫିଲ୍‍ଡ ବର୍ତ୍ତମାନ ଟ୍ରଟ୍‍ଉଡ୍‍ କପରଫିଲ୍‍ଡ ରୂପେ ପରିଚିତ ହେଲା । ମୋର ଡାକ ନାମ ହେଲା ଟ୍ରଟ୍‍ ।

☆☆☆

 

ମୁଁ ପୁଣି ପାଠ ପଢ଼ିଲି

 

ପିଉସୀ ଦିନକୁ ଦିନ ମୋତେ ବେଶି ସ୍ନେହ କରିବାକୁ ଲାଗିଲେ । ଦିନେ ସଞ୍ଜବେଳେ ସେ ମୋତେ କହିଲେ, ‘‘ଟ୍ରଟ୍, ପଢ଼ାପଢ଼ି ଭୁଲିଗଲେ ତୋର ଚଳିବ ନାହିଁ ।’’ ମୋର ପଢ଼ିବା ପାଇଁ ବିଶେଷ ଆଗ୍ରହ ଥାଏ । ମୁଁ ସଙ୍ଗେ ସଙ୍ଗେ ଉତ୍ତର କଲି, ‘‘ପଢ଼ିବା ପାଇଁ ମୋର ମଧ୍ୟ ଖୁବ୍‍ ଇଚ୍ଛା । କାଣ୍ଟରବରୀରେ କେତୋଟି ଭଲ ସ୍କୁଲ ଅଛି ବୋଲି ଶୁଣୁଛି । ସେହିଠାରେ କୌଣସି ସ୍କୁଲରେ ପଢ଼ିଲେ ଭଲ ହେବ ।’’

 

ଏହି କଥାବାର୍ତ୍ତାର ପରଦିନ ସକାଳୁ ମୋତେ ସଙ୍ଗରେ ନେଇ ପିଉସୀ ଗୋଟିଏ ଗାଡ଼ିରେ ବାହାରିଲେ । ପ୍ରଥମେ ଆମେ ମିଷ୍ଟର ଉଇକ୍‍ ଫିଲ୍‍ଡ ବୋଲି ଜଣେ ଓକିଲଙ୍କ ଘରକୁ ଗଲୁ । ତାଙ୍କ ସଙ୍ଗେ ପିଉସୀଙ୍କର ଆଗରୁ ପରିଚୟ ଥିଲା । ସେଠାରେ ଉରିଆ ହୀପ୍‍ ନାମରେ ଜଣେ ଯୁବକ ସଙ୍ଗେ ଦେଖାହେଲା । ସେ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ପାଖରେ ଆଇନବିଦ୍ୟା ଶିଖୁଥିଲେ ।

 

ଆଲୋଚନା ପରେ ଠିକ୍‍ ହେଲା ଯେ, ମୁଁ ଡକ୍ଟର ଷ୍ଟ୍ରଙ୍ଗଙ୍କ ସ୍କୁଲରେ ପଢ଼ିବି । ମାତ୍ର ବୋର୍ଡ଼ିଂରେ ବ୍ୟବସ୍ଥା ହୋଇ ନ ପାରିବାରୁ ସ୍ଥିର ହେଲା ଯେ ମୁଁ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ଘରେ ରହି ଖିଆପିଆ କରିବି ଓ ସ୍କୁଲକୁ ଯିବାଆସିବା କରିବି । ପିଉସୀ ମୋର ଖର୍ଚ୍ଚ ଦେବେ ।

 

ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ସ୍ତ୍ରୀ ମରିଯାଇଥିଲେ । ଘରେ ଆଗ୍ନିସ ବୋଲି ଗୋଟିଏ ଝିଅ ଛଡ଼ା ତାଙ୍କର ଆଉ କେହି ନ ଥିଲେ । ତା’ର ବୟସ ମୋର ବୟସ ସହିତ ପ୍ରାୟ ସମାନ । ମିଷ୍ଟର ଉଇକ୍‍ ଫିଲ୍‍ଡ ମୋର ରହିବା ଓ ଚଳିବା ପାଇଁ ସବୁ ବନ୍ଦୋବସ୍ତ କରିଦେଲେ । ପିଉସୀ ବିଦାୟ ନେଇ ଫେରିଯିବା ପୂର୍ବରୁ ମୋତେ ଉପଦେଶ ଦେଇ କହିଲେ, ‘‘ଟ୍ରଟ୍‍, ମନେରଖିଥିବୁ କୌଣସି ବିଷୟରେ ନୀଚତା ପ୍ରକାଶ କରିବୁ ନାହିଁ । ଯାହାର ମନ ଯେତେ ବଡ଼, ସେ ସେତେ ବଡ଼ଲୋକ ହୁଏ । ମିଛଠାରୁ ନିଜକୁ ସବୁବେଳେ ଦୂରରେ ରଖିଥିବୁ । ବାକ୍ୟରେ, ମନରେ ଓ କାର୍ଯ୍ୟରେ ସତ୍ ରହିଲେ ଜଗତରେ ଉନ୍ନତି କରିବୁ । ଆଉ ଗୋଟିଏ କଥା; କେବେ କାହାରି ପ୍ରତି ନିର୍ଦ୍ଦୟ ବ୍ୟବହାର କରିବୁ ନାହିଁ ।’’

 

ପିଉସୀ ଡୋଭର୍‍କୁ ଫେରିଗଲେ । ତତ୍ପର ଦିନ ଉଇକ୍‍ ଫିଲ୍‍ଡ ମୋତେ ସଙ୍ଗରେ ନେଇ ଡକ୍ଟର ଷ୍ଟ୍ରଙ୍ଗଙ୍କ ସ୍କୁଲକୁ ଗଲେ । ମୁଁ ଆଗରୁ କିଛି ଶିଖି ନ ଥିବାରୁ ନିମ୍ନତମ ଶ୍ରେଣୀରେ ଭର୍ତ୍ତିହେଲି । ଏହି ସ୍କୁଲରେ ମୋତେ ପଢ଼ିବାକୁ ଭାରି ଭଲ ଲାଗିଲା ।

 

ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ଘରେ ମୋର କିଛି ମାତ୍ର ଅସୁବିଧା ନ ଥିଲା । ସେ ମୋତେ ଆନ୍ତରିକ ସ୍ନେହ କରୁଥିଲେ । ଆଗ୍ନିସ ମଧ୍ୟ ମୋ ସଙ୍ଗେ ଖୁବ୍‍ ଭଲ ବ୍ୟବହାର କରୁଥିଲା । ବେଳେ ବେଳେ ଆମେ ଦୁହେଁ ଏକସଙ୍ଗରେ ଖେଳୁଥିଲୁ । ସ୍କୁଲରେ ଶିକ୍ଷକମାନେ ଆଦର କରୁଥିଲେ ଓ ପଢ଼ାପଢ଼ିରେ ଯତ୍ନ ନେଉଥିଲେ । ତେଣୁ ମୁଁ ଶୀଘ୍ର ଉନ୍ନତି କରିପାରିଲି ।

 

ରାତିରେ ଶୋଇଲାବେଳେ ମୁଁ ସାଲେମ ହାଉସର ମିଷ୍ଟର ତ୍ରିକଲ ଓ ଏଠାର ଡକ୍ଟର ଷ୍ଟ୍ରଙ୍ଗଙ୍କ ସ୍କୁଲର ତୁଳନା କଲି । ମନେହେଲା ଗୋଟିଏ ହେଉଛି ନରକ; ଅନ୍ୟଟି ହେଉଛି ସ୍ଵର୍ଗ ।

☆☆☆

 

ଷ୍ଟିଅରଫୋର୍ଥ ଓ ପିଗୋଟିଙ୍କ ସହ ସାକ୍ଷାତ

 

ମୋର ପାଠପଢ଼ା ଶେଷ ହୋଇଆସିଲା । ପିଉସୀ ମୋର ଭବିଷ୍ୟତ ବିଷୟରେ ମୋତେ ପଚାରନ୍ତି; କିନ୍ତୁ ମୁଁ କିଛି ଉତ୍ତର ଦେଇପାରେ ନାହିଁ । ମୁଁ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ଡକ୍ଟର ଷ୍ଟ୍ରଙ୍ଗଙ୍କ ଠାରୁ ବିଦାୟ ନେଇ ଡୋଭର୍‍ ଚାଲିଗଲି । ପହଞ୍ଚିଲାମାତ୍ରେ ପୁଣି ମୋର ଭବିଷ୍ୟତ ପ୍ରଶ୍ନ ଉଠିଲା; କିନ୍ତୁ ମୁଁ ସେତେବେଳ ପର୍ଯ୍ୟନ୍ତ କିଛି ସିଦ୍ଧାନ୍ତ କରିନଥିଲି । ଏହି ସମୟରେ ପିଉସୀ ପ୍ରସ୍ତାବ କଲେ, ‘‘ଟ୍ରଟ୍‍, ଗୋଟିଏ କଥା କର । କିଛି ଦିନ ପାଇଁ ୟାର୍‍ମାଉଥରେ ବୁଲିଆସ । ତୋର ପୁରୁଣା ଚାକରାଣୀ ପିଗୋଟି ସଙ୍ଗେ କିଛି ଦିନ କଟାଇ ପାରିବୁ । ସେଠାରୁ ଫେରିଆସିଲେ ତୋର ଭବିଷ୍ୟତ ବିଷୟରେ ଯାହା କିଛି ସ୍ଥିର କରିବା ।’’ ଏହା କହି ସେ ମୋର ଖର୍ଚ୍ଚ ପାଇଁ କିଛି ଟଙ୍କା ଦେଲେ । ମୁଁ ଏ ପ୍ରସ୍ତାବରେ ଅତ୍ୟନ୍ତ ଆନନ୍ଦିତ ହେଲି ।

 

ପ୍ରଥମେ ମୁଁ ଯାଇ କାଣ୍ଟରବରୀରେ ପହଞ୍ଚିଲି । ସେଠାରେ ମିଷ୍ଟର ଉଇକ୍‍ ଫିଲ୍‍ଡ, ଆଗ୍ନିସ ଓ ଡକ୍ଟର ଷ୍ଟ୍ରଙ୍ଗଙ୍କ ସହିତ ଦେଖାକରି ସେମାନଙ୍କଠାରୁ ବିଦାୟ ନେଲି । ତତ୍ପର ଦିନ ମୁଁ ଚେରିଙ୍ଗକ୍ରସ ଯାଇ ଗୋଟିଏ ହୋଟେଲରେ ରହିଲି ।

 

ମୁଁ ଶୋଇବାକୁ ମୋର କୋଠରିକୁ ଯାଉଛି, ଠିକ୍‍ ଏତିକି ବେଳେ ଦୈବାତ୍‍ ମିଷ୍ଟର ଷ୍ଟିଅରଫୋର୍ଥଙ୍କ ସଙ୍ଗେ ଦେଖା ହୋଇଗଲା । ସାଲେମ ହାଉସର ଜଣେ ପୁରୁଣା ସଙ୍ଗୀକୁ ଦେଖି ମୋର ମନ ଆନନ୍ଦରେ ପୂରିଗଲା । ତାଙ୍କଠାରୁ ବୁଝିଲି, ସେ ଏବେ ଅକ୍ସଫୋର୍ଡ଼ର ଛାତ୍ର । ହାଇଗେଟରେ ତାଙ୍କର ମାଆ ଅଛନ୍ତି । ସେ ତାଙ୍କ ପାଖକୁ ଯାଉଛନ୍ତି । ଆମ ଦୁହିଁଙ୍କ ମଧ୍ୟରେ ଅନେକ କଥା ପଡ଼ିଲା । ମୋର କୌଣସି ଜରୁରି କାମ ନ ଥିଲା । ତେଣୁ ମିଷ୍ଟର ଷ୍ଟିଅରଫୋର୍ଥ ମୋତେ ତାଙ୍କ ଘରକୁ ଯିବାକୁ ଡାକିଲେ । ମୁଁ ମଧ୍ୟ ସେଥିରେ ସ୍ୱୀକୃତ ହୋଇଗଲି । ଦୁହେଁ ହାଇଗେଟରେ ପହଞ୍ଚିଲୁ । ଆମେ ଗାଡ଼ିରୁ ଓହ୍ଲାଇବାମାତ୍ରେ ଷ୍ଟିଅରଫୋର୍ଥଙ୍କ ମାଆ ଆମକୁ ସାଦର ସମ୍ଭାଷଣ ଜଣାଇ ଘରକୁ ନେଇଗଲେ । ଆମେମାନେ ହାଇଗେଟରେ ଗୋଟିଏ ସପ୍ତାହ କଟାଇଲୁ-। ପିଗୋଟି ସହିତ କିଛିଦିନ କଟାଇବାକୁ ମୋର ଇଚ୍ଛା ଥିଲା । ଷ୍ଟିଅରଫୋର୍ଥଙ୍କୁ ମୋ ସାଙ୍ଗରେ ଯିବା ପାଇଁ କହିଲି । କିନ୍ତୁ ସେ ପରେ ଯିବାକୁ କହିବାରୁ ମୁଁ ତାଙ୍କୁ ପିଗୋଟିର ଠିକଣା ଦେଇ ଆଗ ଚାଲିଗଲି ।

 

ଏତେ ଦିନ ପରେ ମୋତେ ଦେଖି ପିଗୋଟିର ଆନନ୍ଦର ସୀମା ରହିଲା ନାହିଁ । ସେତେବେଳକୁ ବାର୍କିସ୍‍ ଭୟଙ୍କର ବାତ ରୋଗରେ ପଡ଼ିଥାନ୍ତି; ଚାଲବୁଲ କରିବାକୁ ଅକ୍ଷମ । ତେଣୁ ପିଗୋଟି ମୋତେ ତାଙ୍କ ପାଖକୁ ନେଇଗଲା । ସେ ମୋତେ ଖୁବ୍‍ ପ୍ରଶଂସା କରି କହିଲେ, ‘‘ଆପଣଙ୍କ ଅନୁଗ୍ରହରୁ ମୁଁ ପିଗୋଟି ପରି ସ୍ତ୍ରୀଟିଏ ପାଇଛି ।’’ ଆମ ଦୁହିଁଙ୍କ ଭିତରେ ଅନେକ ପୁରୁଣା କଥା ପଡ଼ିଲା ।

 

ଯଥାସମୟରେ ମିଷ୍ଟର ଷ୍ଟିଅରଫୋର୍ଥ ଆସି ପହଞ୍ଚିଲେ । ତାଙ୍କର ଅଭ୍ୟର୍ଥନା ପାଇଁ ପିଗୋଟି ସମସ୍ତ ଆୟୋଜନ କରି ରଖିଥିଲା । ତାଙ୍କର ମଧୁର ବ୍ୟବହାର, କଥାବାର୍ତ୍ତା ଓ ଚାଲିଚଳନରେ ପିଗୋଟି ଓ ବାର୍କିସ୍‍ ମୁଗ୍ଧ ହୋଇଗଲେ । ଆମର ଦିନଗୁଡ଼ିକ ଆନନ୍ଦରେ କଟିଲା ।

☆☆☆

 

ମୁଁ ଓକିଲାତି ଶିକ୍ଷାକଲି

 

ଷ୍ଟିଅରଫୋର୍ଥଙ୍କ ସହିତ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ମୁଁ ଏହି ଅଞ୍ଚଳର ନାନା ସ୍ଥାନ ବୁଲିଲି । ଏହି ସମୟରେ ମୁଁ ପିଉସୀଙ୍କଠାରୁ ଖଣ୍ଡିଏ ଚିଠି ପାଇଲି । ସେଥିରେ ସେ ମୋର ଭବିଷ୍ୟତ ବିଷୟରେ କିଛି ସୂଚନା ଦେଇଥିଲେ । ଏ ବିଷୟରେ ମୁଁ ଷ୍ଟିଅରଫୋର୍ଥଙ୍କ ପରାମର୍ଶ ନେବା ଉଚିତ ମନେକଲି । ଆମେ ଘରକୁ ଫେରିବା ପାଇଁ ବାହାରିଲୁ । ମିଷ୍ଟର ବାର୍କିସ୍‍, ପିଗୋଟି ପ୍ରଭୃତିଙ୍କଠାରୁ ବିଦାୟ ନେଇ ଆମେ ସେ ସ୍ଥାନ ଛାଡ଼ିଲୁ ।

 

ବାଟରେ ମୁଁ ପିଉସୀଙ୍କ ଚିଠି ବିଷୟ ମିଷ୍ଟର ଷ୍ଟିଅରଫୋର୍ଥଙ୍କୁ ଜଣାଇଲି । ପିଉସୀ ସେହି ଚିଠିରେ ମୋତେ ପଚାରିଥିଲେ–ମୁଁ ପ୍ରକ୍ଟର ହେବାକୁ ଇଚ୍ଛା କରେଁ କି ନା ? ପ୍ରକୃତରେ ପ୍ରକ୍ଟର କାହାକୁ କହନ୍ତି, ମୁଁ ଜାଣିନଥିଲି । ମୁଁ ମିଷ୍ଟର ଷ୍ଟିଅରଫୋର୍ଥଙ୍କୁ ଏହା ଜଣାଇବାରୁ ସେ ମୋତେ ବୁଝାଇଦେଲେ ଯେ ପ୍ରକ୍ଟରମାନେ ମଧ୍ୟ ଏକପ୍ରକାର ଓକିଲ । କିନ୍ତୁ ଓକିଲମାନଙ୍କଠାରୁ ସେମାନଙ୍କ ଆସନ ତଳେ । ତେବେ ପ୍ରକ୍ଟରମାନଙ୍କ ଆୟ ନିତାନ୍ତ ମନ୍ଦ ହୁଏ ନାହିଁ । ସମାଜରେ ମଧ୍ୟ ସେମାନଙ୍କର ସମ୍ମାନ ଥାଏ । ମୁଁ ମନେମନେ ପ୍ରକ୍ଟର ହେବାକୁ ସ୍ଥିର କଲି ।

 

ସେତେବେଳକୁ ପିଉସୀ ଗୋଟିଏ ହୋଟେଲର ଭଡ଼ାଘରେ କିଛିଦିନ ପାଇଁ ରହିଥାନ୍ତି । ଷ୍ଟିଅରଫୋର୍ଥ ତାଙ୍କ ଘରକୁ ଗଲେ ଓ ମୁଁ ଯାଇ ହୋଟେଲରେ ପିଉସୀଙ୍କ ସଙ୍ଗେ ଦେଖାକଲି । ସେ ମୋତେ ଦେଖି ଖୁବ୍‍ ଆନନ୍ଦ ପ୍ରକାଶ କଲେ । ରାତିରେ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ପିଉସୀ ମୋତେ ମୋର ଭବିଷ୍ୟତ ବିଷୟରେ ପଚାରିଲେ । ମୁଁ କହିଲି, ‘‘ପ୍ରକ୍ଟର ହେବାକୁ ମୋର ବିଶେଷ ଇଚ୍ଛା । କିନ୍ତୁ ସେଥିପାଇଁ ପ୍ରଥମେ କେତେ ଦିନ ଶିକ୍ଷାନବିସ ହେବାକୁ ପଡ଼ିବ । ଏହି ସମୟରେ ବହୁତ ଖରଚ ପଡ଼େ ବୋଲି ଶୁଣିଛି ।’’ ଏହା ଶୁଣି ପିଉସୀ କହିଲେ, ‘‘ହଁ, ମୁଁ ସେକଥା ଜାଣେ । ଶିକ୍ଷାନବିସ ହେବା ପାଇଁ ହଜାରେ ପାଉଣ୍ଡ ଲାଗିବ । ତୋ’ପାଇଁ ମୁଁ ଏହି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି । ତୁ ବଡ଼ ଲୋକ ହୋଇ ସୁଖରେ ରହିଲେ ମୋର ଆନନ୍ଦ ।’’

 

ଡକ୍‍ଟରସ କମନ୍‍ସରେ ମେସର୍ସ ସ୍ପେନଲୋ ଏଣ୍ଡ ଜର୍କିନସ୍‍ଙ୍କ ଅଫିସ । ଏହିଠାରେ ଭାବୀ ପ୍ରକ୍ଟରମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା ଅଛି । ପିଉସୀଙ୍କ ସହିତ ମୁଁ ସେଠାକୁ ଗଲି । ପିଉସୀ ଚୁକ୍ତିପତ୍ରରେ ସ୍ଵାକ୍ଷର କଲେ । ମିଷ୍ଟର ସ୍ପେନଲୋ ମୋତେ କୋର୍ଟକୁ ନେଇଗଲେ । ଅବଶ୍ୟ ଯିବାପୂର୍ବରୁ ସେ ମୋତେ କଳା ଗାଉନ୍‍ ପ୍ରଭୃତି ଆବଶ୍ୟକ ପୋଷାକ କିଣାଇ ଦେଇଥିଲେ ।

☆☆☆

 

ମିସ୍‍ ସ୍ପେନଲୋ ଓ ମୁଁ

 

ମୋର ସମୟ ଖୁବ୍‍ ଆନନ୍ଦରେ କଟୁଥିଲା । ଦିନେ ସକାଳେ ମୁଁ ବୁଲି ବାହାରିଛି, ଏହି ସମୟରେ ମୋତେ ଖଣ୍ଡିଏ ଚିଠି ମିଳିଲା । ଚିଠିଖଣ୍ଡିକ ଆସିଥିଲା ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ଝିଅ ଆଗ୍ନିସଠାରୁ । ଅତି ଆଗ୍ରହରେ ମୁଁ ଚିଠିଟି ଖୋଲି ପଢ଼ିଲି । ଜଣାଗଲା ଯେ ଆଗ୍ନିସ ବର୍ତ୍ତମାନ ହଲବର୍ଣ୍ଣର ଏଲି ପ୍ଲେସରେ ତାଙ୍କ ପିତାଙ୍କ ଏଜେଣ୍ଟ ମିଷ୍ଟର ୱାଟରବ୍ରୁକଙ୍କ ଘରେ ଅଛନ୍ତି । ସେଦିନ ତାଙ୍କ ପାଖକୁ ଯିବା ପାଇଁ ସେ ମୋତେ ଅନୁରୋଧ କରିଛନ୍ତି । ମୁଁ ଅବିଳମ୍ବେ ବାହାରିପଡ଼ିଲି । ଯଥାସମୟରେ ମୁଁ ମିଷ୍ଟର ୱାଟରବ୍ରୁକଙ୍କ ଘରେ ପହଞ୍ଚିଲି । ଆଗ୍ନିସ ମୋତେ ଆଦର କରି ତାଙ୍କ ଡ୍ରଇଂ ରୁମରେ ବସାଇ ଦୁହିଁଙ୍କ ଭିତରେ କଥାବାର୍ତ୍ତା ପ୍ରସଙ୍ଗରେ କହିଲେ, ‘‘ଉରିଆ ହୀପ୍‍ ବାପାଙ୍କ ଅଫିସର ତଳ ମହଲାରେ କାମ କରୁଥିବାର ତୁମେ ଦେଖିଥିବ । ସେ ପ୍ରତିଦିନ କାମ କରିବାକୁ ଆସେ । ମୋର ସନ୍ଦେହ, ଲୋକଟିର ସ୍ଵଭାବ ଭଲ ନୁହେଁ । ସେ କିଛି ଗୋଟାଏ ଷଡ଼ଯନ୍ତ୍ରରେ ଲାଗିଥିବାର ଅନୁମାନ ହୁଏ ।’’ ମୁଁ ହଠାତ୍‍ ଏ ବିଷୟରେ କିଛି ମତ ଦେଇପାରିଲି ନାହିଁ ।

 

ଆଗ୍ନିସ ମୋତେ ମିଷ୍ଟର ୱାଟରବ୍ରୁକ୍‍ ଓ ତାଙ୍କ ସ୍ତ୍ରୀଙ୍କ ସହିତ ପରିଚୟ କରାଇଦେଲେ । ସେମାନେ ମୋତେ ଖୁବ୍‍ ଆଦର କରି ତତ୍ପର ଦିନ ଖାଇବାକୁ ନିମନ୍ତ୍ରଣ କଲେ ।

 

ମୋ ଭଳି ଆହୁରି କେତେ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୁଁ ଉପସ୍ଥିତ ହୋଇ ଶୁଣିଲି ଯେ ମିଷ୍ଟର ଟ୍ରେଡଲ୍‍ସ ମଧ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରୁ ଜଣେ । ଖାଇ ସାରିବା ପରେ ମୁଁ ଟ୍ରେଡ଼ଲ୍‍ସଙ୍କୁ ନେଇ ଉପର ମହଲାକୁ ଗଲି ଓ ସେଠାରେ ତାଙ୍କୁ ଆଗ୍ନିସଙ୍କ ସଙ୍ଗେ ପରିଚୟ କରାଇଦେଲି । ଯାହାହେଉ ଆମ ଦୁହିଁଙ୍କ ଭିତରେ ଅନେକ କଥାବାର୍ତ୍ତା ହେଲା । ବୋଧହେଲା, ସତେ ଅବା ଆମେ ଆମର ଯାହା କହିବାର ଥିଲା, ତା’ର ଅଧେ ମଧ୍ୟ କହିପାରିନାହୁଁ ।

 

ମୋର ଦିନଗୁଡ଼ିକ ଖୁବ୍‍ ଆନନ୍ଦରେ କଟୁଥିଲା । ପିଉସୀ ମୋ’ପାଇଁ ଘରଭଡ଼ା ଇତ୍ୟାଦି ଦେଉଥିଲେ; ତାହାଛଡ଼ା ମୋର ହାତଖର୍ଚ୍ଚ ସକାଶେ ବର୍ଷକୁ ନବେ ପାଉଣ୍ଡ ଦେଉଥିଲେ । ତେଣୁ ଅଭାବ କଅଣ ମୁଁ ଜାଣିପାରୁ ନଥିଲି । ମୁଁ ଶିକ୍ଷାନବିସ କାର୍ଯ୍ୟରେ ଯେଉଁ ଦିନ ଯୋଗଦେଲି ସେହି ଦିନ ମିଷ୍ଟର ସ୍ପେନଲୋ ମୋତେ ତାଙ୍କ ଘରକୁ ନେଇଗଲେ । ସେଦିନ ତାଙ୍କ ଝିଅ ଡୋରା ଫ୍ରାନ୍ସରେ ପଢ଼ା ଶେଷ କରି ଘରକୁ ଫେରିବାର କଥା ଥିଲା । ମିଷ୍ଟର ସ୍ପେନଲୋଙ୍କର ଘର ନରଉଡ଼ରେ । ତାଙ୍କର ସ୍ତ୍ରୀ ମରିଯାଇଥିଲେ । ଏହି ଝିଅଟି ଛଡ଼ା ତାଙ୍କର ଅନ୍ୟ କେହି ନ ଥିଲେ । ମୁଁ ମିଷ୍ଟର ସ୍ପେନଲୋଙ୍କ ସହିତ ନରଉଡ଼ରେ ପହଞ୍ଚିଲି । ସେ ମୋତେ ନେଇ ଡୋରା ଓ ତାଙ୍କ ସେକ୍ରେଟାରୀଙ୍କ ସହିତ ପରିଚୟ କରାଇଦେଲେ । ଏହି ସେକ୍ରେଟାରୀ ମିସ୍‍ ମଡ଼ଷ୍ଟୋନଙ୍କ ଛଡା ଅନ୍ୟ କେହି ନୁହନ୍ତି-। ମିଷ୍ଟର ସ୍ପେନଲୋ କହିଲେ, ‘‘ଏହି ମାତୃହୀନା ଝିଅଟିର ଭାର ମିସ୍‍ ମଡ଼ଷ୍ଟୋନଙ୍କ ଉପରେ ଦେଇ ମୁଁ ଟିକିଏ ନିଶ୍ଚିନ୍ତ ।’’

 

ଡୋରାଙ୍କ ପରି ସୁନ୍ଦରୀ ଝିଅ ମୁଁ ଏଥିପୂର୍ବରୁ ଦେଖି ନ ଥିଲି । ମୋ ମନରେ ଡ଼ୋରାଙ୍କ ଛଡ଼ା ଅନ୍ୟ କୌଣସି ଚିନ୍ତା ନ ଥିଲା । ଆଖି ବୁଜିଲେ ମଧ୍ୟ ତାଙ୍କ ରୂପ ମୋତେ ଦେଖାଯାଉଥିଲା । ରାତିରେ ଖାଇଲାବେଳେ ମୁଁ ଡୋରାଙ୍କ ଚିନ୍ତାରେ ଏପରି ବୁଡ଼ିରହିଥିଲି ଯେ କିଛି ଖାଇପାରିଲି ନାହିଁ-। ଶୋଇଲାବେଳେ ମଧ୍ୟ ତାଙ୍କୁ ସ୍ଵପ୍ନରେ ଦେଖିଲି । ମନୁଷ୍ୟ ଯେ ଗୋଟିଏ ଝିଅର ଚିନ୍ତାରେ ଏପରି ବୁଡ଼ିଯାଇପାରେ ତାହା ମୁଁ ଏଥିପୂର୍ବରୁ କଳ୍ପନା କରିନଥିଲି ।

 

ରାତିଯାକ ମୋତେ ନିଦ ହେଲା ନାହିଁ । ସକାଳୁ ଉଠି ମୁଁ ବଗିଚାକୁ ଗଲି । ସେଠାରେ ମୁଁ ଡୋରାଙ୍କୁ ଦେଖିପାରିଲି । ଏତେ ସହଳ ସହଳ ବଗିଚାକୁ ଆସିବାର କାରଣ ପଚାରିବାରୁ ଡୋରା କହିଲେ, ‘‘ମିସ୍ ମଡ଼ଷ୍ଟୋନଙ୍କ ସକାଶେ ଘର ଭିତରେ ରହିବାକୁ ଭଲ ଲାଗୁନାହିଁ । ଦିନବେଳେ ମଧ୍ୟ ମୋତେ ଘରଟା ଅନ୍ଧାରୁଆ ଜଣାପଡ଼ୁଛି । ସେଥିପାଇଁ ଶୀଘ୍ର ବଗିଚାକୁ ଆସିଛି ।’’ ମୁଁ ଉତ୍ତର କଲି, ‘‘ମୋତେ ମଧ୍ୟ ଘରଟା ଅନ୍ଧକାରମୟ ବୋଧହେଉଥିଲା । ଏଠାରେ କିନ୍ତୁ ସବୁ ଉଜ୍ଜ୍ଵଳ, ଆଲୋକମୟ ।’’

 

ଦିନଟି ବେଶ୍‍ ଆନନ୍ଦରେ କଟିଗଲା । ଖିଆପିଆ ଶେଷ ହେବାରୁ ମୁଁ କେତେବେଳ ପର୍ଯ୍ୟନ୍ତ ମିଷ୍ଟର ସ୍ପେନଲୋଙ୍କ ସହିତ ଗଳ୍ପ କଲି । ମୁଁ ମନେମନେ ଡୋରାଙ୍କୁ ମୋର ଜୀବନସଙ୍ଗିନୀ ବୋଲି କଳ୍ପନା କରିନେଇଥିଲି । ମୋର ମନେହେଲା, ଏଇ ମିଷ୍ଟର ସ୍ପେନଲୋ ମୋର ଶ୍ଵଶୁର । ସେ ଡୋରା ସହିତ ମୋର ନିର୍ବନ୍ଧରେ ଆନନ୍ଦ ପ୍ରକାଶ କରିବେ ଓ ଆମର ମିଳନରେ ସେ ସୁଖୀ ହେବେ।

 

ରାତିରେ ମୁଁ କେତେ ମଧୁର ସ୍ଵପ୍ନ ଦେଖୁ ଦେଖୁ ଶୋଇପଡ଼ିଲି । ସକାଳ ହେବାରୁ ଆମର ଫେରିଯିବାର ବନ୍ଦୋବସ୍ତ ହେଲା । ମୁଁ ଡୋରା ପାଖରୁ ବିଦାୟ ନେଇ ଆସିଲି । ସେତେବେଳେ ସେ ତା’ର ପୋଷା କୁକୁରଟିକୁ କୋଳରେ ଧରି ଯେପରି ଦେଖାଯାଉଥିଲେ, ସେ ଦୃଶ୍ୟଟିକୁ ମୁଁ ଭୁଲିପାରିଲି ନାହିଁ ।

☆☆☆

 

ମିଷ୍ଟର ମିକାବରଙ୍କ ସଙ୍ଗେ ଭେଟ

 

ମିଷ୍ଟର ଟ୍ରେଡଲ୍‍ସ କାମଡ଼େନ୍‍ ସହରର ଗୋଟିଏ ଗଳିରେ ରହୁଥିଲେ । ଦିନେ ମୁଁ ତାଙ୍କ ସଙ୍ଗେ ଦେଖା କରିବାକୁ ଗଲି । ସେ ଗଳିଟି ନିତାନ୍ତ ଅପରିଷ୍କାର । ଟ୍ରେଡ଼ଲ୍‍ସ ମୋତେ ଦେଖି ଉପରୁ ଓହ୍ଲାଇ ଆସି ଉପରମହଲାର ଗୋଟିଏ କୋଠରିକୁ ନେଇଗଲେ । ଦୁଇବନ୍ଧୁ ବସି ଆମର ସ୍କୁଲଦିନର ସୁଖଦୁଃଖ ବିଷୟରେ ଗଳ୍ପ କଲୁ । କିଛି ସମୟ ପରେ ଟ୍ରେଡ଼ଲ୍‍ସ କ’ଣ କରୁଛନ୍ତି ବୋଲି ପଚାରିଲି । ସେ କହିଲେ–ମୁଁ ସ୍କୁଲ ଛାଡ଼ିବା ପରେ ପରେ ମୋର ଦାଦାଙ୍କର ମୃତ୍ୟୁ ହେଲା । ଉତ୍ତରାଧିକାରୀ ସୂତ୍ରେ ମୁଁ ତାଙ୍କଠାରୁ ମାତ୍ର ପଚାଶ ପାଉଣ୍ଡ ପାଇଥିଲି । ଏଥିରେ ଚଳି ହୁଅନ୍ତା କିପରି ? ତେଣୁ ମୁଁ କେତେକ ଓକିଲଙ୍କ ପାଖେ ମୋହରିର କାମ କଲି । ଏଥିରୁ ଯେଉଁ ସାମାନ୍ୟ ଆୟ ହୁଏ ସେଥିରେ ଚଳେ । ଦାଦାଙ୍କଠାରୁ ପାଇଥିବା ପଚାଶ ପାଉଣ୍ଡ ଫିସ୍‍ ଦେଇ ଓକିଲାତି ପଢ଼ୁଛି । ପେଟ ପୋଷିବା ପାଇଁ ନାନାପ୍ରକାର କାମ କରୁଛି ।

 

ବର୍ତ୍ତମାନ ମୁଁ ମିଷ୍ଟର ମିକାବରଙ୍କ ପରିବାର ସହିତ ରହିଛି ।

 

ଏହା ଶୁଣିଲା ମାତ୍ରେ ମୁଁ ମିକାବରଙ୍କ ସହିତ ଦେଖା କରିବାକୁ ଇଚ୍ଛା ପ୍ରକାଶ କଲି । ଟ୍ରେଡ଼ଲ୍‍ସ ତାଙ୍କୁ ଡାକିଆଣିଲେ । ସେ ହଠାତ୍‍ ମୋତେ ଚିହ୍ନିପାରିଲେ ନାହିଁ । କିନ୍ତୁ ଅଳ୍ପ ସମୟ ପରେ ସେ ମୋତେ ଚିହ୍ନି ଆଦର ଅଭ୍ୟର୍ଥନା କଲେ ଓ ସ୍ତ୍ରୀଙ୍କୁ ମଧ୍ୟ ଡାକିଆଣିଲେ । ମିସେସ୍‍ ମିକାବର ମୋତେ ଦେଖି ବିଶେଷ ଆନନ୍ଦିତ ହେଲେ । ମୁଁ ଦେଖିଲି, ମିସେସ୍‍ ମିକାବରଙ୍କ ମନରେ ସୁଖ ନାହିଁ । ଆର୍ଥିକ ଦୁରବସ୍ଥା ଏଥିର କାରଣ ହୋଇଥିବ ବୋଲି ଅନୁମାନ କଲି । ମୁଁ ଦିନେ ମିଷ୍ଟର ଟ୍ରେଡ଼ଲ୍‍ସ, ମିଷ୍ଟର ମିକାବର ଓ ମିସେସ୍‍ ମିକାବରଙ୍କୁ ମୋର ଆତିଥ୍ୟ ଗ୍ରହଣ କରିବାକୁ ଅନୁରୋଧ କଲି । ସମସ୍ତଙ୍କ ପକ୍ଷରେ ସୁବିଧା ହେବା ଭଳି ଗୋଟିଏ ଦିନ ସ୍ଥିର କରାଗଲା ।

☆☆☆

 

Unknown

ବାର୍କିସ୍‍ଙ୍କ ମୃତ୍ୟୁ

 

ନିର୍ଦ୍ଦିଷ୍ଟ ଦିନ ଉପସ୍ଥିତ ହେଲା । ମିସେସ୍‍ କ୍ରୁପ୍‍ଙ୍କ ଉପରେ ରାନ୍ଧିବାର ଭାର ଦିଆଗଲା । ପରଷାପରଷି ଓ ଅନ୍ୟ କାମ ପାଇଁ ଗୋଟିଏ ଝିଅକୁ ନିଯୁକ୍ତ କଲି । ମାଛ, ମାଂସ, ପରିବା ପ୍ରଭୃତି ସବୁ ଯୋଗାଡ଼ ହେଲା । ଯଥାସମୟରେ ଅତିଥିମାନେ ଆସି ପହଞ୍ଚିଲେ । ମିଷ୍ଟର ମିକାବର ମୋର ରହିବା ଘରର ସାଜ୍ଜସଜ୍ଜା ଦେଖି ଖୁବ୍‍ ପ୍ରଶଂସା କଲେ ।

 

ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ ହୋଇଗଲା । ସମସ୍ତେ ଖାଇବସିଲୁ । ଖାଇବାବେଳେ ନାନା ଗଳ୍ପ ଚାଲିଲା । ସମସ୍ତେ ଏଥିରେ ତୃପ୍ତ ହେଲେ ।

 

ଆମର ଭୋଜନ ଠିକ୍‍ ଶେଷ ହେଲାବେଳକୁ ମିଷ୍ଟର ଷ୍ଟିଅରଫୋର୍ଥ ୟାର୍‍ମାଉଥ୍‍ରୁ ଆସି ସେଠାରେ ପହଞ୍ଚିଲେ । ପିଗୋଟିଠାରୁ ସେ ମୋ ପାଖକୁ ଖଣ୍ଡିଏ ଚିଠି ଆଣିଥିଲେ । ସେଥିରୁ ଜଣାଗଲା ଯେ ମିଷ୍ଟର ବାର୍କିସ୍‍ଙ୍କର ଶେଷ ସମୟ ଉପସ୍ଥିତ । ମୁଁ ସ୍ଥିର କଲି ଯେ ଏପରି ଅବସ୍ଥାରେ ପିଗୋଟି ପାଖକୁ ଯାଇ ତାକୁ ସାନ୍ତ୍ୱନା ଦେବା ମୋର କର୍ତ୍ତବ୍ୟ ।

 

ମୁଁ ୟାର୍‍ମାଉଥରେ ପହଞ୍ଚିଲି । ସେତେବେଳକୁ ମିଷ୍ଟର ବାର୍କିସ୍‍ଙ୍କର ଅବସ୍ଥା ଅତି ଶୋଚନୀୟ । ପିଗୋଟି ମୋତେ କହିଲେ ଯେ ସେ ଦିନ ଭଟ୍ଟା ପଡ଼ିଲା ବେଳକୁ ମୃତ୍ୟୁ ଘଟିବ । ତାଙ୍କର ଏପରି ଅନୁମାନର କାରଣ ପଚାରିବାରୁ ସେ କହିଲେ, ‘‘ଆମର ବିଶ୍ୱାସ, ଭଟ୍ଟା ନ ପଡ଼ିଲେ ଆମ କେଉଟଙ୍କର ପ୍ରାଣବାୟୁ ବାହାରିଯାଏ ନାହିଁ ।’’ କିଛି ସମୟ ପରେ ଦେଖାଗଲା, ବାର୍କିସ୍‍ଙ୍କର ଟିକିଏ ଚେତା ଆସିଲା । ଆତଙ୍କ ଆଖି ଫିଟିଲା । ସେ କ୍ଷୀଣ ସ୍ଵରରେ କହିଲେ, ‘‘କ୍ଳାରା ପିଗୋଟି; ତା’ଠାରୁ ବଳି ସ୍ତ୍ରୀ ନାହିଁ ।’’ ଏହି ସମୟରେ ପିଗୋଟି ବଡ଼ ପାଟିକରି କହିଲେ, ‘‘ତୁମକୁ ଦେଖିବା ପାଇଁ ମିଷ୍ଟର ଡେଭିଡ୍‍ କପରଫିଲ୍‍ଡ ଆସିଛନ୍ତି ।’’ ଏହା ଶୁଣିଲାକ୍ଷଣି ବାର୍କିସ୍‍ଙ୍କର ମୁହଁ ଉଜ୍ଜ୍ଵଳ ଦେଖାଗଲା । ସେ ମୁହଁରେ ଟିକିଏ ହସ ଫୁଟାଇ କହିଲେ, ‘‘ଡେଭିଡ୍ ! ହଁ ବାର୍କିସ୍‍ ରାଜି ଅଛି ।’’ ଏତିକି ବେଳକୁ ଭଟ୍ଟା ପଡ଼ିଲା; ତା’ ସଙ୍ଗେ ସଙ୍ଗେ ବାର୍କିସ୍‍ଙ୍କର ପ୍ରାଣବାୟୁ ବାହାରିଗଲା ।

☆☆☆

 

ଡୋରାଙ୍କ ସହିତ ମୋର ବିବାହ ପ୍ରସ୍ତାବ

 

ଦିନେ ମିଷ୍ଟର ସ୍ପେନଲୋ ମୋତେ କହିଲେ, ‘‘ମିଷ୍ଟର ଟ୍ରଟ୍‍, ଠିକ୍‍ ସପ୍ତାହକ ପରେ ଡୋରାର ଜନ୍ମଦିନ ପଡ଼ିବ । ସେହି ଉପଲକ୍ଷେ ଗୋଟିଏ ପିକ୍‍ନିକ୍‍ର ବ୍ୟବସ୍ଥା ହେଉଅଛି । ଆପଣ ସେଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଲା ।’’

 

ଏହି ଖବରରେ ମୁଁ ବିଶେଷ ଆନନ୍ଦିତ ହେଲି । ନିର୍ଦ୍ଦିଷ୍ଟ ଦିନ ମୁଁ ବଜାରକୁ ଯାଇ ଡୋରାଙ୍କୁ ଉପହାର ଦେବା ଉଦ୍ଦେଶ୍ୟରେ ଗୋଟିଏ ଫୁଲତୋଡ଼ା କିଣିଆଣିଲି । ଯିବା ପାଇଁ ଗୋଟିଏ ଘୋଡ଼ା ଭଡ଼ାରେ ଅଣାଗଲା । ଦିନ ଦଶଟା ବେଳକୁ ମୁଁ ଘୋଡ଼ାରେ ବସି ନରଉଡ଼କୁ ବାହାରିଲି । ନରଉଡ଼ରେ ପହଞ୍ଚି ଦେଖିଲି ଡୋରା ବଗିଚା ଭିତରେ ଗୋଟିଏ ଫୁଲଗଛ ମୂଳରେ ବସିଛନ୍ତି । ମୁଁ ସେହି ବଗିଚାର ଫାଟକପାଖରେ ଘୋଡ଼ାରୁ ଓହ୍ଳାଇପଡ଼ି ଡୋରାଙ୍କ ଆଡ଼କୁ ଚାଲିଲି । ତାଙ୍କ ପାଖରେ ମିସ୍‍ ମିଲସ୍‍ ବୋଲି ଜଣେ ଯୁବତୀ ରହିଥିଲେ । ମୋତେ ଦେଖିଲାକ୍ଷଣି ଡୋରା ମତେ ସ୍ୱାଗତ ସମ୍ଭାଷଣ ଜଣାଇଲେ ।

 

ଗାଡ଼ି ସଜିଲ ହୋଇ ରହିଥିଲା । ମିଷ୍ଟର ସ୍ପେନଲୋ ବାହାରକୁ ଆସିଲେ । ଅତିଥିମାନେ ସମସ୍ତେ ଗାଡ଼ିରେ ବସିଲେ । ଗାଡ଼ିବାଲା ଗାଡ଼ି ଚଳାଇବାକୁ ଲାଗିଲା । ମୁଁ ଘୋଡ଼ାରେ ବସି ଗଲାବେଳେ ମୋର ମନେହେଉଥାଏ–ଏ କଅଣ ସ୍ଵପ୍ନ ନା ସତ୍ୟ !

 

ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେବାରୁ ଗାଡ଼ିରେ ଆସିଥିବା ଖାଦ୍ୟ ସବୁ ବାହାରକୁ ଅଣାଗଲା । ଅତିଥିମାନେ ବସିବାରୁ ଖାଦ୍ୟ ପରଷାଗଲା । ଡୋରାଙ୍କ ପାଖରେ ଅନ୍ୟ କିଏ ଜଣେ ବସିଥିବାର ଦେଖି ମୋର କେଜାଣି କାହିଁକି ତାହା ପ୍ରତି ହିଂସା ହେଲା । ମୋତେ ବିରକ୍ତ ଲାଗୁଥାଏ-। କିନ୍ତୁ ମୁଁ ମୋର ମନୋଭାବକୁ ଲୁଚାଇ ଆନନ୍ଦ ପ୍ରକାଶ କଲି ।

 

ଖିଆପିଆ ସାରିବା ପରେ ମୁଁ ଟିକିଏ ଏଣେତେଣେ ବୁଲିଲି । ମନେହେଉଥାଏ, ଦେହ ଭଲ ନାହିଁ ବୋଲି କହି ଚାଲିଯିବି । ଏତିକି ବେଳକୁ ଡୋରା ଓ ମିସ୍‍ ମିଲସ୍‍ ଆସି ମୋ ପାଖରେ ପହଞ୍ଚିଲେ । ମିସ୍‍ ମିଲସ୍‍ ମୋତେ କହିଲେ, ‘‘ତୁମର ମୁହଁ ବିମର୍ଷ ଦେଖାଯାଉଛି । ଡୋରାର ମଧ୍ୟ ମନ ଭଲ ନାହିଁ । ତୁମ ଦୁହିଁଙ୍କ ଭିତରେ କିଛି ଭୁଲ ବୁଝାମଣା ହୋଇଥିଲେ ତାହା ଭୁଲିଯିବା ଉଚିତ-।’’ ମୁଁ କହିଲି, ‘‘ନା, ସେପରି କିଛି ଘଟିନାହିଁ ।’’ ଏହା କହି ମୁଁ ଡୋରା ଓ ମିସ୍‍ ମିଲସ୍‍ ଦୁହିଁଙ୍କର ହସ୍ତ ଚୁମ୍ବନ କଲି । ଦୁହେଁଯାକ ଏଥିରେ ଖୁବ୍‍ ଆନନ୍ଦିତ ହେଲେ । ଅନେକ ବେଳଯାଏ ସେ ଦୁହେଁ ମୋ ପାଖେ ପାଖେ ରହିଲେ । ମୁଁ ମନେକଲି, ସତେ ଅବା ସ୍ୱର୍ଗର ଚାନ୍ଦ ମୋ ହାତକୁ ଆସିଛି ।

 

ସନ୍ଧ୍ୟା ହୋଇ ଆସିଲା । ସମସ୍ତ ଚାହା ପାନ କରି ନିଜ ନିଜର ଗନ୍ତବ୍ୟ ପଥରେ ଚାଲିଗଲେ । ମିଷ୍ଟର ସ୍ପେନଲୋ, ଡୋରା ଓ ମିସ୍‍ ମିଲସ୍‍ ଗାଡ଼ି ଭିତରେ ବସିଥାନ୍ତି । ମୁଁ ଘୋଡ଼ାରେ ବସି ଗାଡ଼ି ପାଖେ ପାଖେ ଚାଲିଥାଏଁ । ବେଳେ ବେଳେ ଡୋରା ମୋ ଘୋଡ଼ ଦେହକୁ ଆଉଁଷି ଦେଉଥାନ୍ତି ।

 

ମିସ୍‍ ମିଲସ୍‍ ମୋତେ କହିଲେ, ‘‘ଦୁଇଦିନ ପରେ ଡୋରା ଆମ ଘରକୁ ଯାଇ ରହିବେ । ଆପଣ ଆମ ଘରକୁ ଗଲେ ବାପା ଖୁବ୍‍ ଖୁସି ହେବେ ।’’ ମୁଁ ତାଙ୍କୁ ଧନ୍ୟବାଦ ଦେଲି । ମନେମନେ ମୁଁ ଖୁବ୍‍ ଆନନ୍ଦ ଅନୁଭବ କଲି ।

 

ମିଷ୍ଟର ସ୍ପେନଲୋଙ୍କ ଘରେ ପହଞ୍ଚିବା ପରେ ମୁଁ କିଛି ସମୟ ବିଶ୍ରାମ ନେଲି । ତତ୍ପରେ ତାଙ୍କଠାରୁ ଓ ଡୋରାଙ୍କଠାରୁ ବିଦାୟ ନେଇ ଚାଲିଗଲି । ସେଦିନ ରାତିଯାକ ମୋର ମନ ଅସ୍ଥିର ହେଲା । ନିଦ ଆସିଲା ନାହିଁ । ମନହେଉଥାଏ, ସକାଳୁ ଯାଇ ଡୋରାଙ୍କୁ କହିବି–ମୁଁ ତୁମକୁ ଭଲପାଏଁ । କିନ୍ତୁ କେଜାଣି କାହିଁକି ତତ୍ପର ଦିନ ଡୋରାଙ୍କ ପାଖକୁ ଯିବାକୁ ସାହସ ହେଲା ନାହିଁ । ଏହିପରି ଦିନେ ନୁହେଁ, ତିନିଦିନ ଚାଲିଗଲା ।

 

ଚତୁର୍ଥ ଦିନ ମୁଁ ମିସ୍‍ ମିଲସ୍‍ଙ୍କ ଘରେ ଉପସ୍ଥିତ ହେଲି । ତାଙ୍କ ବାପା ସେଦିନ ଘରେ ନ ଥିଲେ । ଡୋରା ଓ ମିସ୍‍ ମିଲସ୍‍ ମୋତେ ଖୁବ୍‍ ଆଦର ଦେଖାଇଲେ । ଡୋରାଙ୍କୁ ମୋର ମନର କଥା କହିବାକୁ ଇଚ୍ଛା ଥିଲା; କିନ୍ତୁ ମୁଁ ଭାବିଲି, କାଲି କହିଲେ କ୍ଷତି ନାହିଁ ।

 

ଡୋରାଙ୍କ ସହିତ କଥାବାର୍ତ୍ତା ହେଉ ହେଉ ମୋର ମନେହେଲା, ମୁଁ ଯେପରି ତାଙ୍କୁ ପାଇବାକୁ ଲାଳାୟିତ, ସେ ମଧ୍ୟ ମୋତେ ପାଇବାକୁ ସେହିପରି ଉତ୍କଣ୍ଠିତ । ତେଣୁ ମୁଁ ଆଉ ଅପେକ୍ଷା ନ କରି ଡୋରାଙ୍କୁ ଆଲିଙ୍ଗନ କରି କହିଲି, ‘‘ଡୋରା, ମୁଁ ଯେ ତୁମକୁ କିପରି ଭଲପାଏଁ ତାହା ପ୍ରକାଶ କରିବାକୁ ଭାଷା ନାହିଁ । ତୁମେ ମୋ ଅନ୍ତରର ଦେବୀ । ତୁମ ବିନା ମୋର ପ୍ରାଣ ରହିବା ଅସମ୍ଭବ ।’’ ଏହିପରି ଆମ ଦୁହିଁଙ୍କ ମଧ୍ୟରେ ଦୃଦୟର ବିନିମୟ ହୋଇଗଲା । ଆମେ ଦୁହେଁ ପରସ୍ପରକୁ ବିବାହ କରିବାକୁ ସତ୍ୟ କଲୁ । କିନ୍ତୁ ଡୋରା କହିଲେ ‘‘ଆମର ଏହି ବିବାହ ପ୍ରସ୍ତାବ ବର୍ତ୍ତମାନ ଗୋପନ କରି ରଖିବା । ବାପାଙ୍କ ଅନୁମତି ମିଳିବା ପରେ ଆମରି ବିବାହ ହେବ ।’’

 

ଏଥିରେ ମୋର ଆପତ୍ତିର କୌଣସି କାରଣ ନ ଥିଲା ।

☆☆☆

 

ମିସ୍ ଟ୍ରଟ୍‍ଉଡ୍‍ଙ୍କର ଭାଗ୍ୟ ବିପର୍ଯ୍ୟୟ

 

ଦିନେ ବାହାର କାମ ସାରି ମୁଁ ବସାକୁ ଫେରିଆସି ଦେଖେ ତ ପିଉସୀ ଓ ମିଷ୍ଟର ଡିକ୍‍ ଉପସ୍ଥିତ । ପିଉସୀ ଜିନିଷପତ୍ରର ପୁଡ଼ିଆ ଉପରେ ବସିଥାନ୍ତି । କୋଳରେ ତାଙ୍କର ପ୍ରିୟ ବିରାଡ଼ିଟି ବସି ଗୁଡ଼ରୁ ଗୁଡ଼ୁରୁ ହେଉଥାଏ । ଏପରି ଅବସ୍ଥାରେ ପିଉସୀଙ୍କୁ ଦେଖି ମୁଁ ବଡ଼ ଆଶ୍ଚର୍ଯ୍ୟ ହୋଇଗଲି-

 

ପ୍ରଥମ ସମ୍ଭାଷଣ ପରେ ପିଉସୀ କହିଲେ, ‘‘ଟ୍ରଟ୍‍, ମୁଁ ସର୍ବସ୍ୱାନ୍ତ ହୋଇଯାଇଛି । ମୁଁ ଯେଉଁ ପୁଡ଼ିଆଟି ଉପରେ ବସିଛି, ତାହା ଛଡ଼ା ଆଉ କିଛି ମୋର ନାହିଁ । ମୋର ଏ ଦୁରବସ୍ଥା ପାଇଁ ଚିନ୍ତା କରୁନାହିଁ; କେବଳ ତୋର ଭବିଷ୍ୟତ ନେଇ ଚିନ୍ତା କରୁଛି । ମନୁଷ୍ୟ ଜୀବନରେ ବେଳେ ବେଳେ ଏପରି ବିପଦ ଆସିଥାଏ; ବିପଦର ସମ୍ମୁଖୀନ ହେବା ହିଁ ପ୍ରକୃତ ମନୁଷ୍ୟତା ।’’ ଏହା କହି ସେ ମୋର ମସ୍ତକ ଚୁମ୍ବନ କଲେ । ମୁଁ ବଡ଼ ଅଧୀର ହୋଇପଡ଼ିଲି ।

 

ରାତିଟି କୌଣସିମତେ କଟିଗଲା । ସକାଳୁ ମୁଁ ପିଗୋଟିକୁ କହିଲି–ମୁଁ ଗୋଟାଏ କାମରେ ଯାଉଛି । ତୁ ପିଉସୀଙ୍କ କଥା ବୁଝିବୁ । ଏହା କହି ଖୁବ୍‍ ଭୋରରୁ ମୁଁ ହାମ୍ପଷ୍ଟିଡ଼ ଯାଇ ଡକ୍‍ଟରସ କମନସରେ ପହଞ୍ଚିଲି । ମୁଁ ମିଷ୍ଟର ସ୍ପେନଲୋଙ୍କ କୋଠରିକୁ ଯାଇ ତାଙ୍କୁ କହିଲି ‘‘ମହାଶୟ, ଏଥିମଧ୍ୟରେ ମୋର ବିଶେଷ ବିପଦ ଘଟିଛି । ମୋର ଯାହା କିଛି ଥିଲା, ତାହା ବୁଡ଼ିଯାଇଛି । ଏପରି ଅବସ୍ଥାରେ ମୋର ଓକିଲାତି ଶିକ୍ଷା ଆଉ ସମ୍ଭବପର ନୁହେଁ । ମୋର ଶିକ୍ଷାନବିସ ଭାବରେ ରହିବା ଏତିକିରେ ବନ୍ଦ କରାଗଲେ ଫିସ୍‍ରୁ କିଛି ଫେରିପାଇବି କି ?’’

 

ତାଙ୍କ କଥାରୁ ବୁଝିପାରିଲି, ଶିକ୍ଷାନବିସଗିରି ଛାଡ଼ିଦେଲେ ମଧ୍ୟ ପଇସାଟିଏ ଫେରିପାଇବାର ଆଶା ନାହିଁ । ମନଦୁଃଖରେ ମୁଁ ଘରକୁ ଫେରିଲି ।

 

ମୁଁ ଆସୁଛି, ହଠାତ୍‍ ଗୋଟିଏ ଘୋଡ଼ାଗାଡ଼ି ମୋ ପାଖରେ ରହିଗଲା । ମୁଁ ଭିତରକୁ ଚାହିଁଦେଲାବେଳକୁ ଆଗ୍ନିସ ଓହ୍ଲାଇ ପଡ଼ି ମୋତେ ସମ୍ଭାଷଣ କଲେ ଓ ଗାଡ଼ିବାଲାକୁ ସେହିଠାରୁ ବିଦାୟ କରିଦେଲେ । ଆମେ ଦୁହେଁ ହାତ ଧରାଧରି ହୋଇ ଆମ ବସା ଆଡ଼କୁ ଚାଲିଲୁ । ବାଟରେ ଆଗ୍ନିସ ମୋତେ କହିଲେ, ‘‘ମୁଁ ତୁମ ପିଉସୀଙ୍କ ସଙ୍ଗେ ଦେଖା କରିବାକୁ ଯାଉଥିଲି । ସେ ମୋ ପାଖକୁ ଚିଠି ଲେଖି ବାପା, ଉରିଆ ହୀପ୍‍ ଓ ମୋତେ ଦେଖିବାର ଇଚ୍ଛା କରିଥିଲେ ।’’

 

ମୋ ପିଉସୀ କିପରି ସମସ୍ତ ସମ୍ପତ୍ତି ହରାଇଲେ ସେ ବିଷୟରେ ଆଗ୍ନିସ ମୋତେ ପ୍ରଶ୍ନ କଲେ; କିନ୍ତୁ ମୁଁ କିଛି ଜାଣିନଥିଲି ବୋଲି ଉତ୍ତର କଲି । ଆମେ ଦୁହେଁ ଚାଲି ଚାଲି ବସାରେ ପହଞ୍ଚିଲୁ । ପିଉସୀ ଆଗ୍ନିସଙ୍କୁ ଦେଖି ଆନନ୍ଦ ପ୍ରକାଶ କଲେ । ସେତେବେଳକୁ ମିଷ୍ଟର ଡିକ୍‍ ସେଠାରେ ନଥିଲେ । ପିଉସୀ ତାଙ୍କ ଭାଗ୍ୟର ବିପର୍ଯ୍ୟୟ କଥା କହିଲେ; ମୁଁ ମଧ୍ୟ କିପରି ମିଷ୍ଟର ସ୍ପେନଲୋଙ୍କଠାରୁ ହତାଶ ହୋଇ ଆସିଥିଲି, ତାହା ଜଣାଇଲି । ପିଉସୀ ମୋ କଥା ଶୁଣି କହିଲେ, ‘‘ତୋର ସ୍ପେନଲୋଙ୍କୁ ଏପରି ପ୍ରସ୍ତାବ ଦେବାଦ୍ୱାରା ମୋ ପ୍ରତି ତୋର ସ୍ନେହ ଓ ସହାନୁଭୂତି ପ୍ରକାଶ ପାଉଛି; କିନ୍ତୁ ଏପରି କରିବା ତୋ ଭଳି ବୁଦ୍ଧିମାନ୍‍ ପିଲା ପକ୍ଷରେ ଉଚିତ ହେଲା ନାହିଁ ।’’ ପିଉସୀ ସମସ୍ତ ଘଟନା ବୁଝାଇ ଦେବାକୁ ଯାଇ କହିଲେ–‘‘ମୋର ଯାହା ଟଙ୍କାପଇସା ଥିଲା, ସେଥିରେ ମୁଁ ନିଶ୍ଚିନ୍ତରେ ସୁଖରେ ଚଳିପାରିଥାନ୍ତି । କିଛିଦିନ ଯାଏ ମୁଁ ତାକୁ ଜମା କରି ରଖିଥିଲି । ବେଶୀ ଲାଭଜନକ ବ୍ୟବସାୟରେ ଟଙ୍କା ଖଟାଇବାକୁ ମନ କରି ଏକ ବ୍ୟାଙ୍କ ବ୍ୟବସାୟରେ ଲଗାଇଲି । ଦୈବ ପ୍ରତିକୂଳ ହେଲା; ବ୍ୟାଙ୍କ ବ୍ୟବସାୟରେ ଲାଭ ହେବା ତ ଦୂରର କଥା, ମୂଳ ମଧ୍ୟ ବୁଡ଼ିଗଲା । ଏବେ ବ୍ୟାଙ୍କରୁ ପଇସାଟିଏ ମିଳିବାର ଆଶା ନାହିଁ ।’’

 

ଆଗ୍ନିସ ଏହା ଶୁଣି ଗୋଟିଏ ଦୀର୍ଘନିଃଶ୍ୱାସ ପକାଇଲେ । ପିଉସୀ ପୁଣି କହିଲେ, ‘‘ଆମର ଗୋଟିଏ ଛୋଟ ଘର ଥିଲା । ତାକୁ ଭଡ଼ା ଲଗାଇଦେବାକୁ ମୁଁ ଜାନେଟ୍‍କୁ କହିଥିଲି । ଭାଗ୍ୟକୁ ସେତକ ରହିଯାଇଛି । ସେଥିରୁ ବର୍ଷକେ ସତୁରି ପାଉଣ୍ଡ ଭଡ଼ା ମିଳିପାରିବ । ବର୍ତ୍ତମାନ ମୋତେ ତାହାରି ଉପରେ ନିର୍ଭର କରି ଚଳିବାକୁ ହେବ ।’’ ମୁଁ କହିଲି, ‘‘ପିଉସୀ, ଏପରି ଅବସ୍ଥାରେ ମୁଁ ଆଉ ଶିକ୍ଷାନବିସ ଭାବରେ ନ ରହି କିଛି ଉପାର୍ଜନ କରିବା ଉଚିତ ।’’ କିନ୍ତୁ ପିଉସୀ ବାଧାଦେଇ କହିଲେ, ‘‘ନା ନା, ମୁଁ ସେ କଥା ଶୁଣିବି ନାହିଁ । ତୁ ଜଣେ ପ୍ରକ୍ଟର ହେବୁ, ଏହା ମୋର ପ୍ରତିଜ୍ଞା । ତେଣୁ ତୁ ଏ ବ୍ୟବସାୟ ଶିଖିବା ବନ୍ଦ କରିପାରିବୁ ନାହିଁ ।’’

 

ଆଗ୍ନିସ ସବୁ ଶୁଣି ଗୋଟିଏ ପ୍ରସ୍ତାବ ଦେଇ କହିଲେ, ‘‘ଟ୍ରଟ୍‍ଙ୍କର ସମୟ ହେଲେ ସେ ଅଧିକା ପରିଶ୍ରମ କଲେ କିଛି ଅର୍ଜିପାରିବେ । ତାଙ୍କର ସକାଳବେଳା ଓ ରାତିରେ ପ୍ରାୟ କିଛି କାର୍ଯ୍ୟ ନ ଥାଏ । ଏହି ସମୟରେ ସେ କିଛି କାର୍ଯ୍ୟ କରିପାରିବେ । ମୁଁ ଶୁଣୁଛି, ଡକ୍ଟର ଷ୍ଟ୍ରଙ୍ଗ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ତାଙ୍କର ଜଣେ ସେକ୍ରେଟାରୀ ଦରକାର । ସହଜେ ଟ୍ରଟ୍‍ ହେଉଛନ୍ତି ତାଙ୍କର ଅତି ପ୍ରିୟ ଛାତ୍ର । ମୋର ବିଶ୍ୱାସ, ସେ ଆନନ୍ଦରେ ଟ୍ରଟ୍‍ଙ୍କୁ ନିଯୁକ୍ତ କରିବେ ।’’ ମୁଁ ଏ ପ୍ରସ୍ତାବଟିକୁ ଆନନ୍ଦରେ ଗ୍ରହଣ କଲି । ଆଗ୍ନିସଙ୍କ ପରାମର୍ଶକ୍ରମେ ମୁଁ ସଙ୍ଗେ ସଙ୍ଗେ ଡକ୍ଟର ଷ୍ଟ୍ରଙ୍ଗଙ୍କ ପାଖକୁ ମୋର ଇଚ୍ଛା ଜଣାଇଲି ଓ ତାହା ପରଦିନ ସକାଳ ଦଶଟାବେଳେ ତାଙ୍କୁ ଦେଖା କରିବି ବୋଲି ଲେଖିଲି ।

☆☆☆

 

ମିକାବରଙ୍କ ଚାକିରି

 

ଡକ୍ଟର ଷ୍ଟ୍ରଙ୍ଗ ଲଣ୍ଡନର ହାଇଗେଟରେ ରହୁଥିଲେ । ମୁଁ ଦଶଟା ବେଳକୁ ପହଞ୍ଚି ଦେଖିଲି, ସେ ବଗିଚାରେ ବୁଲୁଛନ୍ତି । ମୁଁ ତାଙ୍କୁ ଯଥା ବିଧି ସମ୍ମାନ ଦେଖାଇଲି । ମୋର ଅଭିପ୍ରାୟ ଜାଣିପାରି ସେ କହିଲେ, ‘‘ଦେଖ, ମୋ ହାତରେ ତୁମ ପାଇଁ କିଛି ବିଶେଷ କରିପାରିବାର ଶକ୍ତି ନାହିଁ । ମୋର ଜଣେ ସେକ୍ରେଟାରୀ ଦରକାର ସତ; କିନ୍ତୁ ଏପରି ଅଳ୍ପ ଦରମାର କାମ କରିବାକୁ ମୁଁ ତୁମକୁ ପରାମର୍ଶ ଦେଇପାରୁନାହିଁ । ବର୍ଷକୁ ସାମାନ୍ୟ ସତୁରି ପାଉଣ୍ଡ ଦରମାରେ ତୁମେ ମୋ ପାଖରେ ରହିବା କଅଣ ସୁନ୍ଦର ହେବ ?’’

 

ମୁଁ ଉତ୍ତର କଲି, ‘‘ସାର୍‍, ମୁଁ ଚିରଦିନ ପାଇଁ ଏହି କାର୍ଯ୍ୟରେ ରହିବି ନାହିଁ; କିମ୍ବା ଦିନରାତି ଚବିଶ ଘଣ୍ଟା ଏହି କାର୍ଯ୍ୟରେ ଲାଗିବି ନାହିଁ । ଆପଣଙ୍କ ଅଭିଧାନ ଲେଖିବା କାର୍ଯ୍ୟରେ ମୁଁ ସକାଳେ ଓ ରାତିରେ କେତେ ଘଣ୍ଟା ପରିଶ୍ରମ କରିବି । ଦରମା ସାମାନ୍ୟ ହେଲେ ସୁଦ୍ଧା ତାହା ବର୍ତ୍ତମାନ ମୋତେ ବିଶେଷ ସାହାଯ୍ୟ କରିବ । ବିଶେଷତଃ ଆପଣଙ୍କର ସେବା କରିବ । ମୋ ପକ୍ଷରେ ଆନନ୍ଦଦାୟକ ହେବ । ଭବିଷ୍ୟତ ଜୀବନ ଗଠନ ପାଇଁ ମୁଁ ଅନ୍ୟ ବ୍ୟବସ୍ତା କରିଛି ।’’

 

ମୁଁ ଡକ୍ଟର ଷ୍ଟ୍ରଙ୍ଗଙ୍କର ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବା ସ୍ଥିର ହୋଇଗଲା । ସକାଳେ ଦୁଇଘଣ୍ଟା ଓ ରାତିରେ ଦୁଇଘଣ୍ଟା କାର୍ଯ୍ୟ କରିବାର କଥା ହେଲା । ଶନିବାର ଓ ରବିବାର ଏ ଦୁଇଦିନ କାମ କରିବାକୁ ହେବ ନାହିଁ ।

 

ଗୃହ ପରିଚାଳନାରେ ମଧ୍ୟ କିଛି ବ୍ୟୟର ସଙ୍କୋଚ କରିଦେଲି । ବାସନା ସାବୁନ, ଲାଭେଣ୍ଡର ପ୍ରଭୃତି ବ୍ୟବହାର ବନ୍ଦ କରାଗଲା । କେତେକ ଅଧିକା ପୋଷାକ ଥିଲା; ସେଗୁଡ଼ିକ ବିକ୍ରି କରିଦେଲି । କେବଳ ଯେ ଘରର ବ୍ୟୟ କମାଇଦେଲି, ତାହା ନୁହେଁ, ଆହୁରି କିଛି ଅଧିକା ଆୟର ପନ୍ଥା ଖୋଜିଲି । ଟ୍ରେଡ଼ଲସ୍‍ଙ୍କଠାରୁ ଶୁଣିଲି ଯେ ଯେଉଁମାନେ ପାର୍ଲିଆମେଣ୍ଟର ଆଲୋଚନା ରିପୋର୍ଟ କରନ୍ତି, ସେମାନେ କିଛି ଆୟ କରନ୍ତି । ମୁଁ ଏହି କାର୍ଯ୍ୟ କରିବାକୁ ସ୍ଥିର କଲି-। ସେହି ଉଦ୍ଦେଶ୍ୟରେ ଆବଶ୍ୟକ ବହି କିଣି ସର୍ଟହାଣ୍ଡ ଶିକ୍ଷା କଲି ଓ ରୀତିମତେ ଅଭ୍ୟାସ କଲି-

 

ଦିନେ ଟ୍ରେଡ଼ଲ୍‍ସ ମୋତେ ଖଣ୍ଡିଏ ଚିଠି ଦେଲେ । ଚିଠିଟି ମିଷ୍ଟର ମିକାବର ଲେଖିଥିଲେ-। ସେଥିରେ ଲେଖାଥିଲା–ମୋର ବରାବର ଆଶା ଥିଲା, କେତେବେଳେ ହେଲେ ମୋ ଭାଗ୍ୟରେ ପରିବର୍ତ୍ତନ ଘଟିବ । ଏବେ ତାହା ଘଟିଛି । ମୋର ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ମୁଁ ସେଠାକୁ ଯିବି-। ତାହା ପୂର୍ବରୁ ତୁମେ ଓ ଟ୍ରେଡ଼ଲ୍‍ସ ମୋର ଲଣ୍ଡନସ୍ଥିତ ବସାକୁ ଆସି ମୋତେ ଶୁଭେଚ୍ଛା ଜଣାଇବାକୁ ସାଦର ନିମନ୍ତ୍ରଣ କରୁଛି ।

 

ମୁଁ ଓ ଟ୍ରେଡ଼ଲ୍‍ସ ମିଷ୍ଟର ମିକାବରଙ୍କ ସହିତ ଦେଖା କରିବାକୁ ବାହାରିଲୁ । ସେ ଗ୍ରେଜଇନ ରୋଡ଼ରେ ରହୁଥିଲେ । ଆମେ ଦୁହେଁ ସେଠାରେ ପହଞ୍ଚିବାମାତ୍ରେ ମିଷ୍ଟର ମିକାବର ଆମକୁ ଅଭ୍ୟର୍ଥନା କରିନେଲେ । ତାଙ୍କଠାରୁ ଜଣାଗଲା ଯେ ସେ ଉରିଆ ହୀପ୍‍ଙ୍କର କନ୍‍ଫିଡ଼େନିସିଆଲ କ୍ଲର୍କ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟରେ ସେ ଯଥେଷ୍ଟ ଉନ୍ନତି କରିପାରିବେ ବୋଲି ଆଶା । ତେଣୁ ମିଷ୍ଟର ମିକାବର ଓ ତାଙ୍କ ସ୍ତ୍ରୀ ଦୁହେଁ ଯାକ ଖୁବ୍‍ ପ୍ରଫୁଲ୍ଲ ଥିବାର ଦେଖିଲୁ ।

 

ଆମକୁ ସମ୍ବର୍ଦ୍ଧନା କରିବା ପାଇଁ ମି: ମିକାବର ଉତ୍ତମ ଖାଦ୍ୟ ଓ ପେୟର ବ୍ୟବସ୍ଥା କରିଥିଲେ । ଭୋଜନ ସମୟରେ ସେ ତାଙ୍କର ଭବିଷ୍ୟତର ଏକ ମନୋହର ଚିତ୍ର ଦେବାକୁ ଭୁଲିଲେ ନାହିଁ ।

☆☆☆

 

ମିଷ୍ଟର ସ୍ପେନଲୋଙ୍କ ମୃତ୍ୟୁ

 

ମୁଁ ଯଥାସାଧ୍ୟ ପରିଶ୍ରମ କରି ଦିନରାତି ଲାଗି ସର୍ଟହାଣ୍ଡ ଶିଖିନେଲି । କିନ୍ତୁ ଏ ଭିତରେ ଡୋର ମୋ ମନକୁ ଅଧିକାର କରିଥାଏ । ସେ ହୋଇଥାଏ ମୋ ପ୍ରେରଣାର ଉତ୍ସ । କୌଣସି ଦୁଃଖକଷ୍ଟକୁ ମୁଁ ଖାତିରି କରୁ ନ ଥାଏ । କଠିନ ପରିଶ୍ରମ ଓ ଅଭ୍ୟାସ ଫଳରେ କିଛିଦିନ ପରେ ମୁଁ ସର୍ଟହାଣ୍ଡ ବିଦ୍ୟାକୁ ଆୟତ୍ତ କରିନେଲି ।

 

ଦିନେ ମୁଁ ଅଫିସରେ ପହଞ୍ଚି ମି: ସ୍ପେନଲୋକଙ୍କର ମୋ ପ୍ରତି ବ୍ୟବହାରରେ ଗୋଟାଏ ପରିବର୍ତ୍ତନ ଲକ୍ଷ୍ୟ କଲି । ଅନ୍ୟ ଦିନ ପରି ସେ ମୋତେ ଆଦର ଅଭ୍ୟର୍ଥନା ନ କରି ଗୋଟିଏ ହୋଟେଲକୁ ଡାକିନେଲେ । ମୁଁ ତାଙ୍କ ସଙ୍ଗେ ସଙ୍ଗେ ଯାଇ ଗୋଟିଏ ଛୋଟ କୋଠରିରେ ବସିଲି । ଦେଖିଲି ମିସ୍‍ ମଡ଼ଷ୍ଟୋନ ଆଗରୁ ସେ କୋଠରିରେ ବସିଛନ୍ତି । ତାଙ୍କୁ ଦେଖିଲାକ୍ଷଣି ମୋ ମନରେ ନାନା ସନ୍ଦେହ ଜାତ ହେଲା । ମି: ସ୍ପେନଲୋ କୋଠରିର କବାଟ ଭିତରୁ ବନ୍ଦ କରିଦେଇ ଆମ ପଖକୁ ଆସି ମିସ୍‍ ମଡ଼ଷ୍ଟୋନଙ୍କୁ କହିଲେ, ‘‘ତୁମ ପାଖରେ ଯେଉଁ କାଗଜ ଅଛି, ତାକୁ ମି: ଡେଭିଡ୍‍ଙ୍କୁ ଦେଖାଅ ।’’ ମିସ୍‍ ମଡ଼ଷ୍ଟୋନ ହାତମୁଣା ଖୋଲି କେତେ ଖଣ୍ଡି ଚିଠି ବାହାର କଲେ । ସେଗୁଡ଼ିକୁ ଦେଖାଇ ମି: ସ୍ପେନଲୋ ପଚାରିଲେ, ‘‘ଏ ଚିଠି ସବୁ କିଏ ଲେଖିଛି ?’’ ମୁଁ ଦେଖିଲି ସବୁଗୁଡ଼ିକ ମୋରି ଲେଖା । ତେଣୁ ମୁଁ ସେ ସବୁ ଲେଖିଛି ବୋଲି ସ୍ୱୀକାର କଲି ।

 

ମିସ୍‍ ମଡ଼ଷ୍ଟୋନ କହିବାକୁ ଲାଗିଲେ, ‘‘ମୁଁ ଅନେକ ଦିନ ହେଲାଣି ମିଷ୍ଟର ଡେଭିଡ୍‍ଙ୍କୁ ସନ୍ଦେହ କରିଆସିଲିଣି । ମିସ୍‍ ସ୍ପେନଲୋ ମିସ୍‍ ମିଲସ୍‍ଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ବ୍ୟବହାରରେ ମୁଁ ଗୋଟାଏ ପରିବର୍ତ୍ତନ ଲକ୍ଷ୍ୟ କଲି । ତେଣୁ ମୋର ସନ୍ଦେହ ବୃଦ୍ଧି ପାଇଲା । ମୁଁ ମିସ୍‍ ସ୍ପେନଲୋଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଲି । କାଲି ସନ୍ଧ୍ୟାବେଳେ ଜିପ୍‍ ଖଣ୍ଡେ କାଗଜ କାମୁଡ଼ି ଧରିଥିଲା । ମିସ୍‍ ସ୍ପେନଲୋ ତା’ ପାଟିରୁ ସେ ଖଣ୍ଡିକ ଘେନିଆସିବା ପାଇଁ ଚେଷ୍ଟା କରୁଥିଲେ । ଜିପ୍‍ କାଗଜ ଖଣ୍ଡିକ ଧରି ସୋଫା ତଳକୁ ଚାଲିଗଲା । ମୁଁ ତା’ ପାଟିରୁ କାଗଜ ଖଣ୍ଡିକ ଆଣି ଦେଖେଁ ତ ସେଇଟି ହେଉଛି ଡେଭିଡ୍‍ଙ୍କର ଚିଠି । ମୁଁ ମିସ୍‍ ସ୍ପେନଲୋଙ୍କୁ ଏ ବିଷୟରେ ପ୍ରଶ୍ନ କରି ବୁଝିଲି ଯେ ଡେଭିଡ୍‍ ଏହିପରି ଅନେକ ପ୍ରେମପତ୍ର ପଠାଇଛନ୍ତି । ମୁଁ ସେଗୁଡିକ ତାଙ୍କଠାରୁ ନେଇ ଆସିଛି ।’’

 

ଏହାପରେ ମିଷ୍ଟର ସ୍ପେନଲୋ ମୋ ଆଡ଼କୁ ଚାହିଁ କହିଲେ, ‘‘ଏ ବିଷୟରେ ତୁମର କଅଣ କହିବାର ଅଛି କହ ।’’ ମୁଁ ଯେ ଚିଠିଗୁଡ଼ିକ ଲେଖିଛି ତାହା ସ୍ୱୀକାର କରିସାରିଥିଲି । ଆଉ କଅଣ କହନ୍ତି ? ମୁଁ ଏତିକି କହିଲି, ‘‘ମୁଁ ଡୋରାଙ୍କୁ ଭଲ ପାଏଁ । ତାଙ୍କୁ ଚିଠି ଲେଖିବାରେ ଯେଉଁ ଅପରାଧ, ସେ ପୂରାପୂରି ମୋର; ଡୋରାଙ୍କର କିଛି ମାତ୍ର ଦୋଷ ନାହିଁ ।’’

 

ମୋର ଏହି କଥାରେ ମିଷ୍ଟର ସ୍ପେନଲୋଙ୍କର କ୍ରୋଧ ବୃଦ୍ଧି ପାଇଲା ସିନା, କମିଲା ନାହିଁ ସେ ରାଗରେ କହିଲେ, ‘‘ତୁମେ ମୋର କନ୍ୟାକୁ ମିସ୍‍ ସ୍ପେନଲୋ ନ କହି ଡୋରା ବୋଲି କହିବାକୁ ଦୁଃସାହସ କରୁଛ କିପରି ? ମୁଁ ତୁମକୁ ବିଶ୍ୱାସ କରି ମୋ ଘରେ ସ୍ଥାନ ଦେଇଥିଲି । କିନ୍ତୁ ତୁମେ ସେ ବିଶ୍ୱାସର ଅପବ୍ୟବହାର କରିଛ । ତୁମେ ତାକୁ ଭଲପାଅ ବୋଲି କହିବା କମ୍‍ ଧୃଷ୍ଟତା ନୁହେଁ ।’’

 

ମୁଁ ନିତାନ୍ତ ଅପ୍ରସ୍ତୁତ ହୋଇଗଲି । ଶେଷରେ କହିଲି, ‘‘ମୋତେ କ୍ଷମା କରନ୍ତୁ । ମୁଁ ନିଜର ଭ୍ରମ ବୁଝିପାରିଛି । ମୁଁ ନିଜକୁ ସଂଶୋଧନ କରିବି ବୋଲି ପ୍ରତିଜ୍ଞା କରୁଛି ।’’

 

ମିଷ୍ଟର ସ୍ପେନଲୋଙ୍କ ଆଦେଶରେ ଡୋରା ମୋ ପାଖକୁ ଲେଖିଥିବା ଚିଠିଗୁଡ଼ିକ ଆଣିଦେଲି । ସେ ଆମ ଦୁହିଁଙ୍କର ଚିଠିଗୁଡ଼ିକ ନିଆଁରେ ପୋଡ଼ିଦେବାକୁ କହିଲେ । ମୋ ଆଖି ଲୁହ-ଜରଜର ହୋଇଗଲା । ମିଷ୍ଟର ସ୍ପେନଲୋ କହିଲେ, ‘‘ଏଣିକି ତୁମ ଓ ମୋ ଭିତରେ କେବଳ ବ୍ୟବସାୟଗତ ସମ୍ପର୍କ ଛଡ଼ା ଅନ୍ୟ ସମ୍ବନ୍ଧ ରହିବ ନାହିଁ । ଯାହାସବୁ ଘଟିଗଲା, ସେ ସବୁ ଏକବାରେ ଭୁଲିଯିବ । ତାହା ହିଁ ତୁମ ପକ୍ଷରେ ବୁଦ୍ଧିମାନ୍‍ର କାର୍ଯ୍ୟ ହେବ ।’’

 

ମୁଁ ମନେମନେ ବିଚାରିଲି, ‘‘ଜଗତରେ କେବଳ ଦିଆନିଆ ସମ୍ପର୍କ ଛଡ଼ା କଅଣ ଆଉ କିଛି ନାହିଁ ? ମୁଁ ଡୋରାକୁ ଯେପରି ଭଲପାଏଁ, ଡୋରା ମଧ୍ୟ ମୋତେ ସେହିପରି ଭଲପାଏ । ଏ ପ୍ରେମର କଅଣ କିଛି ମୂଲ୍ୟ ନାହିଁ ? ଚିଠିଗୁଡ଼ିକ ଫେରାଇନେବା ପାଇଁ ମୁଁ କାହାକୁ କହିପାରିଲି ନାହିଁ ।

 

ମିଷ୍ଟର ସ୍ପେନଲୋ ମୋତେ ଶୁଣାଇ କହିଲେ–

 

‘‘ମୋର ସମ୍ପତ୍ତି ବିଷୟରେ ମୁଁ ବ୍ୟବସ୍ଥା କରିସାରିଛି । ମୋ ଝିଅ ପାଇଁ ସେଥିରେ ଯେଉଁ ବ୍ୟବସ୍ଥା କରିଛି, ତାହାର ପରିବର୍ତ୍ତନ କରି ନ ପାରେ । ମୁଁ ଗୋଟିଏ ହପ୍ତା ସମୟ ଦେଉଛି । ଏଥିମଧ୍ୟରେ ତୁମେ ଖୁବ୍‍ ଚିନ୍ତା କରି ଦେଖ । ତୁମ ପିଉସୀ ମିସ୍‍ ଟ୍ରଟ୍‍ଉଡ୍‍ ଓ ତୁମର ଅନ୍ୟ ବନ୍ଧୁମାନଙ୍କ ସଙ୍ଗେ ପରାମର୍ଶ କର । ସେମାନଙ୍କର ସାଂସାରିକ ଜ୍ଞାନ ଅଧିକ । ଯୌବନସୁଲଭ ଚପଳତାରେ ଯାହା ଇଚ୍ଛା ତାହା କରିବାକୁ ଯାଅ ନାହିଁ ।

 

ମୁଁ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲି ।

 

ମୋର ମନ ନିତାନ୍ତ ଖରାପ ଥାଏ । କୌଣସି କାର୍ଯ୍ୟରେ ମନ ଲାଗୁ ନ ଥାଏ । ମୁଁ ମିଷ୍ଟର ସ୍ପେନଲୋଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲି–‘‘ମୋର ଭାଗ୍ୟ ମନ୍ଦ; କିନ୍ତୁ ମୋର ଦୋଷ ସକାଶେ ଆପଣ ଡୋରାକୁ ଦଣ୍ଡଭାଗୀ କରିବେ ନାହିଁ ।’’

 

ଚିଠିଖଣ୍ଡିକ ତାଙ୍କ ଟେବୁଲ ଉପରେ ରଖି ଚାଲିଆସିଲି । ଅଫିସ କାର୍ଯ୍ୟ ଶେଷ ହେବା ପୂର୍ବରୁ ମିଷ୍ଟର ସ୍ପେନଲୋ ମୋତେ ଡାକି କହିଲେ, ‘‘ତୁମେ ବୃଥା ବ୍ୟସ୍ତ ହେବାର କାରଣ ନାହିଁ । ଡୋରାର ସୁଖଶାନ୍ତି ମୋର କାମନା । ସେଥିପାଇଁ ତୁମେ ଚିନ୍ତା କର ନାହିଁ । ଝିଅର ଦୋଷ ଧରି ବସିବା ଲୋକ ମୁଁ ନୁହେଁ ।’’

 

ମୁଁ ପିଉସୀଙ୍କୁ ସବୁ କଥା ଜଣାଇଲି । ସେ ମୋ ଉପରେ ବିରକ୍ତ ନ ହୋଇ ମୋତେ ଆଶ୍ୱାସନା ଦେବାରେ ଲାଗିଲେ । କିନ୍ତୁ ମୋ ମନରେ ଶାନ୍ତି ଆସୁନାଥାଏ । ତାହା ପରଦିନ ମୁଁ ନିର୍ଦ୍ଧିଷ୍ଟ ସମୟରେ ଅଫିସରେ ପହଞ୍ଚି ଖବର ପାଇଲି ଯେ ମିଷ୍ଟର ସ୍ପେନଲୋଙ୍କର ମୃତ୍ୟୁ ହୋଇଯାଇଛି । ପୂର୍ବଦିନ ସେ ଗୋଟିଏ ଘୋଡ଼ାଗାଡ଼ିରେ ବସି ଏକୁଟିଆ ବାହାରକୁ ଯାଇଥିଲେ । ସନ୍ଧ୍ୟା ବେଳକୁ ଗାଡ଼ି ଆସି ଘରେ ପହଞ୍ଚିଲା । କିନ୍ତୁ ସେଥିରେ ମିଷ୍ଟର ସ୍ପେନଲୋ ନଥିଲେ କିମ୍ବା ଅନ୍ୟ କେହି ଗାଡ଼ିର ଚାଳକ ନ ଥିଲେ । କେତେ ଜଣ ଲୋକ ମିଷ୍ଟର ସ୍ପେନଲୋଙ୍କୁ ଖୋଜିବାକୁ ଯାଇ ଦେଖିଲେ ଯେ ପ୍ରାୟ ଏକ ମାଇଲ ଦୂରରେ ସେ ରାସ୍ତାଧାରରେ ପଡ଼ିଛନ୍ତି । ଡାକ୍ତରଙ୍କୁ ଡକାଗଲା । ସେ ପରୀକ୍ଷା କରି କହିଲେ ଯେ ମିଷ୍ଟର ସ୍ପେନଲୋଙ୍କ ପିଣ୍ଡରେ ପ୍ରାଣ ନାହିଁ ।

 

ମୁଁ ମିସ୍‍ ମିଲସ୍‍ଙ୍କ ନାମରେ ଖଣ୍ଡିଏ ଚିଠି ଲେଖି ସେଥିରେ ମିଷ୍ଟର ସ୍ପେନଲୋଙ୍କ ଆକସ୍ମିକ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରିଥିଲି ଓ ତାଙ୍କଠାରୁ ମୁଁ ଖୁବ୍‍ ଦୟାପୂର୍ଣ୍ଣ ଉଦାର ବ୍ୟବହାର ପାଇଛି ବୋଲି ଉଲ୍ଲେଖ କରିଥିଲି । ଚିଠିଟିକୁ ପିଉସୀଙ୍କ ପାଖକୁ ପଠାଇଥିଲି ଓ ତାହାକୁ ମିସ୍‍ ମିଲସ୍‍ଙ୍କ ପାଖକୁ ପଠାଇବାକୁ ଲେଖିଥିଲି । ମିସ୍‍ ମିଲସ୍‍ ମୋର ମନୋଭାବ ଡୋରାଙ୍କୁ ଜଣାଇଦେବା ପାଇଁ ତାଙ୍କୁ ଅନୁରୋଧ କରିଥିଲି ।

 

ତତ୍ପର ଦିନ ମିସ୍‍ ମିଲସ୍‍ ପିଉସୀଙ୍କ ପାଖକୁ ମୋ ଚିଠିର ଉତ୍ତର ପଠାଇଲେ । ସେ ଲେଖିଥିଲେ–ଡୋରା ପିତାଙ୍କ ମୃତ୍ୟୁରେ ବର୍ତ୍ତମାନ ଶୋକାଭିଭୂତ ହୋଇପଡ଼ିଛନ୍ତି । ତଥାପି ଡେଭିଡ୍‍ଙ୍କ ପ୍ରତି ତାଙ୍କର ପ୍ରେମ ଅକ୍ଷୁଣ୍ଣ ରହିଅଛି । ଆପଣ ଡେଭିଡ୍‍ଙ୍କୁ ଡୋରାଙ୍କର ସ୍ନେହ ଜଣାଇଦେବେ ।

☆☆☆

 

ଡୋରା ସହିତ ମୋର ବିବାହ

 

ମିଷ୍ଟର ସ୍ପେନଲୋଙ୍କ ମୃତ୍ୟୁ ପରେ ମୋର ଡୋରାଙ୍କ ସଙ୍ଗେ ବିବାହ ହେବାରେ କୌଣସି ପ୍ରତିବନ୍ଧକ ରହିଲା ନାହିଁ । ଏହି ବିବାହରେ ପିଉସୀଙ୍କର ସମ୍ମତି ଥିଲା । ମୋର ବୟସ ଏକୋଇଶି ବର୍ଷ ପୂରିଯାଇଥିବାରୁ ଆଇନଗତ କୌଣସି ବାଧା ନ ଥିଲା । ଏଥିମଧ୍ୟରେ ମୁଁ ସର୍ଟହାଣ୍ଡ ଶିଖିଯାଇଥିବାରୁ ଅନ୍ୟମାନଙ୍କ ସହ ପାର୍ଲାମେଣ୍ଟର ଆଲୋଚନା ରିପୋର୍ଟ କରି କିଛି ଅଧିକ ଆୟ କରୁଥିଲି । ଏହାଛଡ଼ା ମୁଁ ବହି ଲେଖିବା ଆରମ୍ଭ କରିଥିଲି । ସେଥିରୁ ମଧ୍ୟ କିଛି ଆୟ ହେଉଥିଲା । କେତେକ ପତ୍ର-ପତ୍ରିକାକୁ ପ୍ରବନ୍ଧ ଲେଖି କିଛି କିଛି ପାରିଶ୍ରମିକ ପାଉଥିଲି । ଡୋଭରରେ ଥିବା ଘରଟି ଭଲ ଦାମରେ ବିକ୍ରି ହୋଇଗଲା । ଏହିପରି ବିଭିନ୍ନ ପ୍ରକାରେ ମୋର ଆୟ ମନ୍ଦ ନ ଥିଲା ।

 

ଆମ ଦୁହିଁଙ୍କର ବିବାହର ଆୟୋଜନ ହେଲା । ପିଉସୀ ଏହି ବିବାହ ପ୍ରସ୍ତାବରେ ଖୁବ୍‍ ଆନନ୍ଦିତ ହେଲେ । ପିଗୋଟି, ମିସ୍‍ ମିଲସ୍, ଟ୍ରେଡ଼ଲ୍‍ସ, ଟ୍ରେଡ଼ଲ୍‍ସଙ୍କର ପ୍ରଣୟିନୀ ସୋଫି, ଆଗ୍ନିସ ପ୍ରଭୃତି ମହା ଆଡ଼ମ୍ବରରେ ବିବାହ ଉତ୍ସବରେ ଯୋଗ ଦେଲେ । ବିବାହ ଉତ୍ସବରେ ମିଷ୍ଟର ଡିକ୍‍ କନ୍ୟାପିତାର ଆସନ ଗ୍ରହଣ କଲେ । ସେ ଦିନ ମିସ୍‍ ଟ୍ରେଟ୍‍ଉଡ୍‍ ଖୁବ୍‍ ଜାକଜମକରେ ଉପସ୍ଥିତ ହୋଇଥିଲେ ।

 

ବିବାହ ଉତ୍ସବ ପରେ ଅତିଥିମାନଙ୍କର ଯଥାବିଧି ପାନଭୋଜନର ବ୍ୟବସ୍ଥା ହେଲା । ଡୋରା ତା’ର ଆତ୍ମୀୟମାନଙ୍କଠାରୁ ବିଦାୟ ନେଇ ମୋ ସହିତ ଘରକୁ ଆସିଲା ।

☆☆☆

 

ଡୋରାର ଘରକରଣା

 

ଡୋରା ସହିତ ମୋର ବିବାହ ହୋଇଗଲା; କିନ୍ତୁ ସ୍ୱାମୀ-ସ୍ତ୍ରୀ ଭାବରେ କିପରି ଘର ଚଳାଇବାକୁ ହେବ, ସେ ବିଷୟରେ ଆମ ଦୁହିଁଙ୍କର କାହାରି କିଛି ଧାରଣା ନ ଥିଲା । ପାରାଗନ୍‍ ବୋଲି ଗୋଟିଏ ସ୍ତ୍ରୀକୁ ଚାକରଣୀରୂପେ ନିଯୁକ୍ତ କଲୁ । ସେ ଘରକାମରେ ସାହାଯ୍ୟ କରୁଥିଲା ସତ; କିନ୍ତୁ ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ ତାହାରି ଯୋଗେ ଆମ ଦୁହିଁଙ୍କ ମଧ୍ୟରେ ବହୁତ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା । ଯଥାସମୟରେ ଖାଇବାକୁ ମିଳିଲା ନାହିଁ । କୌଣସି କାର୍ଯ୍ୟରେ ଶୃଙ୍ଖଳା ରହିଲା ନାହିଁ । ନ ଖାଇ ମୁଁ ମୋ କାର୍ଯ୍ୟକୁ ଯିବି କିପରି ? ସମୟ ସମୟରେ ଖାଦ୍ୟଦ୍ରବ୍ୟ ଏପରି ରନ୍ଧା ହୋଇଥାଏ ଯେ ତାହା ଅଖାଦ୍ୟ ହୋଇପଡ଼େ । ଫଳରେ ମୋତେ ଉପବାସ ରହିବାକୁ ହୁଏ । ଦିନେ ମୁଁ ଡୋରାକୁ କହିଲି, ‘‘ଆଜି ଟିକିଏ ମାଛ ତରକାରୀ ହେଲେ ଭଲ ହେବ ।’’ ଡୋରା ନିଜେ ବହୁତ ବାଟ ଚାଲି ବଜାରରୁ ବାଛି ବାଛି ଗୋଟିଏ ବଡ଼ ମାଛ କିଣିଆଣିଲା-। ମାଛଟିର ଦାମ୍‍ ଦେଢ଼ ପାଉଣ୍ଡ । ମାଛ ରନ୍ଧା ହେଲା । ସମସ୍ତେ ଖାଇଲୁ ସତ, କିନ୍ତୁ ମାଛରେ ଏତେ ଟଙ୍କା ଖରଚ କରିବା ଅନୁଚିତ ବୋଲି ମୁଁ ଡୋରାକୁ କହିବାରୁ ସେ ଅଭିମାନ କରି କାନ୍ଦିଲା-। ଅଗତ୍ୟା ମୁଁ ଘରୁ ଚାଲିଯାଇ ବହୁତ ଡେରିରେ ଫେରିଲି ।

 

ଫେରିଲାବେଳକୁ ଡୋରାର ଜଣେ ମାଉସୀ ତା’ ପାଖରେ ରହି ତାକୁ ସାନ୍ତ୍ୱନା ଦେଉଥାନ୍ତି । ମୋତେ ମଧ୍ୟ ସେ ବୁଝାଇ କହିଲେ, ‘‘ତୁମେ ଧୈର୍ଯ୍ୟ ଧରିବା ଉଚିତ । ତୁମେ ଦୁହେଁ ପିଲା । ଡୋରାର ତୁମ ପ୍ରତି ସେପରି ସ୍ନେହ ବୋଲି ସେ ଖରଚ ଆଡ଼କୁ ଦୃଷ୍ଟି ଦେଲା ନାହିଁ । ଏଥିପାଇଁ ତା’ ଉପରେ ରାଗ କଲେ ଚଳିବ କିପରି ? ଧୀରସ୍ଥିର ଭାବରେ କଥାଟା ବୁଝାଇ ଦେଇଥିଲେ ଚଳିଥାନ୍ତା ।’’ ମୁଁ ଡୋରାର ମାଉସୀଙ୍କୁ ତାଙ୍କ ଘରେ ଛାଡ଼ିଦେଇ ଆସିଲି । ଡୋରା ମୋ ପାଖକୁ ଆସି ନିଜ ଦୋଷ ସ୍ୱୀକାର କଲା । ମୁଁ ଗତ କଥା ଭୁଲିଗଲି । ଆମେ ଦୁହେଁ ପ୍ରତିଜ୍ଞା କଲୁ–ଆଉ କେବେ ଆମ ଭିତରେ ଏପରି ଅପ୍ରିୟ ଘଟନା ଘଟିବ ନାହିଁ ।

 

ଦିନେ ଆମେ ଦୁହେଁ ସ୍ଥିର କଲୁ ଯେ ଟ୍ରେଡ଼ଲସ୍‍ଙ୍କୁ ନିମନ୍ତ୍ରଣ କରିବା । ନିମନ୍ତ୍ରଣ କରାଗଲା ଓ ତାଙ୍କ ଉଦ୍ଦେଶ୍ୟରେ ଭଲ ଖାଇବା ପିଇବାର ଆୟୋଜନ ହେଲା । କିନ୍ତୁ ଦେଖିଗଲା, ସେ ଦିନର ଖାଦ୍ୟପେୟରେ କେହି ସନ୍ତୁଷ୍ଟ ହୋଇପାରିଲେ ନାହିଁ । ଡୋରର ମନଦୁଃଖ କହିଲେ ନ ସରେ । ସେ କାନ୍ଦି କାନ୍ଦି ମୋତେ କହିଲା, ‘‘ମୁଁ କିଛି ଜାଣେ ନାହିଁ । ମୋର ଯଥାସାଧ୍ୟ ଚେଷ୍ଟା କରିଥିଲି; କିନ୍ତୁ ଖାଇବା ଜିନିଷ ପ୍ରକୃତରେ କାହାରି ରୁଚିକର ହେଲା ନାହିଁ । ମୋତେ ତୁମେ ଯେପରି ବତେଇଦେବ, ମୁଁ ସେହିପରି କରିବି ।’’ ଆଗ୍ନିସ ମଧ୍ୟ ମୋତେ କହିଲା, ‘‘ଡୋରା ପିଲାଟାଏ । ପିଲାଙ୍କୁ ଗାଳିଦେଲା ପରି ତାକୁ ଗାଳିଦେବ, ପିଲାଙ୍କୁ ସ୍ନେହ କଲା ପରି ତାକୁ ସ୍ନେହ କରିବ । ସେ ଭୁଲ କାମ କଲେ ଜାଣିବ ଯେ ପିଲାଙ୍କର ଅଭିଜ୍ଞତା ନ ଥାଏ; ଅଭିଜ୍ଞତାର ଅଭାବରୁ ଡୋରା ଏପରି କରିଛି ।’’

 

ଡୋରାର ଜୀବନରେ ପରିବର୍ତ୍ତନ ଦେଖାଗଲା । ମୁଁ ତାକୁ ଖଣ୍ଡିଏ ‘ରନ୍ଧନଶିକ୍ଷା’ ବହି ଦେଇଥିଲି । ତାକୁ ଜିପ୍‍ ଚିରି ଦେଇଥିଲା । ଡୋରା ବହିଖଣ୍ଡିକ ପୁଣି ସିଲେଇ କରି ପଢ଼ିବାକୁ ଲାଗିଲା; ଘରର ହିସାବ ରଖିବାକୁ ଗୋଟିଏ ଖାତା କଲା । ସେ ଘରକାମରେ ମନଦେଇ ଦିନରାତି ଖଟିଲା ।

 

ମୋର ଏତେ କାମ ଯେ ଘରକଥା ବୁଝିବାକୁ ବେଳ ନ ଥାଏ । ମୁଁ ଦିନଯାକ ପାର୍ଲିଆମେଣ୍ଟର ବିବରଣ ସର୍ଟହାଣ୍ଡରେ ଟିପିଆଣେ । ରାତିରେ ତାକୁ ଲେଖେଁ । ସେତେବେଳେ ଡୋରା ଚୁପ୍‍କରି ମୋ ପାଖରେ ବସିରହେ; ଶୋଇବାକୁ ଯାଏ ନାହିଁ । ବେଳେ ବେଳେ କଲମ ବଦଳାଇ ଦିଏ; କାଳି ତିଆରି କରିଦିଏ । ମୁଁ ତାକୁ କଲମ ବଦଳାଇବାକୁ କହିଲେ ସେ ଭାରି ଆନନ୍ଦିତ ହୁଏ । ମୁଁ ବହି ଲେଖିଲାବେଳେ ସେ ସେହିପରି ମୋତେ ସାହାଯ୍ୟ କରେ; ମୋ କାମରେ କେବେହେଲେ ବାଧା ଦିଏ ନାହିଁ ।

 

ମୋର ଖଣ୍ଡିଏ ବହି ପ୍ରକାଶ ପାଇଲା । ବହିର ଆଶାତୀତ ବିକ୍ରୟ ଦେଖି ମୁଁ ବିଶେଷ ଆନନ୍ଦିତ ହେଲି । ମୁଁ ଭାବିଲି–ବିଧାତା ମୋତେ ଲେଖକ ହେବା ପାଇଁ ସୃଷ୍ଟି କରିଛନ୍ତି; ସୁଯୋଗ ମଧ୍ୟ ଦେଇଛନ୍ତି । ଏଣିକି ପୁସ୍ତକ ଲେଖି ଜୀବିକା ନିର୍ବାହ କରିପାରିବି ବୋଲି ମୋର ଦୃଢ଼ ବିଶ୍ୱାସ ହେଲା ।

 

ଏହିପରି ପ୍ରାୟ ଦୁଇ ବର୍ଷ କଟିଗଲା । ଘରକରଣା ଗୋଟାଏ ସମସ୍ୟା ବୋଲି ଆଉ ମନେହେଲା ନାହିଁ । ଘରକାମ ସୁନ୍ଦର ରୂପେ ଚାଲିଲା । ଆମେ ଆଉ ଗୋଟିଏ ଚାକରପିଲା ରଖିଲୁ; କିନ୍ତୁ ସେ ଘରକାମରେ ଯେତେ ସମୟ ଦେଉଥିଲା ତହିଁରୁ ବେଶୀ ସମୟ ଦେଉଥିଲା ରାନ୍ଧୁଣୀ ସହିତ କଳି କରିବାରେ । ଥରେ ସେ ଡୋରାର ଘଣ୍ଟାଟି ଚୋରି କରି ବିକିଦେଲା ଓ ସେହି ଟଙ୍କାରେ ଦିନାକେତେ ବେଶ୍‍ ମଉଜ କଲା । କିନ୍ତୁ ଚୋରି ଧରାପଡ଼ିଲା ଓ ତାକୁ କେତେକ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା ।

 

ଏହିପରି ଆମର ସୁଖଦୁଃଖର ଦିନ କାଟିବାକୁ ଲାଗିଲା ।

☆☆☆

 

ମିଷ୍ଟର ମିକାବର ହୀପ୍‍କୁ ପଦାରେ ପକାଇଦେଲେ

 

ଦିନେ ସକାଳେ ମୁଁ ଡାକରେ ଖଣ୍ଡିଏ ଚିଠି ପାଇଲି । ଚିଠିଟି ମିଷ୍ଟର ମିକାବର କାଣ୍ଟରବରୀରୁ ଲେଖିଥିଲେ । ସେଥିରେ ସେ ଲେଖିଥିଲେ–ଦୁଇଦିନ ପରେ ଜେଲଖାନାର ଫାଟକ ପାଖରେ ସନ୍ଧ୍ୟା ସାତଟାବେଳେ ତୁମେ ଓ ଟ୍ରେଡ଼ଲ୍‍ସ ମୋ ସାଙ୍ଗେ ସାକ୍ଷାତ କରିବା ନିତାନ୍ତ ଦରକାର । ମୁଁ ଅନୁମାନ କରିନେଲି ଯେକୌଣସି ଗୁରୁତର ବିଷୟରେ ମିଷ୍ଟର ମିକାବର ଆମ ଦୁହିଁଙ୍କ ସହିତ ପରାମର୍ଶ କରିବାକୁ ଇଛୁକ ।

 

ଆମେ ଦୁହେଁ ସାତଟା ବାଜିବା ପୂର୍ବରୁ ଜେଲଖାନା ଫାଟକ ପାଖେ ପହଞ୍ଚି ଦେଖିଲୁ ଯେ ମିଷ୍ଟର ମିକାବର ଆମ ଆଗରୁ ଆସି ଅପେକ୍ଷା କରି ରହିଛନ୍ତି । ସେ କହିଲେ, ‘‘ମୋର ମନ ଭଲ ନାହିଁ; କୌଣସି କାମରେ ଉତ୍ସାହ ଆସୁନାହିଁ ।’’ ସାମାନ୍ୟ କଥାବାର୍ତ୍ତା ପରେ ମୁଁ ଉରିଆ ହୀପ୍‍ଙ୍କ ଖବର ପଚାରିଲି । ମୋ କଥା ଶୁଣିବାମାତ୍ରେ ସେ ନିତାନ୍ତ ଉତ୍ତେଜିତ ହୋଇଉଠିଲେ; ତାଙ୍କ ମୁହଁ ରଙ୍ଗ ପଡ଼ିଗଲା । ସେ କ୍ରୁଦ୍ଧ ହୋଇ କହିଲେ, ‘‘ହୀପ୍ ! ସେଇଟା ଗୋଟାଏ ସଇତାନ । ତା’ର ଚେହେରା ଦେଖିନ । ଯେମିତି ଗୋଟାଏ କୋକିଶିଆଳିର ମୁହଁ ! ତା’ ନାଁ ପଡ଼ିଲେ ମୋ ଦେହ ଜଳିଉଠୁଛି । ଚାଲ, କେଉଁଆଡ଼େ ଯିବା ।’’

 

ମୁଁ ମିଷ୍ଟର ମିକାବରଙ୍କୁ ସାଙ୍ଗରେ ନେଇ ହାଇଗେଟରେ ପିଉସୀଙ୍କ ଘରେ ପହଞ୍ଚିଲି । ମୁଁ ମିଷ୍ଟର ମିକାବରଙ୍କୁ ପିଉସୀଙ୍କ ସଙ୍ଗେ ପରିଚୟ କରାଇଦେଲି । ମିଷ୍ଟର ଡିକ୍‍ ମଧ୍ୟ ସେଠାରେ ଥିଲେ-। ପିଉସୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମିଷ୍ଟର ମିକାବର କହିଲେ, ‘‘ଆମ ପରିବାର ଭୀଷଣ ଅଭାବରେ ପଡ଼ିଛନ୍ତି । ଜୀବନ ରଖିବା ପାଇଁ ଯାହା ନିତାନ୍ତ ଦରକାର ସେତିକି ମଧ୍ୟ ଆମେ ପାଇପାରୁନାହିଁ । ମୁଁ ମିଷ୍ଟର ହୀପ୍‍ଙ୍କ ପାଖେ କାମ କରୁଥିଲି; ପ୍ରଥମେ ପ୍ରଥମେ ସେ ମଧ୍ୟ ମୋତେ କିଛି ସାହାଯ୍ୟ କରୁଥିଲେ । କିନ୍ତୁ–କିନ୍ତୁ ତା’ପରେ ସେ ଯାହା କଲେ....’’

 

ମୁଁ ପଚାରିଲି–‘‘ମିଷ୍ଟର ହୀପ୍‍ ଆପଣଙ୍କର କଅଣ କଲେ ?’’

 

ମିକାବର ଉତ୍ତର କଲେ, ‘‘କଅଣ କଲେ, ପଚାରୁଛ ! ସଇତାନି, ଠକାମି, ବଦ୍‍ମାସି, ଚୋରି–ସବୁ ସେ କରିଛି; କଅଣ କରିନାହିଁ । ସେ ଗୋଟାଏ ମଣିଷ ନୁହେଁ, ଗୋଟାଏ ସାପ; ତା’ଠାରେ ବିଷ ପୂରିରହିଛି ।’’ ମୁଁ ଚୁପ୍‍କରି ଶୁଣୁଥିଲି । କିଛି କ୍ଷଣପରେ ମିଷ୍ଟର ମିକାବର ପୁଣି କହିଲେ, ‘‘ମୋର ଭାଗ୍ୟ ଖରାପ, ମୋ ଭଳି ଦୁଃଖୀ ହତଭାଗ୍ୟ ଲୋକ କମ୍‍ ଥିବେ । ମୋର ଜୀବନ ଅସହ୍ୟ ହୋଇ ଉଠିଲାଣି । ଆସନ୍ତା ରବିବାର ଦିନ ସକାଳ ନଅଟା ବେଳେ ଆପଣମାନେ କାଣ୍ଟରବରୀକୁ ଚାଲନ୍ତୁ । ସେଠାରେ ଗୋଟାଏ କିଛି ବ୍ୟବସ୍ଥା କରିବାକୁ ହେବ । ସାପର ବିଷଦାନ୍ତ ନ ଭାଙ୍ଗିଲେ ରକ୍ଷା ନାହିଁ ।’’

 

କାଣ୍ଟବରିର ଯେଉଁ ହୋଟେଲରେ ଆମର ବିଚାର ପଡ଼ିବ ତା’ର ଠିକଣା କହି ମି: ମିକାବର ଉତ୍ତେଜିତ ଭାବରେ ଚାଲିଗଲେ।

☆☆☆

 

ଉରିଆ ହୀପ୍‍ର ସ୍ୱରୂପ

 

ନିର୍ଦ୍ଧିଷ୍ଟ ଦିନ ପିଉସୀଙ୍କ ସଙ୍ଗେ ମୁଁ, ମିଷ୍ଟର ଡିକ୍‍ ଓ ଟ୍ରେଡ଼ଲ୍‍ସ କାଣ୍ଟରବରୀ ଯାଇ ମିଷ୍ଟର ମିକାବର କହିଥିବା ହୋଟେଲରେ ପହଞ୍ଚିଲୁ । ଘଣ୍ଟାରେ ସାଢ଼େ ନଅଟା ବାଜିବା ସଙ୍ଗେ ସଙ୍ଗେ ମିଷ୍ଟର ମିକାବର ଆସି ପହଞ୍ଚିଗଲେ । ସେ କହିଲେ, ‘‘ଆପଣମାନେ ମୋର ଉପଦେଶ ଅନୁସାରେ କାର୍ଯ୍ୟ କଲେ ମୋତେ ଅନୁଗୃହୀତ କରିବେ ।’’ ଆମେ ତାଙ୍କ ପ୍ରସ୍ତାବରେ ସମ୍ମତ ହେଲୁ । ସ୍ଥିର ହେଲା ଯେ, ପାଞ୍ଚ ମିନିଟ ପରେ ଆମେମାନେ ସମସ୍ତେ ଉଇକ୍‍ ଫିଲ୍‍ଡ ହୀପ୍‍ ଅଫିସକୁ ଯାଇ ମିସ୍‍ ଉଇକ୍‍ ଫିଲ୍‍ଡଙ୍କର ଖବର ପଚାରିବୁ । ମିଷ୍ଟର ମିକାବର ଏହି ଉପଦେଶ ଦେଇ ଚାଲିଗଲେ ।

 

ଠିକ୍‍ ପାଞ୍ଚମିନିଟ୍‍ ପରେ ଆମେ ଉଇକ୍‍ ଫିଲ୍‍ଡ ହୀପ୍‍ ଅଫିସରେ ପହଞ୍ଚି ଦେଖିଲୁ ଯେ ମିଷ୍ଟର ମିକାବର ଗୋଟିଏ ଟେବୁଲ ପାଖରେ ବସି କଅଣ ଲେଖିଲାଗିଛନ୍ତି । ମୁଁ ତାଙ୍କୁ ପଚାରିଲି, ‘‘ମିସ୍‍ ଉଇକ୍‍ ଫିଲ୍‍ଡଙ୍କ ସଙ୍ଗେ ଦେଖା ହୋଇ ପାରିବ ?’’ ମିଷ୍ଟରେ ମିକାବର ଉତ୍ତର କଲେ, ‘‘ମିସ୍‍ ଉଇକ୍‍ ଫିଲ୍‍ଡଙ୍କ ଶରୀର ଅସୁସ୍ଥ; କିନ୍ତୁ ଆପଣମାନେ ତାଙ୍କ ପାଖକୁ ଯାଇ ଦେଖା କରିପାରିବେ ।’’ ଏହା କହି ସେ ମିସ୍‍ ଉଇକ୍‍ ଫିଲ୍‍ଡଙ୍କୁ ଆମେ ଆସିଥିବା ଜଣାଇଲେ ।

 

ଉରିଆ ହୀପ୍‍ ଆମମାନଙ୍କୁ ଦେଖି ବିସ୍ମିତ ହୋଇଗଲେ; କିନ୍ତୁ ସେ ମନକଥା ମନରେ ରଖି ଆନନ୍ଦ ପ୍ରକାଶ କରି ମୋତେ ପଚାରିଲେ, ‘‘ଆପଣଙ୍କ ସ୍ତ୍ରୀ ଭଲ ଅଛନ୍ତି ତ ?’’ ଏହି ସମୟରେ ଆଗ୍ନିସ ସେହି ଘରେ ପ୍ରବେଶ କଲେ । ତାଙ୍କର ମୁହଁ ବିଷଣ୍ଣ ଦେଖାଯାଉଥିଲା ଓ ସେ ଚିନ୍ତିତ ହେଲା ପରି ବୋଧହେଉଥିଲେ । ସେ ଆମମାନଙ୍କୁ ଅଭିବାଦନ ଜଣାଇ ବସିଲେ । ଉରିଆ ହୀପ୍‍ ମିଷ୍ଟର ମିକାବରଙ୍କୁ କହିଲେ, ‘‘ଏଥର ତୁମେ ଯାଅ; ନିଜର କାମ କରୁଥାଅ ।’’ କିନ୍ତୁ ମିଷ୍ଟର ମିକାବର ନ ଶୁଣିଲା ପରି ରହିଲେ । ହୀପ୍‍ ଆଉଥରେ ଖୁବ୍‍ ଜୋରରେ, ‘‘ତୁମ ଜାଗାକୁ ଯାଅ, ତୁମର ଏଠାରେ ରହିବ ଦରକାର ନାହିଁ ।’’ ହଠାତ୍‍ ମିଷ୍ଟର ମିକାବରଙ୍କ ସ୍ଵର ବଦଳିଗଲା । ସେ କହିଲେ, ‘‘ମୁଁ ଯିବି ନାହିଁ । ଉରିଆ ହୀପ୍‍ ପରି ସଇତାନକୁ ସହଜେ ଛାଡ଼ିଦେଇ ପାରିବି ନାହିଁ ।’’

 

ଏବେ ଉରିଆ ହୀପ୍‍ ବୁଝିପାରିଲେ ଯେ ତାଙ୍କ ବିରୁଦ୍ଧରେ ଗୋଟିଏ ଷଡ଼ଯନ୍ତ୍ର ଚାଲିଛି । ଏମାନେ ସମସ୍ତେ ଆଗରୁ ବିଚାର କରି ଏକାଠି ଆସିଛନ୍ତି । ସେ ମିସ୍‍ ଉଇକ୍‍ ଫିଲ୍‍ଡଙ୍କୁ କହିଲେ, ‘‘ଏମାନେ ଗୋଟାଏ ଦଳ ବାନ୍ଧି ଆସିଛନ୍ତି । ଏମାନଙ୍କର ଉଦ୍ଦେଶ୍ୟ ଭଲ ନୁହେଁ । ଆପଣଙ୍କର ଅନିଷ୍ଟ କରିବା ଏମାଙ୍କର ମତଲବ । ଏଇ ମୁହୂର୍ତ୍ତରେ ମିକାବରକୁ ଶେଷ କରିଦେବି । କିନ୍ତୁ ମିଷ୍ଟର ଟ୍ରେଡ଼ଲ୍‍ସ କେଉଁ ଅଧିକାରରେ ଏଠାକୁ ଆସିଛନ୍ତି ?’’ ଏହା ଶୁଣିଲାମାତ୍ରେ ଟ୍ରେଡ଼ଲ୍‍ସ କହିଲେ, ‘‘ମୁଁ ହେଉଛି ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ବନ୍ଧୁ; ତାଙ୍କର ପ୍ରତିନିଧି । ସେ ମୋତେ କ୍ଷମତାପତ୍ର ଲେଖିଦେଇଛନ୍ତି ।’’ ହୀପ୍‍ କହିଲେ, ‘‘ଯଦି କ୍ଷମତାପତ୍ର ଆଣିଥାଅ, ତେବେ ଜୁଆଚୋରି କରି ଆଣିଥିବ । ଆଉ ଏ ଡେଭିଡ୍‍, କାଲି ବଜାରରେ ଛତରାଙ୍କ ଭଳି ବୁଲୁଥିଲା । ମୁଁ ତୁମ ସମସ୍ତଙ୍କୁ ଠିକ୍‍ କରିଦେବି ।’’

 

ମିଷ୍ଟର ମିକାବର ପକେଟ ଭିତରୁ କେତେକ କାଗଜ ବାହାର କରି ଗମ୍ଭୀର ଭାବରେ ପଢ଼ି ଶୁଣାଇଦେଲେ । ସେଥିରୁ ଜଣାଗଲା ଯେ ହୀପ୍‍ ମିଷ୍ଟର ମିକାବରଙ୍କୁ ସପ୍ତାହରେ ସାଢ଼େ ବାଇଶି ଶିଲିଙ୍ଗ ଦେବାକୁ କହିଥିଲେ । କିନ୍ତୁ ଏତିକିରେ ତାଙ୍କର ଚାଲିବା ଅସମ୍ଭବ ହେବାରୁ ସେ ହୀପ୍‍ଙ୍କୁ ହାଣ୍ଡନୋଟ ଲେଖିଦେଇ କେତେକ ଟଙ୍କା ନେଇଛନ୍ତି । ବ୍ୟବସାୟର ହିସାବରେ କେତେକ ମିଥ୍ୟା ଓ ଜାଲ ହିସାବ ଦେଖାଇବାକୁ ହୀପ୍‍ ତାଙ୍କୁ ବାଧ୍ୟ କରିଛନ୍ତି । ମିଷ୍ଟର ଉଇକ୍‍ ଫିଲ୍‍ଡ ଅତି ସରଳ ଲୋକ ହୋଇଥିବାରୁ ହୀପ୍‍ ତାଙ୍କୁ ନାନାପ୍ରକାରେ ଠକି ଟଙ୍କା ନେଇଛନ୍ତି । ଗତ ବର୍ଷକ ମଧ୍ୟରେ ମିଷ୍ଟର ମିକାବର କାଗଜପତ୍ର ଦେଖି ହୀପ୍‍ଙ୍କର ଅନ୍ୟାୟ କାରବାର ଜାଣିପାରିଛନ୍ତି ଓ ତାଙ୍କ ବିରୁଦ୍ଧରେ ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିବାକୁ ପ୍ରସ୍ତୁତ ଅଛନ୍ତି ।

 

ପ୍ରଥମ ଅଭିଯୋଗ ହେଲା, ମିଷ୍ଟର ଉଇଫିଲ୍‍ଡ ସରଳ ଲୋକ ଓ ହୀପ୍‍ଙ୍କୁ ବିଶ୍ୱାସ କରନ୍ତି । ଏହାର ସୁଯୋଗ ନେଇ ହୀପ୍‍ ବ୍ୟବସାୟର କାଗଜପତ୍ରରେ ଅନେକ ଗୋଳମାଳ କରିଛନ୍ତି । ଗୋଟିଏ ଘଟଣାରେ ସେ ମିଷ୍ଟର ଉଇକ୍ ଫିଲ୍‍ଡଙ୍କ ସ୍ଵାକ୍ଷରରେ ବାରହଜାର ଛଅଶ ଚବିଶ ପାଉଣ୍ଡ ବ୍ୟାଙ୍କରୁ ଆଣି ଅପହରଣ କରିଛନ୍ତି । ମିଷ୍ଟର ହୀପ୍‍ଙ୍କ ପୁରୁଣା ଘରେ ଗୋଟିଏ ଟିପା ଖାତା ଥିଲା । ସେଥିରୁ ସତ୍ୟ କଥା ଜଣାପଡ଼ିଯିବା ଭୟରେ ସେ ତାକୁ ପୋଡ଼ିବାକୁ ଚେଷ୍ଟା କରିଥିଲେ; କିନ୍ତୁ ସେ ଦରପୋଡ଼ା ନୋଟଖାତା ମୋ ପାଖରେ ଅଛି ।

 

ଦ୍ଵିତୀୟ ଅଭିଯୋଗ ହେଉଛି, ବ୍ୟବସାୟ ପ୍ରତିଷ୍ଠାନର ହିସାବ ଖାତାମାନଙ୍କରେ ଅନେକ ସ୍ଥାନରେ ହୀପ୍‍ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କର ସ୍ଵାକ୍ଷର ଜାଲ୍‍ କରିଛନ୍ତି । ସେଥିରୁ ଗୋଟିଏ ହେଉଛି ଯେ ମିଷ୍ଟର ଉଇକ୍‍ ଫିଲ୍‍ଡ ନିଜର ମାନମହତ୍ତ୍ୱ ରକ୍ଷା କରିବା ପାଇଁ ମିଷ୍ଟର ହୀପ୍‍ଙ୍କଠାରୁ ବରହଜାର ଛଅଶହ ଚବିଶ ପାଉଣ୍ଡ ନେଇଛନ୍ତି । ଏହି ଦଲିଲ୍‍ର ଦସ୍ତଖତ ଜାଲ୍‍ ଅଟେ । ହୀପ୍‍ ମନେ କରିଥିଲେ ଯେ ମିଷ୍ଟର ଉଇକ୍‍ ଫିଲ୍‍ଡ ବେଶୀ ଦିନ ବଞ୍ଚିବେ ନାହିଁ; ତାଙ୍କ ମୃତ୍ୟୁ ପରେ ହୀପ୍‍ ଏ ଟଙ୍କା ତାଙ୍କ ଉତ୍ତରାଧିକାରୀଙ୍କ ଠାରୁ ଆଦାୟ କରିନେବେ । ସେଥିରେ ସାକ୍ଷୀ ପଡ଼ିଥିବା ଉଇଲିକିନ୍‍ସ ମିକାବରଙ୍କ ସ୍ଵାକ୍ଷର ମଧ୍ୟ ଜାଲ୍‍ ଅଟେ ।

 

ଏହି ସମୟରେ ମିଷ୍ଟର ହୀପ୍‍ ଚାବି ବାହାର କରି ଗୋଟିଏ ଡ୍ରୟର ଖୋଲିବାକୁ ଗଲେ । ମିଷ୍ଟର ମିକାବର କହିଲେ–

 

‘‘ଡ୍ରୟର ଖୋଲିବାରେ ଲାଭ ନାହିଁ । ଆଜି ସକାଳେ ମୁଁ ସେ ଦଲିଲ୍‍ ନେଇ ମିଷ୍ଟର ଟ୍ରେଡ଼ଲ୍‍ସଙ୍କୁ ଦେଇସାରିଛି ।’’

 

ତୃତୀୟ ଅଭିଯୋଗ ହେଉଛି ଯେ ଗତ କେତେ ବର୍ଷ ଧରି ହିପ୍‍ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କୁ ଠକିଆସିଛନ୍ତି । ଅଳ୍ପ କେତେ ମାସ ତଳେ ସେ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ଠାରୁ ଗୋଟିଏ ଦଲିଲ୍‍ ଲେଖାଇ ନେଇଛନ୍ତି ଯେ ସେ ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ ସ୍ୱତ୍ୱ ତ୍ୟାଗ କରିଦେଇଛନ୍ତି ଓ ତାଙ୍କର ସ୍ଥାବରାସ୍ଥାବର ସମ୍ପତ୍ତି ହୀପ୍‍ଙ୍କ ହାତରେ ସମର୍ପଣ କରିଦେଇଅଛନ୍ତି ଓ ହୀପ୍‍ଙ୍କଠାରୁ ସେ ବାର୍ଷିକ କିଛି ଭତ୍ତା ପାଇବେ ।

 

ଏହା କହିସାରି ମିଷ୍ଟର ମିକାବର କାଗଜଗୁଡ଼ିକ ମୋ ପିଉସୀଙ୍କ ହାତକୁ ବଢ଼ାଇଦେଲେ-

 

ମିଷ୍ଟର ହୀପ୍‍ ରାଗିଯାଇ କହିଲେ, ‘‘ତେବେ ମିଷ୍ଟର ଟ୍ରେଡ଼ଲ୍‍ସ ଚୋରି ଜିନିଷ ନେଇ କାରବାର କରୁଛନ୍ତି !’’ ଏତେବେଳଯାଏ ପିଉସୀ ଚୁପ୍‍ ହୋଇ ବସିଥିଲେ । ସେ ଉଠିପଡ଼ି ହୀପ୍‍ଙ୍କର ବେକରେ ହାତ ଦେଇ କହିଲେ, ‘‘ତୁମକୁ ସେ ସମ୍ପତ୍ତି ଫେରାଇଦେବାକୁ ପଡ଼ିବ ।’’ ତାହାପରେ ସେ ଆଗ୍ନିସଙ୍କୁ କହିଲେ, ‘‘ମୁଁ ଭାବିଥିଲି, ତୁମ ବାପା ଜାଣିଶୁଣି ସବୁ କରିଛନ୍ତି; କିନ୍ତୁ ଦେଖୁଚି ସବୁ ଗଣ୍ଡଗୋଳର ମୂଳରେ ଅଛି ଏଇ ହୀପ୍‍ । ତା’ଠାରୁ ସବୁ ଆଦାୟ କରିବାକୁ ହେବ ।’’

 

ସମସ୍ତଙ୍କ ପକ୍ଷରୁ ଟ୍ରେଡ଼ଲ୍‍ସ ଜଣାଇଦେଲେ ଯେ ହୀପ୍‍ ଉଇକ୍‍ ଫିଲ୍‍ଡଙ୍କ ଦାବିପତ୍ର ଫେରାଇଦେବେ, ଯେତେ ଟଙ୍କା ଠକିଛନ୍ତି ସବୁ ଫେରସ୍ତ ଦେବେ, ପ୍ରତିଷ୍ଠାନର ସମସ୍ତ କାଗଜପତ୍ର ଟ୍ରେଡ଼ଲ୍‍ସଙ୍କ ପାଖେ ରହିବ । ମି: ହୀପ୍‍ ଏ ପ୍ରସ୍ତାବରେ ରାଜି ନ ହେବାରୁ ଟ୍ରେଡ଼ଲ୍‍ସ କହିଲେ, ‘‘ଭଲ କଥା । ମୁଁ ଦେଖୁଚି, ତୁମର ଉପଯୁକ୍ତ ସ୍ଥାନ ହେଉଛି ମଡ଼ଷ୍ଟୋନ ଜେଲଖାନା ।’’ ତାହାପରେ ମୋତେ ଲକ୍ଷ୍ୟ କରି ସେ କହିଲେ, ‘‘ମିଷ୍ଟର କପରଫିଲ୍‍ଡ ! ଯାଅ, ଥାନାରେ ଖବର ଦେଇ ଦୁଇଜଣ ପୋଲିସ ଅଫିସରଙ୍କୁ ଡାକିଆଣ ।’’

 

ଏହି ସମୟରେ ମିସେସ୍‍ ହୀପ୍‍ ଆଗ୍ନିସଙ୍କ ପାଦତଳେ ପଡ଼ି କହିଲେ, ‘‘ଆପଣ ହିଁ ଇଚ୍ଛାକଲେ ଆମକୁ ରକ୍ଷା କରିପାରିବେ । ଆମପାଇଁ ପଦେ କହିଲେ ହେଲା ।’’ ହୀପ୍‍ ନିଜର ସ୍ତ୍ରୀକୁ କହିଲେ, ‘‘ଯାଅ, ଘରଭିତରୁ ସେ ଦଲିଲ୍‍ଟା ନେଇଆସ ।’’ ମିଷ୍ଟର ଡିକ୍‍ ମିସେସ୍‍ ହୀପ୍‍ଙ୍କ ସହିତ ଗଲେ । କିଛି ସମୟ ପରେ ମିସେସ୍‍ ହୀପ୍‍ ଗୋଟିଏ ବାକ୍ସ ଘେନି ଉପସ୍ଥିତ ହେଲେ । ବାକ୍ସରୁ ସେ ଦଲିଲ୍‍ ଛଡ଼ା ଆହୁରି କେତେକ କାଗଜପତ୍ର ମିଳିଲା । ଏଗୁଡ଼ିକ ପରେ ବହୁତ କାର୍ଯ୍ୟରେ ଆସିଥିଲା-। ଆମର ସର୍ତ୍ତଗୁଡ଼ିକ ଭାବିଚିନ୍ତି ସ୍ଥିର କରିବାକୁ ହୀପ୍‍ଙ୍କୁ ଛାଡ଼ିଦେଲୁ । ଭିତରକୁ ଯିବାବେଳେ ସେ ମିଷ୍ଟର ମିକାବରଙ୍କୁ କହିଲେ, ‘‘ଆପଣଙ୍କର ଯେତେ ଟଙ୍କା ପ୍ରାପ୍ୟ ଅଛି, ସବୁ ଦେଇପକାଇବି-।’’ କିନ୍ତୁ ମିଷ୍ଟର ମିକାବର କିଛି ନ ଶୁଣିଲା ପରି ରହିଲେ ।

 

ଆଗ୍ନିସ ଏ ସମସ୍ତ ଘଟଣା ନିଜ ପିତାଙ୍କୁ ଜଣାଇବାକୁ ଚାଲିଗଲେ । ମିଷ୍ଟର ଡିକ୍‍ ଓ ମିଷ୍ଟର ଟ୍ରେଡ଼ଲ୍‍ସ ହୀପ୍‍ଙ୍କୁ ଜଗିରହିଲେ । ଆମେମାନେ ମିଷ୍ଟର ମିକାବର ସହିତ ତାଙ୍କ ଘରକୁ ଗଲୁ-

 

କଥାପ୍ରସଙ୍ଗରେ ମିସ୍‍ ଟ୍ରଟ୍‍ଉଡ୍‍ ପଚାରିଲେ, ‘‘ମିଷ୍ଟର ମକାବର ଅଷ୍ଟ୍ରେଲିଆ ଯାଇ ସେଠାରେ ବସବାସ କରିବା କଥା କେବେ ଭାବିଛନ୍ତି ?’’ ମିଷ୍ଟର ମିକାବର ଉତ୍ତର କଲେ, ‘‘ହଁ, ବହୁବାର ମୁଁ କଳ୍ପନା କରିଛି ଅଷ୍ଟ୍ରେଲିଆ ଯାଇ ସେଠାରେ ବସବାସ କରିବି । କିନ୍ତୁ କାହିଁ ଇଂଲଣ୍ଡ, କାହିଁ ଅଷ୍ଟ୍ରେଲିଆ ! ହାତରେ ଧନ ଥିଲେ ମୁଁ ଅଷ୍ଟ୍ରେଲିଆ ଯିବାକୁ କୁଣ୍ଠିତ ହୁଅନ୍ତି ନାହିଁ ।’’ ଏହା ଶୁଣି ମୋର ପିଉସୀ କହିଲେ, ‘‘ଯିବାର ଖରଚ ପାଇଁ ଅର୍ଥ ଅଭାବ ହେବ ନାହିଁ । ମୁଁ ତା’ର ବ୍ୟବସ୍ଥା କରିବି ।’’

 

ମିଷ୍ଟର ମିକାବର ଆପତ୍ତି କଲେ–‘‘ମୁଁ କାହାରିଠାରୁ ଦାନସ୍ୱରୂପ କିଛି ଗ୍ରହଣ କରିବି ନାହିଁ । ସହଜ ସର୍ତ୍ତରେ ଧାର ସ୍ୱରୂପ ଗ୍ରହଣ କରିବାରେ ଅବଶ୍ୟ ମୋର ଆପତ୍ତି ନାହିଁ ।’’

 

ଶେଷରେ ସ୍ଥିର ହେଲା ଯେ ମିଷ୍ଟର ମିକାବର ତାଙ୍କରି ସର୍ତ୍ତରେ ଟଙ୍କା ଧାର ନେଇ ଅଷ୍ଟ୍ରେଲିଆ ଚାଲିଯିବେ ।

 

ସେ ଦିନ ମିକାବର–ଦମ୍ପତିଙ୍କର ଆନନ୍ଦର ସୀମା ରହିଲା ନାହିଁ । ବହୁ ଦିନର ଅଭାବ ଅନାଟନ, ଦୁଃଖ-ଦୁର୍ଦ୍ଦଶା ଭୁଲିଯାଇ ଭବିଷ୍ୟତ ସୁଖ ଆଶାରେ ସେମାନେ ବୁଡ଼ିରହିଲେ ।

☆☆☆

 

ମୋର ପତ୍ନୀବିୟୋଗ

 

ଡୋରାକୁ ବାତରୋଗ ଆକ୍ରମଣ କଲା ଓ ତାହା କ୍ରମେ ବଢ଼ିବାକୁ ଲାଗିଲା । ସେ ଏକବାରେ ଶଯ୍ୟାଶାୟୀ ହୋଇ ରହିଲା; କିନ୍ତୁ ସେ କେବେହେଲେ ନିଜର ଦୁଃଖଯନ୍ତ୍ରଣା ପ୍ରକାଶ କରୁ ନ ଥିଲା । ସେ ବୁଝିପାରୁଥିଲା ଯେ ସମସ୍ତେ ତା’ର ଦୁଃଖ ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି; ତା’ର ସ୍ୱାମୀ ତା’ ଲାଗି ଦିନରାତି ପରିଶ୍ରମ କରୁଛନ୍ତି । ନିଜର ଦୁଃଖକଷ୍ଟ କଥା କହି ସେ ସେମାନଙ୍କୁ ଆହୁରି କଷ୍ଟ ଦେବ କାହିଁକି ? ସେ ନୀରବରେ ନିଜର କଷ୍ଟକୁ ସାହିଯାଉଥିଲା ।

 

ଦିନେ ସନ୍ଧ୍ୟାବେଳେ ମୁଁ ଡୋରା ପାଖରେ ବସି ତାକୁ ସାନ୍ତ୍ୱନା ଦେଉଥିଲି । ତା’ର ଶୁଖିଲା ଓଠରେ ଟିକିଏ ହସ ଦେଖାଦେଲା । ସେ ମୋତେ କହିଲା, ‘‘ଆଜି ମୋତେ ଭାରି ଭଲ ଲାଗୁଛି । ମୋର ବଡ଼ ଇଚ୍ଛା ହେଉଛି ଟିକିଏ ଆଗ୍ନିସକୁ ଦେଖନ୍ତି । ତା’ ସଙ୍ଗେ ମୋର କଥାବାର୍ତ୍ତା ହୁଅନ୍ତା ।’’ ମୁଁ ସେହି ଦିନ ଆଗ୍ନିସଙ୍କ ପାଖକୁ ଚିଠି ଲେଖିଲି, ସେ ଯେପରି ଅତି ଶୀଘ୍ର ଆସି ଡୋରାର ଇଚ୍ଛା ପୂର୍ଣ୍ଣ କରନ୍ତି । ମୁଁ ଡୋରାକୁ କହିଲି, ‘‘ତୁମେ ମନ ଦୁଃଖ କରନା । ଆଉ ଅଳ୍ପ ଦିନରେ ତୁମ ଦେହ ଭଲ ହୋଇଯିବ । ଆଗ୍ନିସ ଆସିଲେ ଅବଶ୍ୟ ତୁମର ମନ ଭଲ ରହିବ । କିନ୍ତୁ ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ ।’’ ଡୋରା କହିଲା, ‘‘ତୁମେ ସିନା ସେପରି ଭାବୁଛ; କିନ୍ତୁ ମୋର ମନେହୁଏ, ମୁଁ ଭଲ ହେବି ନାହିଁ । ମୋର ଜୀବନଦୀପ ଲିଭିଆସୁଛି । ମୋ ମନରେ ଆଗ୍ନିସଙ୍କୁ ଗୋଟିଏ କଥା କହିବାର ଅଛି । ସେତିକି କହିସାରିଲେ ମୋ ମନରେ ଶାନ୍ତି ଆସିବ ।’’ ଏପରି ଅମଙ୍ଗଳ କଥା ନ କହିବାକୁ ମୁଁ ଡୋରାକୁ ବାରମ୍ବାର ଅନୁରୋଧ କରି କହିଲି, ‘‘ତୁମେ ବୃଥା ଚିନ୍ତା କର ନାହିଁ । ତୁମେ ନିଶ୍ଚୟ ଭଲ ହୋଇଯିବ ।’’ ଡୋରା ଏତିକି ମାତ୍ର କହିଲା, ‘‘ମୁଁ ଭଲ ହୁଏ ବା ନହୁଏ, ମୋ ମନରେ ବଡ଼ ଆନନ୍ଦ ଯେ ମୁଁ ତୁମର ସେହ୍ନଶ୍ରଦ୍ଧା ପାଇଛି । ଆଗ୍ନିସ ଭଳି ବାନ୍ଧବୀ ପାଇଛି ।’’ ଆଗ୍ନିସ ଆସି ପହଞ୍ଚିଲେ । ସେ ଡୋରାର ପାଖେ ପାଖେ ରହିଥାନ୍ତି । ପରଦିନ ଦେଖିଲି, ଡୋରାର ମୁହଁ ପ୍ରସନ୍ନ ଦିଶୁଚି । ସେ ହସି ହସି କଥାବାର୍ତ୍ତା କରୁଛି । ଡୋରା ମୋତେ କହିଲା, ‘‘ଆଗ୍ନିସକୁ ମୋର ଗୋଟିଏ ଗୁପ୍ତ କଥା କହିବାର ଅଛି । ତୁମେ ତଳ ମହଲାକୁ ଯାଅ । ଆଉ କାହାରିକୁ ଆମ ପାଖକୁ ଆସିବାକୁ ଦେବ ନାହିଁ ।’’ ମୁଁ ତଳ ମହଲାକୁ ଯାଇ ଆଗ୍ନିସଙ୍କୁ ଡୋରା ପାଖକୁ ପଠାଇଦେଲି । ଡୋରାର କୁକୁରଟି ମୋ ପାଖରେ ରହିଲା । ଆଗ୍ନିସ ଉପର ମହଲାର କବାଟ ବନ୍ଦ କଲାକ୍ଷଣି ଜୀପ୍‍ ଅଥୟ ହେଲା । ସେ ଭୁକି ଭୁକି କବାଟକୁ ରାମ୍ପିଲା; କିନ୍ତୁ କବାଟ ନ ଫିଟିବାରୁ ବାଧ୍ୟ ହୋଇ ଫେରିଆସି ମୋ ପାଦ ପାଖରେ ଶୋଇଲା । ମୁଁ ଚଉକି ଉପରେ ବସି ନାନା କଥା ଚିନ୍ତା କରୁଥାଏଁ, ହଠାତ୍‍ ମୋର ଗୋଡ଼ ଜିପ୍‍ ଦେହରେ ବାଜିଲା । ମାତ୍ର ସେ ହଲଚଲ୍‍ ହେଲା ନାହିଁ କି ଭୁକିଲା ନାହିଁ । ମୁଁ ଦେଖେ ତ, କେତେବେଳେ ତା’ର ପ୍ରାଣବାୟୁ ଉଡ଼ିଯାଇଛି । ଠିକ୍‍ ଏହି ସମୟରେ ଆଗ୍ନିସ ଉପର ମହଲାର କବାଟ ଫିଟାଇ ଓହ୍ଲାଇ ଆସିଲେ । ତାଙ୍କ ମୁହଁ ବିଷଣ୍ଣ ଦିଶୁଥାଏ । ଆଖିରୁ ଦୁଇଧାର ଲୁହ ବୋହୁଥାଏ । ସେହି ମୁହଁକୁ ଦେଖିଲାମାତ୍ରେ ମୋର ଆଶଙ୍କା ହେଲା, ଡୋରା ଚିରଦିନ ଲାଗି ମୋତେ ଛାଡ଼ି ଚାଲିଯାଇଛି ।

 

ମୋର ଆଶଙ୍କା ସତ୍ୟ ବୋଲି ପ୍ରମାଣିତ ହେଲା । କିଛି ସମୟ ପୂର୍ବରୁ ଡୋରାର ମୁହଁରେ ଯେଉଁ ପ୍ରସନ୍ନତା ଲକ୍ଷ୍ୟ କରିଥିଲି, ନିର୍ବାପିତ ହୋଇଆସୁଥିବା ପ୍ରଦୀପର ଶେଷ ଦୀପ୍ତି ବୋଲି ବୁଝିପାରିଲି ।

☆☆☆

 

ମୁଁ ପୁଣି ବିବାହ କଲି

 

ଡୋରାର ମୃତ୍ୟୁ ପରେ ମୋତେ ଭବିଷ୍ୟତ ଅନ୍ଧକାରମୟ ଦେଖାଗଲା । ମୋର ଜୀବନର କିଛି ପ୍ରୟୋଜନ ଅଛି ବୋଲି ବୋଧ ହେଲା ନାହିଁ । କେବଳ ମରଣରେ ହିଁ ମୋର ଶାନ୍ତି ଆସିବ ବୋଲି ବିଚାର କଲି । ଏହିପରି ଚିନ୍ତାରେ କିଛି ଦିନ କଟିଗଲା । ସମୟର ପ୍ରଲେପରେ ମୋ ହୃଦୟର କ୍ଷତ ଶୁଖିଆସିଲା । ଆଗ୍ନିସଙ୍କର ମଧୁର ଓ ସ୍ନେହପୂର୍ଣ୍ଣ ବ୍ୟବହାର ସଙ୍ଗେ ଡୋରାର ସ୍ନେହ କଥା ବେଳେ ବେଳେ ମନେପଡ଼େ ।

 

ଏହା ଭିତରେ ମିଷ୍ଟର ମିକାବର ସପରିବାର ଅଷ୍ଟ୍ରେଲିଆ ଚାଲିଗଲେ ସେଠାରେ ବାସ କରିବା ପାଇଁ । ମନର ପରିବର୍ତ୍ତନ ଲାଗି ମୁଁ ବିଦେଶ ଭ୍ରମଣରେ ଯିବାକୁ ସ୍ଥିର କଲି । ଇଉରୋପର କେତେକ ଦେଶ ବୁଲିଲି; କିନ୍ତୁ କୌଣସିଠାରେ ଶାନ୍ତି ବା ଆନନ୍ଦ ଉପଭୋଗ କରିପାରିଲି ନାହିଁ । ସୁଇଜରଲାଣ୍ଡରେ ଥିବା ସମୟରେ ପ୍ରକୃତିର ନୀରବ ସୌନ୍ଦର୍ଯ୍ୟ ମଧ୍ୟରେ ମୁଁ ନିଜକୁ ଭୁଲିଗଲା ପରି ଅନୁଭବ କଲି । ସେଦିନ ବସାକୁ ଫେରିଆସିଲା ପରେ ଟିକିଏ ଶାନ୍ତି ଆସିଲା ।

 

ବସାରେ ପହଞ୍ଚି ସେ ଦିନର ଚିଠିଗୁଡ଼ିକ ଦେଖିବାକୁ ଆରମ୍ଭ କଲି । ଖଣ୍ଡିଏ ଚିଠି ଆଗ୍ନିସ ଲେଖିଥିଲେ । ସେଥିରେ ସେ ଅନ୍ୟମାନଙ୍କ ପରି ମୋତେ କୌଣସି ଉପଦେଶ ଦେଇ ନ ଥିଲେ କିମ୍ବା ମୋର କର୍ତ୍ତବ୍ୟ କଅଣ ବୁଝାଇବାକୁ ଚେଷ୍ଟା କରିନଥିଲେ । ସେ ଲେଖିଥିଲେ–

 

‘‘ତୁମର ଶକ୍ତିରେ ମୋର ପ୍ରଗାଢ଼ ବିଶ୍ୱାସ ଅଛି । ମୁଁ ଜାଣେ, ତୁମେ ବିପଦରେ ଅଧୀର ହେବାର ଲୋକ ନୁହଁ; ବରଂ ବିପଦକୁ କିପରି ନିଜର ମଙ୍ଗଳରେ ପରିଣତ କରିବାକୁ ହୁଏ, ସେ ଉପାୟ ତୁମେ ଜାଣ । ବିଧାତା ତୁମକୁ ଯେଉଁ ଦୁଃଖ ଦେଇଅଛନ୍ତି, ତାହା ତୁମର ଉଚ୍ଚ ଅଭିଳାଷ ଓ ଦୃଢ଼ ଆତ୍ମପ୍ରତ୍ୟୟ ପଥରେ ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ମୋର ବିଶ୍ୱାସ । ତୁମେ ମୋର ଯେଉଁ ଉପକାର କରିଅଛ, ସେଥିପାଇଁ ମୁଁ କୃତଜ୍ଞତା ପ୍ରକାଶ କରୁଛି । ତୁମର ଅସାଧାରଣ କାର୍ଯ୍ୟକୌଶଳରେ ମୁଁ ଗର୍ବ ଅନୁଭବ କରୁଅଛି । ଭବିଷ୍ୟତରେ ତୁମେ ଯେ ଜଣେ ପ୍ରସିଦ୍ଧ ଲୋକ ହେବ, ସେଥିରେ ମୋର ସନ୍ଦେହ ନାହିଁ । ପରିବେଶରେ ଯେଉଁ ଭଗବାନ ତୁମର ଡୋରାକୁ ତାଙ୍କ କୋଳରେ ଚିର ଶାନ୍ତିମୟ ବିଶ୍ରାମ ଦେଇଛନ୍ତି, ସେହି ଭଗବାନ ତୁମର ମଙ୍ଗଳବିଧାନ କରନ୍ତୁ, ଏହାହିଁ ମୋର ପ୍ରାର୍ଥନା ।’’

 

ମୁଁ ଏହି ଚିଠିଖଣ୍ଡକ ଦୁଇ ତିନି ଥର ପଢ଼ିଲି । ତତ୍ପରେ ଚିଠିର ଉତ୍ତର ଲେଖିଲି । ସେଥିରେ ମୁଁ ତାଙ୍କ ପାଖରେ ନାନା ପ୍ରକାରେ ଋଣୀ ବୋଲି ଉଲ୍ଲେଖ କରିଥିଲି ଓ ସେ ମୋର ସମ୍ବନ୍ଧରେ ଯେଉଁ ଉଚ୍ଚ ଧାରଣା ପୋଷଣ କରିଛନ୍ତି, ସେଥିପାଇଁ ନିଜକୁ ଉପଯୁକ୍ତ କରିବାକୁ ଚେଷ୍ଟିତ ହେବି ବୋଲି ଆଶା ପ୍ରକାଶ କରିଥିଲି ।

 

ସୁଇଜରଲାଣ୍ଡର ସୁନ୍ଦର ପ୍ରାକୃତିକ ଦୃଶ୍ୟ ମଧ୍ୟରେ ରହି ଆଉ କିଛି କିଛି ଲେଖିବି ବୋଲି ସ୍ଥିର କଲି । ପ୍ରକୃତି ମୋତେ ଲେଖିବା ପାଇଁ ପ୍ରେରଣା ଦେଉଥିଲା ଏବଂ ନୂତନ ନୂତନ ଭାବର ଆହରଣ ପାଇଁ ମୁଁ ପ୍ରକୃତିର ଶରଣାପନ୍ନ ହେଉଥିଲି । ଏଥିପୂର୍ବରୁ ଡୋରାର ମୃତ୍ୟୁ ପରେ ମୁଁ ମାନବସମାଜ ପ୍ରତି କିପରି ଉଦାସୀନ ହୋଇପଡ଼ିଥିଲି । କିନ୍ତୁ ଏଠାରେ କିଛି ଦିନ ମଧ୍ୟରେ ମୋର ପୁଣି ମାନବସମାଜ ପ୍ରତି ଆଦର ଜାତ ହେଲା । ମୁଁ ପୁସ୍ତକରଚନାରେ ମନଃପ୍ରାଣ ନିବେଶ କଲି । ଅଳ୍ପଦିନ ମଧ୍ୟରେ ମୁଁ ଗୋଟିଏ ଗଳ୍ପ ଲେଖି ଟ୍ରେଡ଼ଲ୍‍ସଙ୍କ ପାଖକୁ ପଠାଇଦେଲି । ସେ ଉଚ୍ଚ ମୂଲ୍ୟ ଆଣି ଜଣେ ପ୍ରକାଶକଙ୍କ ଦ୍ୱାରା ଏହାକୁ ପ୍ରକାଶ କରାଇଲା । ପୁସ୍ତକଟି ପାଠକ ସମାଜରେ ଉଚ୍ଚ ପ୍ରଶଂସା ଲାଭ କଲା ଏବଂ ଲେଖକ ଭାବରେ ମୋର ଖ୍ୟାତି ଯଥେଷ୍ଟ ବୃଦ୍ଧି ପାଇଲା । ଏହିପରି ଉତ୍ସାହ ପାଇ ମୁଁ ଗୋଟିଏ ଉପନ୍ୟାସ ଲେଖିବାକୁ ଆରମ୍ଭ କଲି । କିନ୍ତୁ ବହିଟି ଶେଷ ନ ହେଉଣୁ ମୁଁ ସ୍ୱଦେଶକୁ ଫେରିଆସିଲି ।

 

ଯେଉଁ ଦିନ ସନ୍ଧ୍ୟାବେଳେ ମୁଁ ଲଣ୍ଡନ ବନ୍ଦରରେ ଓହ୍ଲାଇଲି, ସେ ଦିନ ଖୁବ୍‍ ଶୀତ ପଡ଼ିଥାଏ । ବନ୍ଦରରୁ ଗୋଟିଏ ଗାଡ଼ି କରି ଯାଇ ଟ୍ରେଡ଼ଲ୍‍ସଙ୍କ ଗୃହରେ ପହଞ୍ଚିଲି । ଏହି ଅପତ୍ୟାଶିତ ମିଳନରେ ସେ ବିସ୍ମିତ ହୋଇଗଲେ । ଆମେ ଦୁହେଁଯାକ ଖୁବ୍‍ ଆନନ୍ଦିତ ହେଲୁ । ଦୁହେଁ ଗଳ୍ପ କରିବସିଲୁ । ଟ୍ରେଡ଼ଲ୍‍ସଙ୍କଠାରୁ ବୁଝିଲି ଯେ, ସେ ଏଥିମଧ୍ୟରେ ବିବାହ କରିସାରିଛନ୍ତି । ଏହି ସମୟରେ ଟ୍ରେଡ଼ଲ୍‍ସଙ୍କ ସ୍ତ୍ରୀ ସୋଫି ହସି ହସି ସେହି ଘରେ ପ୍ରବେଶ କଲେ ଓ ମୋତେ ଅଭିବାଦନ ଜଣାଇଲେ । ବାସ୍ତବରେ ସୋଫି ଯେପରି ସୁନ୍ଦରୀ, ସେହିପରି ହାସ୍ୟମୟୀ ଓ ସରଳ ବାଳିକା ।

 

ତତ୍ପର ଦିନ ମୁଁ ପିଉସୀଙ୍କ ଘରେ ପହଞ୍ଚିଲି । କେବଳ ପିଉସୀ କାହିଁକି, ମିଷ୍ଟର ଡିକ୍‍ ଓ ପିଗୋଟି ମଧ୍ୟ ମୋତେ ସାଦର ସମ୍ଭାଷଣରେ ଅଭିଭୂତ କରିପକାଇଲେ । ରାତି ଅଧଯାଏ ପିଉସୀଙ୍କ ସାଥିରେ ଗପ ଚାଲିଲା । ମୁଁ ପିଉସୀଙ୍କୁ ଜଣାଇଦେଲି ଯେ ମୁଁ ସିଧା ସିଧା ତାଙ୍କ ପାଖକୁ ଆସିଛି । ତେଣୁ ବାଟରେ ଆଗ୍ନିସଙ୍କ ସଙ୍ଗେ ଦେଖା କରିନାହିଁ । ପିଉସୀ ମୋତେ କହିଲେ, ‘‘ତାକୁ ଶୀଘ୍ର ଦେଖା କରିବା ଉଚିତ । ଦେଖିବ, ସେ ପୂର୍ବପରି ସୁନ୍ଦରୀ, କର୍ମତତ୍ପର ଓ ନିଃସ୍ୱାର୍ଥପର ହୋଇ ରହିଛି । ତା’ ଭଳି ଝିଅଟିଏ ମୁଁ କେଉଁଠି ହେଲେ ଦେଖିନାହିଁ ।’’

 

ପରଦିନ ସକାଳେ ମୁଁ କାଣ୍ଟରବରୀ ଯାଇ ଆଗ୍ନିସଙ୍କ ଘରେ ପହଞ୍ଚିଲି । ଦୁହେଁ ଆନନ୍ଦରେ ପରସ୍ପରକୁ ଆଲିଙ୍ଗନ କଲୁ । ଏତେ ଦିନ ପରେ ଦେଖା ହୋଇଥିବାରୁ ମନ ଆହ୍ଲାଦରେ ପୂରିଯାଉଥାଏ । କେତେବେଳଯାଏ କାହାରି ତୁଣ୍ଡରୁ କଥା ବାହାରିଲା ନାହିଁ । ତା’ପରେ ଆମ ଦୁହିଁଙ୍କ ଭିତରେ ଅନେକ କଥାବାର୍ତ୍ତା ହେଲା । ପାଠ ପଢ଼ିବା ସମୟରେ କିପରି ଦିନଗୁଡ଼ିକ ସୁଖରେ କଟିଯାଉଥିଲା, ସେ ବିଷୟରେ ଆଲୋଚନା ଚାଲିଲା । ଦୁହେଁ ନିଜକୁ ମଧ୍ୟ ଭୁଲିଗଲା ପରି ମନେହେଲା । ଦୁହେଁ ପରସ୍ପରକୁ ଭାଇଭଉଣୀ ଭଳି ସ୍ନେହ କରିବାକୁ ଲାଗିଲୁ । ମୁଁ କହିଲି, ‘‘ଆଗ୍ନିସ, ମୁଁ ଯଦି ଜୀବନରେ କିଛି ଉନ୍ନତି କରିଥାଏଁ ତାହା କେବଳ ତୁମରି ଯୋଗୁଁ । ଦିନକୁ ଦିନ ଉନ୍ନତିର ସୋପାନରେ ଉଠିବା ପାଇଁ ତୁମେ ହିଁ ମୋତେ ପ୍ରେରଣା ଦେଇଆସିଛ । ତୁମର ଏ ଉପକାର ଭୁଲିପାରିବି ନାହିଁ ।’’ ମୁଁ ପିଉସୀଙ୍କ ପାଖକୁ ଫେରିଗଲି । ମୁଁ ଯେଉଁ ବହିଟି ସୁଜରଲାଣ୍ଡରେ ଅଧା ପର୍ଯ୍ୟନ୍ତ ଲେଖିଥିଲି ତାକୁ ଶେଷ କରିବାଯାଏ ପିଉସୀଙ୍କ ପାଖରେ ରହିବି ବୋଲି ସ୍ଥିର କଲି ।

 

ମୁଁ ଅନେକ ସମୟରେ ଆଗ୍ନିସ ପାଖକୁ ଯାଉଥିଲି । ତାଙ୍କ ମୁହଁରୁ ପ୍ରଶଂସା ଶୁଣିଲେ ମୋର ମନ ଉଲ୍ଲସିତ ହୋଇଉଠେ ଓ ନୂଆ ନୂଆ ଚିନ୍ତା ଆସେ । ଦିନେ ଖୁବ୍‍ ଶୀତ ହେଉଥାଏ । ମୁଁ ପିଉସୀଙ୍କୁ କହିଲି, ‘‘ଆଜି ଘୋଡ଼ାରେ ବସି କାଣ୍ଟରବରୀ ଯାଉଛି । ଘୋଡ଼ା ଚଢ଼ି ବୁଲିଲେ ଶୀତ ବାଧେ ନାହିଁ ।’’ ପିଉସୀ କହିଲେ, ‘‘ଯିବୁ ତ ଯାଆ; କିନ୍ତୁ ମୁଁ ଦେଖୁଛି, ତୁ ସବୁବେଳେ ପଢ଼ୁଛୁ ବା ଲେଖଛୁ । ମୁଁ ଜାଣିନଥିଲି ଯେ ବହି ଲେଖିବା ଏପରି ଗୋଟାଏ କଠିନ କାମ ।’’ ମୁଁ କହିଲି, ‘‘ଲେଖିବା ପଢ଼ିବା ଅବଶ୍ୟ କଠିନ; କିନ୍ତୁ ଖଣ୍ଡିଏ ବହି ଲେଖିବାରେ ଯେପରି ଆନନ୍ଦ ମିଳେ, ଅନ୍ୟ କାହିଁରେ ସେପରି ଆନନ୍ଦ ମିଳିବ ନାହିଁ ।’’

 

ମୁଁ କାଣ୍ଟରବରୀ ଯାଇ ମିଷ୍ଟର ଉଇକ୍‍ ଫିଲ୍‍ଡଙ୍କ ଘରକୁ ଗଲି । ଦେଖିଲି, ଆଗ୍ନିସ ନିଆଁ ପାଖରେ ବସି ଗୋଟାଏ ବହି ପଢ଼ୁଛନ୍ତି । ଦେଖାହେବାମାତ୍ରେ ସେ ସମ୍ଭାଷଣ ଜଣାଇ ମୋତେ ନିଜ ପାଖରେ ବସାଇ କହିଲେ, ‘‘ତୁମେ ଯେ ଅଳ୍ପଦିନ ଭିତରେ ଇଂଲଣ୍ଡର ଜଣେ ପ୍ରସିଦ୍ଧ ଳେଖକରୂପେ ପରିଚିତ ହେବ, ଏଥିରେ ଆଦୌ ସନ୍ଦେହ ନାହିଁ ।’’ ମୁଁ କିଛି ଉତ୍ତର ନ ଦେଇ ବସିରହିଥିବାର ଦେଖି ସେ ପୁଣି ପଚାରିଲେ, ‘‘ତୁମେ ଆଜି ବଡ଼ ଚିନ୍ତାକୁଳ ଥିଲା ପରି ବୋଧ ହେଉଛି । ତୁମ ଦୁଃଖର କାରଣ କଅଣ ମୋତେ କହିବ ନାହିଁ ?’’ ମୁଁ ଉତ୍ତର କଲି, ‘‘ତୁମର ଅନୁମାନ ଠିକ୍‍ । ମୁଁ ବିଶେଷ ଚିନ୍ତିତ । ସେହି ବିଷୟ କହିବି ବୋଲି ତୁମ ପାଖକୁ ଆସିଛି ।’’

 

ଆଗ୍ନିସ ଧୀରସ୍ଥିର ଭାବରେ ମୋର କଥା ଶୁଣିସାରି କହିଲେ, ‘‘ମୋ’ଦ୍ୱାରା ଯଦି ତମର ଚିନ୍ତା ଦୂର ହୋଇପାରିବ, ତେବେ ମୁଁ ଯଥାସାଧ୍ୟ ଚେଷ୍ଟା କରିବି ।’’

 

ମୁଁ କହିଲି, ‘‘ଗତ କେତେ ଦିନ ହେଲା ମୋ ମନରେ ଗୋଟାଏ ନୂତନ ଆଶାର ଉଦୟ ହୋଇଅଛି । ମୁଁ ତୁମକୁ ଭଉଣୀ ପରି ଦେଖିଆସିଛି, ଭଉଣୀ ବୋଲି ଡାକିଛି ମଧ୍ୟ କିନ୍ତୁ ବର୍ତ୍ତମାନ ମୁଁ ତୁମକୁ ଭଉଣୀଠାରୁ ଅନ୍ୟ ଗୋଟିଏ ଭିନ୍ନ ଓ ଉଚ୍ଚତର ଆସନରେ ବସାଇବାକୁ ଚାହେଁ ।’’

 

ଏତିକି ଶୁଣିଲାମାତ୍ରେ ଆଗ୍ନିସଙ୍କର ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା । ମୁଁ ଆଗ୍ନିସଙ୍କ ମନର ଭାବ ବୁଝିପାରିଲି । ମୁଁ କହିବାକୁ ଲାଗିଲି, ‘‘ମୁଁ ଡୋରାକୁ ଭଲ ପାଉଥିଲି । ତା’ ପ୍ରତି ମୋର ପ୍ରେମ ତୁମକୁ ଅଜଣା ନୁହେଁ; କିନ୍ତୁ ତୁମର ସାହାଯ୍ୟ ଓ ସହାନୁଭୂତି ବିନା ସେହି ପ୍ରେମ ଅପୂର୍ଣ୍ଣ ରହିଥାନ୍ତା । ଡୋରା ମୋ’ଠାରୁ ଚିରବିଦାୟ ନେଲାବେଳେ ତୁମେ ମୋ ପାଖରେ ରହି ସାନ୍ତ୍ୱନା ଦେଇ ନ ଥିଲେ ମୋର କଅଣ ହୋଇଥାନ୍ତା ତାହା କଳ୍ପନା କରିପାରୁ ନାହିଁ । ମୁଁ ବିଦେଶକୁ ଗଲି; କିନ୍ତୁ ସେଠାରେ ମଧ୍ୟ ତୁମର ସ୍ନେହ ମୋତେ ଧୈର୍ଯ୍ୟ ଓ ସାହସ ଦେଇଥିଲା । ଏବେ ସ୍ୱଦେଶକୁ ଫେରିଲା ପରେ ମଧ୍ୟ ତୁମ ପ୍ରତି ମୋର ସ୍ନେହଶ୍ରଦ୍ଧା ପୂର୍ବ ପରି ରହିଅଛି । ତୁମେ ମୋ ଜୀବନତରୀର ଧ୍ରୁବତାରା ପରି ରହିଅଛ । ଏବେ ତୁମେ ମୋତେ ସ୍ୱାମୀରୂପେ ଗ୍ରହଣ କଲେ ମୋର ଜୀବନର ଏକ ବିରାଟ ଅଭାବ ପୂରଣ ହେବ ବୋଲି ମୋର ମନେହେଉଛି । ଏ ବିଷୟରେ ତୁମର ଅଭିମତ ଜାଣିବା ପାଇଁ ମୁଁ ଆଜି ଧାଇଁ ଆସିଛି । ଡୋରାର ଆତ୍ମା ତୁମରି ଆଖିରେ ମୋତେ ଚାହିଁ ରହିଛି । ମୁଁ ହୁଏତ ତୁମର ସ୍ୱାମୀ ହେବାକୁ ଯୋଗ୍ୟ ହୋଇ ନ ପାରେ; କିନ୍ତୁ ତୁମ ପ୍ରତି ମୋର ଯେ ପ୍ରେମ ଅଛି, ଏଥିରେ ସନ୍ଦେହ ନାହିଁ । ପବିତ୍ର ପ୍ରେମର ପ୍ରତିଦାନ ସ୍ୱରୂପ ମୋତେ ଗ୍ରହଣ କର ।’’

 

ଆଗ୍ନିସ ଉତ୍ତର କଲେ, ‘‘ତୁମର କଥା ମୋ କର୍ଣ୍ଣରେ ଅମୃତ ଢାଳିଦେଲା ପରି ବୋଧ ହେଉଅଛି । ମୋତେ ବିଶ୍ୱାସ କର, ମୁଁ ଚିରକାଳ ତୁମକୁ ଭଲପାଇ ଆସିଛି ।’’

 

ଆଗ୍ନିସ ସହ ମୋର ବିବାହ ସ୍ଥିର ହୋଇଗଲା ।

 

ଦୁଇ ସପ୍ତାହ ପରେ ବିବାହ ଉତ୍ସବ ଅନୁଷ୍ଠିତ ହେଲା । ଏହି ଉତ୍ସବ ନିତାନ୍ତ ନିରାଡ଼ମ୍ବର ଭାବରେ ହୋଇଥିଲା । କେବଳ ଟ୍ରେଡ଼ଲ୍‍ସ, ତାଙ୍କ ସ୍ତ୍ରୀ ସୋଫି, ଡକ୍ଟର ଷ୍ଟ୍ରଙ୍ଗ ଓ ମିସେସ୍‍ ଷ୍ଟ୍ରଙ୍ଗ ଅତିଥି ରୂପେ ନିମନ୍ତ୍ରିତ ହୋଇଥିଲେ । ଗିର୍ଜାରୁ ଯିବାବେଳେ ଗାଡ଼ି ଭିତରେ ଆଗ୍ନିସ ମୋତେ କହିଲା, ‘‘ମନେଥିବ, ଡୋରା ଜୀବନର ଶେଷ ମୁହୂର୍ତ୍ତରେ ମୋତେ ଡାକିନେଇ ଗୋପନରେ କିଛି କହିଯାଇଥିଲା । ସେ କ’ଣ କହିଥିଲା ଜାଣ–‘ଆଗ୍ନିସ, ତୁ ମୋର ଅନ୍ତରର ବନ୍ଧୁ । ମୁଁ ସଂସାରରୁ ବିଦାୟ ନେଇ ଯାଉଛି । ମୋର ସ୍ୱାମୀଙ୍କ ହୃଦୟରେ ମୋ ବିନା ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେବ, ତାକୁ ତୁଇ ଏକା ପୂରଣ କରିପାରିବୁ ।’ ସେ ମୋ ଉପରେ ଯେଉଁ ପବିତ୍ର ଦାୟିତ୍ୱ ଅର୍ପଣ କରି ଯାଇଥିଲା, ଆଜି ଦୈବଯୋଗେ ତାହା ପ୍ରତିଫଳିତ ହୋଇଅଛି ।’’

 

ଆମେ ଏକ ନୂତନ ପାରିବାରିକ ଜୀବନ ଆରମ୍ଭ କଲୁ ।

Image